ରାଜ୍ୟ

Food poisoning: ଶ୍ରାଦ୍ଧଭୋଜି ହେଲା କାଳ: ଖାଦ୍ୟ ବିଷକ୍ରିୟାରୁ ୪ ମୃତ, ୧୭ ଅସୁସ୍ଥ

ସୁନ୍ଦରଗଡ଼/ଝାରସୁଗୁଡ଼ା: ସୁନ୍ଦରଗଡ଼ଜିଲ୍ଲା ହେମଗିର ବ୍ଲକ୍‌ ନୂଆଡିହି ଗାଁରେ ଶ୍ରାଦ୍ଧଭୋଜି ଖାଇବା କାଳ ହୋଇଛି। ଖାଦ୍ୟ ବିଷକ୍ରିୟାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ରୁ ଅଧିକ ଗୁରୁତର ଅସୁସ୍ଥ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ନୂଆଡିହିର ମଙ୍ଗଳସାଇ ନାଏକ (୫୫), ରଇବାରୀ ପ୍ରଧାନ (୫୦), ଝାରସୁଗୁଡ଼ା ଜିଲ୍ଲା ସୁନାଖାଏନ ଗାଁର ସୁକାନ୍ତି ଖଡ଼ିଆ (୬୦) ଓ ଉଲ୍ଲାସ ଖଡ଼ିଆ (୪୦)।

ସୂଚନା ଅନୁସାରେ, ନୂଆଡିହି ଗାଁରେ ଶନିବାର ଏକ ଶ୍ରାଦ୍ଧଭୋଜି ଆୟୋଜିତ ହୋଇଥିଲା। ଏଥିରେ ନୂଆଡିହି ସହ ଝାରସୁଗୁଡ଼ା ଲଖନପୁର ବ୍ଲକ୍‌ର ସୁନାଖାଏନ ଗାଁରୁ ଆଦିବାସୀ ଖଡ଼ିଆ ସଂପ୍ରଦାୟର ପ୍ରାୟ ୨୫ ଜଣ ସମ୍ପର୍କୀୟ ଯୋଗ ଦେଇଥିଲେ। ଶ୍ରାଦ୍ଧଭୋଜିରେ ଦିନବେଳା ମାଛ ଭାତ ଓ ରାତିରେ କୁକୁଡ଼ା ମାଂସ ପରଷା ଯାଇଥିଲା। ରାତ୍ରି ଭୋଜନ ପରେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କଠାରେ ଝାଡ଼ାବାନ୍ତି, ପେଟକାଟିବା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ପ୍ରକାଶ ପାଇବା ସହ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଆକ୍ରାନ୍ତ ୧୦ ଜଣଙ୍କୁ ସ୍ଥାନୀୟ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଝାରସୁଗୁଡ଼ା ସୁନାଖାଏନ ଗାଁର ଗୁରୁତରଙ୍କୁ ଝାରସୁଗୁଡ଼ା ଓ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଫକୀର ଖଡ଼ିଆ (୭୦) ଆଇସିୟୁରେ ଥିବାବେଳେ ୧୨ ବର୍ଷୀୟା ରଶ୍ମି ଖଡ଼ିଆ ଓ ୨୩ ମାସର ଅଞ୍ଜେଲିନା ଖଡ଼ିଆ ଶିଶୁ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଖାଦ୍ୟ ବିଷକ୍ରିୟା ଯୋଗୁ ଏଭଳି ଅଘଟଣ ଘଟିଥିବା ସୁନ୍ଦରଗଡ଼ ସିଡିଏମ୍‌ଓ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି। ଗାଁ ଲୋକେ ଗୋଟିଏ ପୋଖରୀ ପାଣି ବ୍ୟବହାର କରୁଥିବାରୁ ପୂରା ଗାଁ ଆକ୍ରାନ୍ତ ଆଶଙ୍କା ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ଦଳ ଗାଁରେ ପହଞ୍ଚି ଚିକିତ୍ସା ଓ କାରଣ ଅନୁସନ୍ଧାନ କରୁଛନ୍ତି।

ମୃତକଙ୍କ ମଧ୍ୟରେ ୩ ମହିଳା
ପୂରା ଗାଁ ଆକ୍ରାନ୍ତ ଆଶଙ୍କା

ଅନ୍ୟପକ୍ଷରେ ଝାରସୁଗୁଡ଼ା ସିଡିଏମ୍‌ଓ ଡାକ୍ତର ଏସ୍.ଏସ୍.ସେଠଙ୍କ ତତ୍ତ୍ବାବଧାନରେ ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋବାୟୋଲୋଜିଷ୍ଟ, ଲ୍ୟାବ୍ ଟେକ୍‌ନିସିଆନ୍, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଆଇଡିଏସ୍‌ପି କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସୁନାଖାଏନ ଗାଁରେ ପହଞ୍ଚିଛନ୍ତି। ସେଠାରେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯିବା ସହ ବ୍ଲିଚିଂ ପାଉଡର, ହାଲୋଜେନ୍ ଟାବଲେଟ୍, ଓଆର୍‌ଏସ୍ ଓ ଆଇଭି ସାଲାଇନ୍ ବଣ୍ଟନ କରାଯାଇ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଏହି ଅଘଟଣ ଦୁଇ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।

ସୌଜନ୍ୟ ସମ୍ବାଦ

Show More
Back to top button