
ସୁନ୍ଦରଗଡ଼,ବିଶ୍ରା(ଦେବ କୁମାର ଦେ):ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜବାଘାଟ ଗ୍ରାମର ଡିଲେଶ୍ୱର ମାହାନ୍ତଙ୍କ ପୁଅ ଅଶୋକ ନାଥ ମାହାନ୍ତ (୧୬)। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ତିନିଟା ସମୟରେ ଅଶୋକ ମୋବାଇଲ ଫୋନ୍ ନେଇ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଏକ ବଣୁଆ ଦନ୍ତା ହାତୀ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ଗୁରୁତର ଭାବରେ ଆହତ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ
ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ସହାୟତା ପ୍ରଦାନ ଦାବିରେ ଆରଏସ କଲୋନୀ ଛକରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବନ୍ଧମୁଣ୍ଡା ପୁଲିସ ଓ ବିଶ୍ରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇଥିଲେ। ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ବର୍ତ୍ତମାନ ପୁଲିସର ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସୌଜନ୍ୟ ସମ୍ବାଦ




