ବେଜିଂ: ଆମେରିକା ସହ ଚାଲିଥିବା ବିବାଦ ମଧ୍ୟରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ନାଭିଗେସନର ସ୍ୱାଧୀନତା ଏବଂ ନିରାପତ୍ତା ସୁନିଶ୍ଚିତ କରିବାକୁ ଚୀନ୍ ଇରାନକୁ ଆହ୍ବାନ କରିଛି। ବୁଧବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ତାଙ୍କ ଇରାନ ପ୍ରତିପକ୍ଷ ଅବ୍ବାସ ଆରାଘଚିଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ଏହା କହିଛନ୍ତି। ତେହେରାନ୍ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ କରିଡର ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ପରେ ବେଜିଂରୁ ଏହା ପ୍ରଥମ ନିବେଦନ।
ବୁଝାମଣାକୁ ପୁନର୍ଜୀବିତ କରିବା ପାଇଁ କୂଟନୈତିକ ପ୍ରୟାସ ଭିତରେ ଏହା ଘଟିଛି। ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ନେତୃତ୍ୱରେ ଏକ ପାକିସ୍ତାନୀ ପ୍ରତିନିଧି ଦଳ ସେହି ଦିନ ତେହେରାନରେ ପହଞ୍ଚି ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ନେଇ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ୱାଙ୍ଗ୍ ଉଲ୍ଲେଖ କରିଛନ୍ତି ଯେ ବିବାଦ ଓ ଉତ୍ତେଜନା ମଧ୍ୟରେ ପରିସ୍ଥିତି ଏକ ଜଟିଳ ପର୍ଯ୍ୟାୟରେ ଅଛି, ଶାନ୍ତି ପାଇଁ ଏକ ସୁଯୋଗ ସୃଷ୍ଟି ହେଉଛି। ଇରାନର ସାର୍ବଭୌମତ୍ୱ ଓ ନିରାପତ୍ତାକୁ ସମ୍ମାନ ଦିଆଯିବା ଉଚିତ ବୋଲି କହିବା ସହ ସେ ପ୍ରଣାଳୀ ଦେଇ ନିରବଚ୍ଛିନ୍ନ ଅନ୍ତର୍ଜାତୀୟ ନୌପରିବହନ ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହାର ଜବାବରେ ଆରାଘଚି ଆଶା ପ୍ରକାଶ କରିଛନ୍ତି ଯେ ଶାନ୍ତି ସୁଗମ କରିବାରେ ଚୀନ୍ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ ଏବଂ ଆଲୋଚନା ମାଧ୍ୟମରେ ଏକ ଯୁକ୍ତିଯୁକ୍ତ ଓ ବାସ୍ତବବାଦୀ ସମାଧାନ ପାଇଁ ଇରାନ ଖୋଲା ରହିଛି।
ସୌଜନ୍ୟ ସମ୍ବାଦ

