
ନବରଙ୍ଗପୁର (ସୁରେଶ ନାଇଡୁ): ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନବରଙ୍ଗପୁର ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପରିସରର ଛାତ୍ରୀନିବାସ ଗତ ୨୦୨୪ ମସିହା ଜୁନ ୨୭ତାରିଖ ଦିନ ଲୋକାର୍ପିତ କରାଯାଇଥିଲା। ଛାତ୍ରୀନିବାସକୁ ଇନ୍ଦ୍ରାବତୀ ଛାତ୍ରୀନିବାସ ଭାବେ ନାମିତ କରାଯାଇଥିଲା। ସେଦିନ ମୁଖ୍ୟଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀଶଙ୍କର ମାଝୀ ଆଦି ଯୋଗ ଦେଇ ନୂଆ ସରକାର ଆରମ୍ଭ ହେଉହେଉ ଏହାକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ଭାଷଣ ମାରିଥିଲେ। ତାଙ୍କ ସରକାର ଛାତ୍ରୀମାନଙ୍କ ପାଠ ପଢ଼ା ପ୍ରତି ଅଧିକା ଗୁରୁତ୍ବ ଦେଉଛନ୍ତି ବୋଲି ବି ଭାଷଣରେ କହିଥିଲେ। ତେବେ ଲୋକାର୍ପଣର ୨୧ମାସ ପରେ ବି ଏହା କାର୍ଯ୍ୟକାରୀ ହୋଇପାରିନି। ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର କୋଣ ଅନୁକୋଣରୁ ପଢ଼ିବାକୁ ଆସୁଥିବା ଛାତ୍ରୀ ମାନେ ନିଜ ଅଯଥା ଖର୍ଚ୍ଚ ବଂଚିଯିବ ବୋଲି ଆଶା କରିଥିଲେ। ସେହି ଆଶା ଫଳବତୀ ହୋଇପାରିନି।
ନବରଙ୍ଗପୁର କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ରେ ୩ହଜାର ୨୦୦ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଥିରେ ୫୫ପ୍ରତିଶତ ଛାତ୍ରୀ ପଢ଼ୁଥିବା ବେଳେ ୪୫ ପ୍ରତିଶତ ଛାତ୍ର ଅଛନ୍ତି। ତେବେ ବହୁ ବର୍ଷରୁ କଲେଜରେ ପୁରୁଣା ଛାତ୍ରନିବାସ ରହିଛି। ଏହା କାର୍ଯ୍ୟକାରୀ ନ ହେବା ପଛରେ ପ୍ରମୁଖ କାରଣ ଛାତ୍ରୀନିବାସକୁ ସ୍ବତନ୍ତ୍ର ପାଚେରୀ ନାହିଁ। ଏହାର ସୁରକ୍ଷା ଦେଖାରେଖାର ଉତ୍ତରଦାୟିତ୍ବ ନେବାକୁ ଭୟ ପ୍ରକାଶ କରୁଛନ୍ତି କଲେଜର ଅଧ୍ୟକ୍ଷ ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା। ବାରମ୍ବାର କଲେଜରୁ ପାଚେରୀ ନିର୍ମାଣ ପାଇଁ ଚିଠି ପୂର୍ତ୍ତ ବିଭାଗ, ଜିଲ୍ଲାପାଳଙ୍କ ନିକଟକୁ ଯାଇଛି। ବିଧାୟକ ନିଜେ ତଦାରଖରେ ଆସିଥିବା ବେଳେ ବି ଜାଣି ଏ ନେଇ ପୂର୍ତ୍ତ ବିଭାଗୀୟ କର୍ମଚାରୀଙ୍କୁ କହିଥିଲେ।
ଏହା ବାଦ୍ ଏଠାରେ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟକରିଥିବା ଏବଂ ଏବେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ମହେଶ୍ବର ନାୟକଙ୍କୁ ବି କଲେଜ ପକ୍ଷରୁ ଅବଗତ କରାଯାଇଥିଲା। ଏହା ପରେ ପୂର୍ତ୍ତବିଭାଗକୁ ସେ ବି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜଣେ ଯନ୍ତ୍ରୀ ଆସି ପାଚେରୀ ନିର୍ମାଣ ପାଇଁ ୫୫କୋଟିର ବ୍ୟୟବରାଦ କରି ଡିପିଆର ପ୍ରସ୍ତୁତ କରି ବିଶ୍ବବିଦ୍ୟାଳୟକୁ ପଠାଇଥିଲେ। ବିଶ୍ବବିଦ୍ୟାଳୟ ଏତେ ଟଙ୍କାର ପାଚେରୀ ପାଇଁ ଅନୁମୋଦନ କରି ସରକାରଙ୍କ ନିକଟକୁ ପଠାଇନି। ଏହି ଛାତ୍ରୀନିବାସ ଆରମ୍ଭର ତିନୋଟି ଶିକ୍ଷାବର୍ଷରେ ଛାତ୍ରୀମାନେ ଏଠାରେ ରହିବାର ସୁଯୋଗରୁ ବଂଚିତ ହୋଇଛନ୍ତି। ଏବେ ଛାତ୍ରୀ ନିବାସର ଚାରିପଟେ ଲଟାବୁଦା। ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଧୁଳି ଓ ମାଟି ପରସ୍ତ ପରସ୍ତ ଜମା ହୋଇ ରହିଛି।
ଅପରପକ୍ଷରେ ସହରରେ ଭଡ଼ା ଘରର ଭଡା ଅଧିକା ଥିବାରୁ ଗ୍ରାମାଂଚଳର ଝିଅମାନେ ଏକାସ୍ଥାନରେ ମେସ୍ କରି ରହୁଛନ୍ତି। ଭଡା ଦେବା ପାଇଁ ପାର୍ଟଟାଇମ୍ କାମ କରିବାକୁ ପଡଚଛି ବୋଲି କହିଛନ୍ତି ଜଣେ ଛାତ୍ରୀ ନିରୁପମା ହରିଜନ। ପାଚେରୀ ନଥିବାରୁ ଛାତ୍ରୀନିବାସର ଅନ୍ତେବାସୀଙ୍କ ସୁରକ୍ଷା ଦାୟିତ୍ବ କିଏ ନେଇ ପାରିବ ବୋଲି କହିଛନ୍ତି ଅଧ୍ୟକ୍ଷ ଡି.ଗୋବିନ୍ଦ ରାଓ। କଲେଜର ଯଦିଓ ପାଚେରୀ ଥିଲେ ହେଁ ଶ୍ରେଣୀଗୃହ ପାର୍ଶ୍ବରେ ଛାତ୍ରୀନିବାସ ଥିବାରୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖାଦେବ ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷ। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଥିବା ବେଳେ ନିଜ ଜିଲ୍ଲାର ଛାତ୍ରୀନିବାସ କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟକାରୀ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।




