Elon Musk: ଏଲନ ମସ୍କ ଜାଣିଶୁଣି ୟୁକ୍ରେନର ସାମରିକ ଷ୍ଟାରଲିଙ୍କ ନେଟୱାର୍କକୁ ଧିମା କରିଦେଇଥିଲେ: ଡବ୍ଲୁଏସଜେ ରିପୋର୍ଟରେ ଦାବି
ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ସାମରିକ ‘ଷ୍ଟାରଲିଙ୍କ’ ନେଟୱାର୍କକୁ ଜାଣିଶୁଣି ଧିମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପଦକ୍ଷେପ ଯୋଗୁଁ କିଭ୍ର ଚିନ୍ତା ବଢ଼ିଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହାଦ୍ବାରା ଚକିତ ହୋଇଛନ୍ତି...

ୱାସିଂଟନ: ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ସାମରିକ ‘ଷ୍ଟାରଲିଙ୍କ’ ନେଟୱାର୍କକୁ ଜାଣିଶୁଣି ଧିମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପଦକ୍ଷେପ ଯୋଗୁଁ କିଭ୍ର ଚିନ୍ତା ବଢ଼ିଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହାଦ୍ବାରା ଚକିତ ହୋଇଛନ୍ତି ବୋଲି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି। ଏହା ପରେ ଆମେରିକା ସରକାର ମଧ୍ୟ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି।ପୂର୍ବରୁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ୟୁକ୍ରେନ୍ ଦ୍ୱାରା ବ୍ୟବହୃତ ସାମରିକ-ଗ୍ରେଡ୍ ‘ଷ୍ଟାରସିଲ୍ଡ’ ସାଟେଲାଇଟ୍ ନେଟୱାର୍କ ଉପରେ ଆମେରିକା କୌଣସି କଟକଣା କିମ୍ବା ପ୍ରତିବନ୍ଧକ ଲଗାଇଥିବା କଥାକୁ ଅସ୍ୱୀକାର କରିଥିଲେ।
ଯୁଦ୍ଧକ୍ଷେତ୍ରରେ ସେବାର ସୀମାବଦ୍ଧତା ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ସଚିବ ଏହି ମନ୍ତବ୍ୟ ଦେଇଥିଲେ। ଏକ ପ୍ରେସ ବ୍ରିଫିଂ ସମୟରେ ୱାସିଂଟନର ସ୍ଥିତି ସ୍ପଷ୍ଟ କରି ହେଗସେଥ୍ ଜୋର ଦେଇ କହିଥିଲେଯେ ଆମେରିକୀୟ ସେନା ସାଟେଲାଇଟ୍ ସେବାରେ କୌଣସି ପରିବର୍ତ୍ତନ ନିର୍ଦ୍ଦେଶ ଦେଇନାହିଁ। ଆମେ କିଛି ପ୍ରତ୍ୟାହାର କରିନାହୁଁ। ଆମ ଦୃଷ୍ଟିକୋଣରୁ କିଛି ପରିବର୍ତ୍ତନ ହୋଇନାହିଁ। ଆମେ କୌଣସି ନିର୍ଦ୍ଦେଶନାମା କିମ୍ବା ସେପରି କିଛି ଜାରି କରିନାହୁଁ। ଆମେ ନିଶ୍ଚିତ ଭାବରେ ୟୁକ୍ରେନର ସଫଳତା କାମନା କରୁଛୁ ବୋଲି ହେଗସେଥ୍ କହିଥିଲେ।
ଷ୍ଟାରଲିଙ୍କ ପାଖରେ ନିଷ୍ପତ୍ତି ନେବାର ଅଧିକାର ଅଛି: ହେଗସେଥ୍
ହେଗସେଥ୍ କହିଥିଲେ, ଯୋଗାଯୋଗ ବ୍ୟବସ୍ଥାରେ ଯେକୌଣସି କାର୍ଯ୍ୟକ୍ଷମ ପରିବର୍ତ୍ତନ କିମ୍ବା କାର୍ଯ୍ୟଦକ୍ଷତା-ସମ୍ବନ୍ଧୀୟ ସଂଶୋଧନ ସାଟେଲାଇଟ୍ ପ୍ରଦାନକାରୀଙ୍କ ଚୁକ୍ତିନାମା ମଧ୍ୟରେ ଆସିଥାଏ। କିଛି ସେବା ସର୍ତ୍ତାବଳୀ ପାଳନ କରିବାକୁ ପଡିଥାଏ, ଏବଂ ଷ୍ଟାରଲିଙ୍କ ପାଖରେ ଏହି ନିଷ୍ପତ୍ତି ନେବାର ଅଧିକାର ରହିଛି।ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସମାନ ସ୍ପଷ୍ଟୀକରଣ ପ୍ରଦାନ କରି ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଷ୍ଟାରଲିଙ୍କ ସଂଯୋଗୀକରଣରେ ବାଧା ସୃଷ୍ଟି କରିବାରେ ୱାଶିଂଟନର ଭୂମିକାକୁ ଅସ୍ୱୀକାର କରି କହିଥିଲେ, ଷ୍ଟାରଲିଙ୍କ ଏକ ବାଣିଜ୍ୟିକ ଉତ୍ପାଦ ଏବଂ ଏହା ହ୍ୱାଇଟ୍ ହାଉସ୍ ଦ୍ୱାରା ପରିଚାଳିତ ନୁହେଁ। ଷ୍ଟାରସିଲ୍ଡ ଆମେରିକା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ କିନ୍ତୁ ଷ୍ଟାରଲିଙ୍କ ହେଉଛି ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ଦ୍ୱାରା ପରିଚାଳିତ ଏକ ବାଣିଜ୍ୟିକ ସେବା।
ସୌଜନ୍ୟ ସମ୍ବାଦ




