କୋଲକାତା: ଉତ୍ତର-ପୂର୍ବ ଭାରତ ଏବଂ ପୂର୍ବ ଭାରତର ରାଜନୈତିକ ସୀମାକୁ ଏକାଠି କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରକୁ ଏକ ନୂଆ ମୋଡ଼ ଦେଇଛନ୍ତି। ସ୍ଥାନୀୟ ଶାସନ ଅପେକ୍ଷା ଜାତୀୟ ସୁରକ୍ଷା ଏବଂ ସାଂସ୍କୃତିକ ପରିଚୟକୁ ସେ ଅଧିକ ଗୁରୁତ୍ବାରୋପ କରିଛନ୍ତି।
ସୀମା ବାଡ଼ ନିର୍ମାଣରେ ତୃଣମୂଳ କଂଗ୍ରେସର ବାଧାକୁ ହିମନ୍ତ କଡ଼ା ସମାଲୋଚନା କରିବା ସହ ‘ଆସାମ ମଡେଲ୍’ ଲାଗୁ କରିବାକୁ ଆହ୍ବାନ ଦେଇଛନ୍ତି। ଗୋ ମାଂସ ନିଷିଦ୍ଧ ପ୍ରସଙ୍ଗରେ ମଧ୍ୟ ଟିଏମ୍ସି ସରକାରର ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି।। ଗୋ-ଚାଲାଣ ପ୍ରସଙ୍ଗ ଉଠାଇ ହିମନ୍ତ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସରକାର ଆଇନଶୃଙ୍ଖଳା କ୍ଷେତ୍ରରେ ଦୟନୀୟ ଭାବେ ବିଫଳ ହୋଇଛି।
ଆସନ୍ତା ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କରି ଶର୍ମା କହିଛନ୍ତି ଯେ, ପଶ୍ଚିମବଙ୍ଗ-ବାଂଲାଦେଶ ସୀମା ଏବେ ବି ଅସୁରକ୍ଷିତ ରହିଛି, ଯାହାକୁ ତୃଣମୂଳ କଂଗ୍ରେସ ସୁଧାରିବାରେ ବିଫଳ ହୋଇଛି। ମମତା ବାନାର୍ଜୀ ସୀମା ବାଡ଼ ପାଇଁ ଜମି ଅଧିଗ୍ରହଣରେ ବାଧା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।
ଏହାସହ ସେ ଦାବି କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁପ୍ରବେଶକାରୀଙ୍କ ପ୍ରତି ନରମ ଆଭିମୁଖ୍ୟ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇଛି। ଗୋ ମାଂସ ପ୍ରସଙ୍ଗରେ ମମତାଙ୍କ ଅଭିଯୋଗର ଉତ୍ତର ଦେଇ ଶର୍ମା କହିଛନ୍ତି ଯେ ଆସାମ ଏବଂ ବିହାର ଭଳି ବିଜେପି ଶାସିତ ରାଜ୍ୟରେ ଖାଦ୍ୟପେୟ ଉପରେ କୌଣସି କଟକଣା ନାହିଁ, ବରଂ ଗୋ-ଚାଲାଣ ଭଳି ବେଆଇନ କାର୍ଯ୍ୟକୁ ରୋକିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ସୌଜନ୍ୟ ସମ୍ବାଦ

