Editorial: ସୁବର୍ଣ୍ଣ ଭ୍ରମ
ଜାନୁଆରି ୧୦ରେ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ସେଠାରେ ବେକାରିର ଆକାର ଆଶଙ୍କା କରାଯାଉଥିବା ସ୍ତର ଠାରୁ ତଳେ ରହିଛି। ଏଣୁ ନିବେଶକମାନେ ବିଶ୍ବାସ କରୁଛନ୍ତି ଯେ ‘ଫେଡ୍’ ଏବେ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉ ନାହିଁ।

ଜାନୁଆରି ୧୦ରେ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ସେଠାରେ ବେକାରିର ଆକାର ଆଶଙ୍କା କରାଯାଉଥିବା ସ୍ତର ଠାରୁ ତଳେ ରହିଛି। ଏଣୁ ନିବେଶକମାନେ ବିଶ୍ବାସ କରୁଛନ୍ତି ଯେ ‘ଫେଡ୍’ ଏବେ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉ ନାହିଁ। ଫଳରେ ସେମାନେ ଆମେରିକାରେ ଉପଲବ୍ଧ ଉଚ୍ଚା ସୁଧ ଦ୍ବାରା ଆକର୍ଷିତ ହୋଇ ଭାରତ ଭଳି ବିକାଶଶୀଳ ଦେଶମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ଅଧିକ ଲାଭ ସନ୍ଧାନରେ ଆମେରିକାମୁହଁା ହେବାରେ ଲାଗିଛନ୍ତି। ଏହା ହିଁ ହେଉଛି ଟଙ୍କାର ବିନିମୟ ଦୁର୍ବଳତାର କାରଣ।
ମନେ ହେଉଛି ଆମେରିକୀୟ ମୁଦ୍ରା ଡଲାର୍ ସହିତ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ହ୍ରାସ ଅବ୍ୟାହତ ରହି ତାହା ଏବେ ଯେଉଁ ଗୋଟିଏ ଡଲାର୍ ପିଛା ୯୦ ଟଙ୍କା ସୀମାରେଖା ଅତିକ୍ରମ କରିଛି (ଗତ କାଲି ତାହା ଗୋଟିଏ ସମୟରେ ୯୦.୯୦ ଟଙ୍କା ଅତିକ୍ରମ କରିଥିଲା), ଏଣିକି ବୋଧହୁଏ ଊଣାଅଧିକେ ତାହା ହିଁ ଉଭୟ ମୁଦ୍ରା ମଧ୍ୟରେ ବିନିମୟ ହାରର ଏକ ସ୍ଥାୟୀ ସ୍ତରରେ ପରିଣତ ହେବାକୁ ଯାଉଛି। ଅର୍ଥାତ୍ ଡଲାର୍ ସହିତ ବିନିମୟରେ ଟଙ୍କାର ଏହି ଦୁର୍ବଳତା ସମ୍ଭବତଃ ସ୍ଥାୟିତ୍ବ ଲାଭ କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ୍ର ଭଣ୍ଡାରରେ ବର୍ତ୍ତମାନ ଯଥେଷ୍ଟ ଡଲାର୍ ମହଜୁଦ ଥିଲେ ହେଁ, ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଏ ପର୍ଯ୍ୟନ୍ତ ବଜାରରେ ଡଲାର୍ ବିକ୍ରୟ କରି ଅର୍ଥାତ୍ ଡଲାର୍ ଯୋଗାଣରେ ବୃଦ୍ଧି ତଥା ତଦ୍ଦ୍ବାରା ଟଙ୍କା ପ୍ରତି ଚାହିଦାରେ ବୃଦ୍ଧି ଘଟାଇ ଟଙ୍କାର ବିନିମୟ ମୂଲ୍ୟରେ କୃତ୍ରିମ ଭାବରେ ବୃଦ୍ଧି ଘଟାଇବା ଉଦ୍ୟମରୁ ନିବୃତ୍ତ ରହିଛି। କିନ୍ତୁ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟିବା ସହିତ ଏଇଭଳି ପଦକ୍ଷେପ ନେବା ପାଇଁ ଦିନକୁ ଦିନ ରିଜର୍ଭ ବ୍ୟାଙ୍କ୍ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି।
ଏ ସମ୍ବନ୍ଧରେ ଅଧିକ ଆଲୋଚନା କରିବା ପୂର୍ବରୁ ଆମେ ଇତିହାସର ସାହାଯ୍ୟ ନେଇ ଦୂର ଅତୀତରେ ଏକ ଶତାବ୍ଦୀରୁ ଅଧିକ କାଳ ତଳେ ଘଟିଥିବା ଏକ ଅନୁରୂପ ଘଟଣା ଉପରେ ଏକ କ୍ଷିପ୍ର ନଜର ପକାଇବା ବେଶ୍ ଉପଯୋଗୀ ହେବ ବୋଲି ମନେ ହୁଏ। ୧୯୧୪ରେ ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ହେବା ପରେପରେ ବ୍ରିଟେନ୍ ସେ ସମୟରେ ବଳବତ୍ତର ଥିବା ‘ସୁବର୍ଣ୍ଣ ମାନ’ (‘ଗୋଲ୍ଡ ଷ୍ଟାଣ୍ଡାର୍ଡ’) ମୁଦ୍ରା ନୀତି ପରିତ୍ୟାଗ କରିବାକୁ ବାଧ୍ୟ ହେବା ବେଳକୁ ସେ ଦେଶର ମୁଦ୍ରା ପାଉଣ୍ଡ୍ ସହିତ ଡଲାର୍ର ନିର୍ଦ୍ଧାରିତ ବିନିମୟ ହାର ଥିଲା ୧ ପାଉଣ୍ଡ୍= ୪.୮୬ ଡଲାର୍। ୧୯୧୯ରେ ଯୁଦ୍ଧ ଶେଷ ହେବା ପରେ ଦେଖାଗଲା ମୁଦ୍ରା ବଜାରରେ ଡଲାର୍ ତୁଳନାରେ ପାଉଣ୍ଡ୍ର ବିନିମୟ ମୂଲ୍ୟରେ ହ୍ରାସ ଘଟିବାରେ ଲାଗିଛି। ଏହାର ପ୍ରତିକ୍ରିୟାରେ ପାଉଣ୍ଡ୍ର ଏହି ସ୍ଖଳନକୁ ପ୍ରତିହତ କରି ତା’ର ପୂର୍ବ ଗୌରବ ପୁନରୁଦ୍ଧାର କରିବାକୁ ହେଲେ ବ୍ରିଟେନ୍ ପୁଣି ଥରେ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଅବଲମ୍ବନ କରି ପୂର୍ବର ବିନିମୟ ହାର ବଳବତ୍ତର କରିବା ଉଚିତ ବୋଲି ଦାବି ଜୋର୍ ଧରିବାକୁ ଆରମ୍ଭ କଲା। ଅବଶେଷରେ ମହାନ ଅର୍ଥନୀତିଜ୍ଞ କେନ୍ସଙ୍କ ବିରୋଧ ସତ୍ତ୍ବେ ୧୯୨୫ରେ ଅର୍ଥମନ୍ତ୍ରୀ ଚର୍ଚ୍ଚିଲ୍ (ପ୍ରଧାନମନ୍ତ୍ରୀ ଥିଲେ ଷ୍ଟାନ୍ଲି ବାଲ୍ଡ୍ବିନ୍) ଯେତେବେଳେ ବ୍ରିଟେନ୍ରେ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ର ପ୍ରତ୍ୟାବର୍ତ୍ତନ ଓ ପାଉଣ୍ଡ୍ର ଉପରୋକ୍ତ ପୂର୍ବ ବିନିମୟ ହାରର ପୁନଃ ପ୍ରତିଷ୍ଠା ଘୋଷଣା କଲେ, ସେତେବେଳେ ମୁଦ୍ରା ବଜାରରେ ପାଉଣ୍ଡ୍ର ବିନିମୟ ହାର ହୋଇସାରିଥିଲା ୧ ପାଉଣ୍ଡ୍= ୩.୮୦ ଡଲାର୍- ସରକାର-ନିର୍ଦ୍ଧାରିତ ହାର ଠାରୁ ପୂରା ପ୍ରାୟ ୨୨ ଶତାଂଶ କମ୍।
ଏହାର ଫଳସ୍ବରୂପ ବିଦେଶ ବଜାରରେ ବ୍ରିଟେନ୍ର ରପ୍ତାନି ଦ୍ରବ୍ୟ ମହଙ୍ଗା ହୋଇ ପ୍ରତିଯୋଗିତା କ୍ଷମତା ହରାଇବା ବେଳେ ଆମଦାନି ଦ୍ରବ୍ୟ ଶସ୍ତା ହୋଇ ଘରୋଇ ଉତ୍ପାଦନକାରୀମାନଙ୍କ ସ୍ଥିତିକୁ ଟଳମଳ କଲା। ଏଥିଯୋଗୁଁ ରପ୍ତାନି ଶିଳ୍ପରେ ଛଟେଇ ଆରମ୍ଭ ହେବା ସହିତ ଘରୋଇ ଶିଳ୍ପମାନ ନିଜର ପ୍ରତିଯୋଗିତା କ୍ଷମତା ବଜାୟ ରଖିବା ପାଇଁ ମଜୁରିରେ ହ୍ରାସ ଘଟାଇବାକୁ ବାଧ୍ୟ ହେଲେ। ଏଭଳି ବିଭ୍ରାଟ ଦେଖି ନିବେଶକମାନେ ଯେତେବେଳେ ବ୍ରିଟେନ୍ରୁ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ପଳାୟନ କରିବା ଆରମ୍ଭ କଲେ, ‘ବ୍ୟାଙ୍କ୍ ଅଫ୍ ଇଂଲାଣ୍ଡ୍’ ସେତେବେଳେ ସେମାନଙ୍କୁ ପୁଣି ଆକର୍ଷିତ କରିବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇ ଆମେରିକାର ସୁଧ ହାର ଠାରୁ ଅଧିକ କରିଦେଲା। ଏଥର ଋଣ ମହଙ୍ଗା ହେବା ଯୋଗୁଁ ଘରୋଇ ନିବେଶ ବାଧାପ୍ରାପ୍ତ ହେଲା ଓ ଫଳରେ ବେକାରି ବୃଦ୍ଧି ପାଇଲା। ବ୍ରିଟେନ୍ ଶେଷରେ ୧୯୩୧ରେ ତା’ର ସୁବର୍ଣ୍ଣ ଭ୍ରମ ସଦୃଶ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’କୁ ପରିତ୍ୟାଗ କରିବାକୁ ବାଧ୍ୟ ହେଲା; ଏହା ପରେ ପାଉଣ୍ଡ୍ର ବିନିମୟ ମୂଲ୍ୟରେ ସ୍ବାଭାବିକ ହ୍ରାସ ଘଟି ବ୍ରିଟିଶ୍ ରପ୍ତାନିର ପ୍ରତିଯୋଗିତା କ୍ଷମତାରେ ବୃଦ୍ଧି ଘଟିଲା, ଅର୍ଥନୀତି ଚଳଚଞ୍ଚଳ ହୋଇ ମହାଅବପାତରୁ ମୁକୁଳିବାକୁ ଆରମ୍ଭ କଲା।
ଭାରତୀୟ ଟଙ୍କାର ବିନିମୟ ହାରରେ ବର୍ତ୍ତମାନ ଦେଖା ଦେଇଥିବା ସ୍ଖଳନ ଭାରତୀୟ ଅର୍ଥନୀତିର ଦୁର୍ବଳତା ଯୋଗୁଁ ଘଟି ନାହିଁ; ବରଂ ଭାରତୀୟ ଅର୍ଥନୀତି ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପେ ନିଜର ନେତୃସ୍ଥାନ ବଜାୟ ରଖି ଚାଲିଛି। ଭାରତରେ ମୁଦ୍ରାସ୍ଫୀତିକୁ ମଧ୍ୟ ଏବେ ସଂପୂର୍ଣ୍ଣ ରୂପେ ଦମନ କରାଯାଇ ସାରିଛି। ଅସଲରେ ଟଙ୍କାର ବିନିମୟ ହାରରେ ହ୍ରାସର କାରଣ ନିହିତ ଅଛି ଭାରତ ବାହାରେ- ଡଲାର୍ର ଦେଶ ଆମେରିକାରେ।
ଟ୍ରମ୍ପଙ୍କର ସମସ୍ତ ଚାପ ସତ୍ତ୍ବେ ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ (ସଂକ୍ଷେପରେ- ‘ଫେଡ୍’) ତା’ର ନିର୍ଣ୍ଣାୟକ ସୁଧ ହାରରେ ଏ ପର୍ଯ୍ୟନ୍ତ ବିଶେଷ ହ୍ରାସ ଘଟାଇ ନାହିଁ (ଯେଉଁ କାରଣରୁ ଟ୍ରମ୍ପ ‘ଫେଡ୍’ର ଚେଆର୍ମ୍ୟାନ୍ ଜେରେମି ପାୱେଲ୍ଙ୍କ ଉପରେ କ୍ଷୁବ୍ଧ ହୋଇ ତାଙ୍କ ବିରୁଦ୍ଧରେ ଏକ ମିଥ୍ୟା ଆପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି)। ଏହାର କାରଣ ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ସେଠାରେ ମୁଦ୍ରାସ୍ଫୀତି ମୁଣ୍ଡ ଟେକିବାର ଦୃଢ଼ ସମ୍ଭାବନା ରହିଥିବାରୁ, ସୁଧ ହାରରେ ହ୍ରାସ ମୁଦ୍ରାସ୍ଫୀତିକୁ ଇନ୍ଧନ ଯୋଗାଇବ ବୋଲି ‘ଫେଡ୍’ ଆଶଙ୍କା କରୁଛି। ଦ୍ବିତୀୟରେ ଆମେରିକୀୟ ଅର୍ଥନୀତିର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହିଥିବାରୁ ତାକୁ ସହାୟତା ପ୍ରଦାନ ନିମିତ୍ତ ସୁଧ ହାରରେ ହ୍ରାସ ଘଟାଇବାର ଆବଶ୍ୟକତା ନାହିଁ ବୋଲି ‘ଫେଡ୍’ ବିଶ୍ବାସ କରୁଛି। ଉଦାହରଣ ସ୍ବରୂପ ଜାନୁଆରି ୧୦ରେ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ସେଠାରେ ବେକାରିର ଆକାର ଆଶଙ୍କା କରାଯାଉଥିବା ସ୍ତର ଠାରୁ ତଳେ ରହିଛି। ଏଣୁ ନିବେଶକମାନେ ବିଶ୍ବାସ କରୁଛନ୍ତି ଯେ ‘ଫେଡ୍’ ଏବେ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉ ନାହିଁ। ଫଳରେ ସେମାନେ ଆମେରିକାରେ ଉପଲବ୍ଧ ଉଚ୍ଚା ସୁଧ ଦ୍ବାରା ଆକର୍ଷିତ ହୋଇ ଭାରତ ଭଳି ବିକାଶଶୀଳ ଦେଶମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ଅଧିକ ଲାଭ ସନ୍ଧାନରେ ଆମେରିକାମୁହଁା ହେବାରେ ଲାଗିଛନ୍ତି। ଏହା ହିଁ ହେଉଛି ଟଙ୍କାର ବିନିମୟ ଦୁର୍ବଳତାର କାରଣ।
ଭାରତୀୟ ରପ୍ତାନିକାରୀମାନଙ୍କୁ ଅବଶ୍ୟ ଏଇ ଦୁର୍ବଳ ଟଙ୍କା ହୃଷ୍ଟ କରୁଥିବ। ଏଥିଯୋଗୁଁ ବିଦେଶ ବଜାରରେ ସେମାନଙ୍କର ପ୍ରତିଯୋଗିତା କ୍ଷମତାରେ ବୃଦ୍ଧି ଘଟିବା ସହିତ ଟଙ୍କା ଆକାରରେ ସେମାନଙ୍କର ଡଲାର୍ ଆୟରେ ବୃଦ୍ଧି ଘଟିବ। କିନ୍ତୁ ଦୁର୍ବଳ ଟଙ୍କା ଯୋଗୁଁ ଭାରତ ଆମଦାନି କରୁଥିବା ତୈଳ, ସାର, ପୁଞ୍ଜି ଦ୍ରବ୍ୟ, ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଆଦି ମହଙ୍ଗା ହେବ। ଆମକୁ ଏବେ ଏଇ ସତ୍ୟକୁ ସ୍ବୀକାର କରି ଦୁର୍ବଳ ଟଙ୍କାକୁ ଆମର ଏକ ଲଜ୍ଜାଜନକ ଦୁର୍ବଳତା ରୂପେ ବିଚାର ନ କରି, ଆମର ଅର୍ଥନୀତିର ସଂରଚନାରେ ଏପରି ପରିବର୍ତ୍ତନ ଘଟାଇବାକୁ ପଡ଼ିବ ଯେପରି ଆମର ଡଲାର୍ କ୍ଷୁଧାରେ କ୍ରମେ ଏକ ତୀକ୍ଷ୍ଣ ସଂକୋଚନ ଘଟିବ। ଭାରତ ନିଜ ସମ୍ମୁଖରେ ସ୍ଥାପନ କରିଥିବା ଆତ୍ମନିର୍ଭରତା ଲକ୍ଷ୍ୟ ଏ ଦିଗରେ ଏକ ଉପଯୁକ୍ତ ପଦକ୍ଷେପ ହୋଇଥିବା ବେଳେ ଏଥିସହିତ ଆନ୍ତର୍ଜାତିକ ଅର୍ଥନୀତି ସହିତ ସଂପର୍କ ଛିନ୍ନ ନ କରି ଭାରତକୁ ସୁଚିନ୍ତିତ ଭାବରେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହେବାକୁ ପଡ଼ିବ।
ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏ ପର୍ଯ୍ୟନ୍ତ ଆଦର୍ଶ ସଂଯମ ରକ୍ଷା କରି ମୁଦ୍ରା ବଜାରରେ ହସ୍ତକ୍ଷେପ ନ କରି ଟଙ୍କାର ଗତିବିଧି ଉପରେ ନଜର ରଖିଚାଲିଛି। ରିଜର୍ଭ ବ୍ୟାଙ୍କ୍ ନିଶ୍ଚିତ ରୂପେ କୃତ୍ରିମ ଭାବରେ ଟଙ୍କାର ବିନିମୟ ମୂଲ୍ୟକୁ ଉଚ୍ଚା ରଖିବା ଦ୍ବାରା ଉପରେ ବର୍ଣ୍ଣିତ ବ୍ରିଟେନ୍ର ଅନୁଭୂତିର ପୁନରାବୃତ୍ତି ଘଟିବାର ସମ୍ଭାବନା ପ୍ରତି ସତର୍କ ରହିଛି। ତେବେ ଏକ ବିଶାଳ ବୈଦେଶିକ ମୁଦ୍ରା ଭଣ୍ଡାର ସହ ରିଜର୍ଭ ବ୍ୟାଙ୍କ୍ର ଉପସ୍ଥିତି ଟଙ୍କାର ସ୍ଖଳନ ସତ୍ତ୍ବେ କୌଣସି ଛାନିଆ ଭାବର ପ୍ରସାର ଘଟିବାକୁ ଦେଇ ନ ଥାଏ, ଯେଉଁଭଳି ସେ ସମୟରେ ବ୍ରିଟେନ୍ରେ ଦେଖାଯାଇଥିଲା। କାରଣ, ବିଶ୍ବାସ କରାଯାଏ ଯେ ଯଦି ଟଙ୍କାର ସ୍ଖଳନ ନିରାପଦ ସୀମା ଲଂଘନ କରେ, ସେତେବେଳେ ଏଇ ପାଣ୍ଠି ବ୍ୟବହାର କରି ରିଜର୍ଭ ବ୍ୟାଙ୍କ୍ ମୁଦ୍ରା ବଜାରରେ ହସ୍ତକ୍ଷେପ କରିବାକୁ ପଛାଇବ ନାହିଁ।
ସୌଜନ୍ୟ ସମ୍ବାଦ




