uncategories

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ କମାଲ କଲେ ଅନୁତ୍ତମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ସୋନପୁର ୧୮।୭ (ମୃତ୍ୟୁଞ୍ଜୟ ଶତପଥୀ): ଜାତୀୟସ୍ତରର ପ୍ରତିଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସୋନପୁର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ ୭୨୦ ନମ୍ବରରୁ ୬୦୧ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯,୬୬୬ ରାଙ୍କ ହାସଲ କରି ସେ ପରିବାର ସହ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଅନୁତ୍ତମଙ୍କ ପିତା ଭବାନୀ ଶଙ୍କର ପାଣିଗ୍ରାହୀ ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ସ୍ଥିତ ଏସ୍ବିଆଇ ଶାଖାର ପରିଚାଳକ ଥିବାବେଳେ ମାତା ଅରୁନ୍ଧତୀ ପାଣିଗ୍ରାହୀ ଜଣେ ଗୃହିଣୀ। ତାଙ୍କ ଅଜା କୃପାସିନ୍ଧୁ ପାଣିଗ୍ରାହୀ ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ଆଈ ପୁଷ୍ପାଞ୍ଜଳି ପାଣିଗ୍ରାହୀ ଅଟନ୍ତି। ଅନୁତ୍ତମ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ଅର୍ଜନ କରିଥିବାବେଳେ ସେ କୌଣସି କୋଚିଂର ସହାୟତା ନେଇ ନଥିଲେ। ନିଜ ଅଧ୍ୟବସାୟ ଓ ଆତ୍ମବିଶ୍ୱାସକୁ ପାଥେୟ କରି ସେ ପ୍ରତିଦିନ ୬ରୁ ୮ ଘଣ୍ଟା ନିୟମିତ ଅଧ୍ୟୟନ କରୁଥିବା କହିଛନ୍ତି। ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ଅନୁତ୍ତମଙ୍କ ସଫଳତା ଉଲ୍ଲେଖନୀୟ। ସେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭବାନୀପାଟଣାସ୍ଥିତ ବିମଳା କନଭେଣ୍ଟ ସ୍କୁଲରେ ପଢ଼ି ମାଟ୍ରିକ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖିଥିଲେ। ପରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନରେ ୯୫.୬ ପ୍ରତିଶତ ନମ୍ବର ସହ କୃତକାର୍ଯ୍ୟ ହୋଇଥିଲେ। ନିଜର ଏହି ସଫଳତାର ଶ୍ରେୟ ସେ ମାତାପିତା, ଅଜାଆଈ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ନିଷ୍ଠା ଓ କଠିନ ପରିଶ୍ରମ ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଅନୁତ୍ତମଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button