English grammar book: ଦଶମ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି: ଅଭିଯୋଗ ପରେ ହେଲା ୨ଟି ସଂଶୋଧନ, ଆହୁରି ରହିଗଲା ୬ରୁ ଅଧିକ ତ୍ରୁଟି
କେଉଁଠି ବ୍ୟାକରଣଗତ ତ୍ରୁଟି ତ ଆଉ କେଉଁଠି ବନାନଗତ ତ୍ରୁଟି। କିଛି କିଛି ସ୍ଥାନରେ ବ୍ୟବହୃତ ପ୍ରିପୋଜିସନ୍ କ’ଣ ପାଇଁ ବ୍ୟବହାର ହୋଇଛି, ତାହାର ବର୍ଣ୍ଣନା ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ...

କଟକ: କେଉଁଠି ବ୍ୟାକରଣଗତ ତ୍ରୁଟି ତ ଆଉ କେଉଁଠି ବନାନଗତ ତ୍ରୁଟି। କିଛି କିଛି ସ୍ଥାନରେ ବ୍ୟବହୃତ ପ୍ରିପୋଜିସନ୍ କ’ଣ ପାଇଁ ବ୍ୟବହାର ହୋଇଛି, ତାହାର ବର୍ଣ୍ଣନା ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ଏହିପରି ଏକାଧିକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା କଖଡ଼ି ଅଞ୍ଚଳର ଇଂରାଜୀ ଅଧ୍ୟାପକ ଗଣେଶ୍ବର ମହାନ୍ତି ଏଭଳି ଅଭିଯୋଗ ଉଠାଇଥିବା ବେଳେ ଏ ସଂକ୍ରାନ୍ତରେ ସେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗ ପରେ ବୋର୍ଡ ପକ୍ଷରୁ ମାତ୍ର ଦୁଇଟି ତ୍ରୁଟିକୁ ସଂଶୋଧନ କରାଯାଇଥିବା ବେଳେ ଅବଶିଷ୍ଟ ତ୍ରୁଟିକୁ ବୋର୍ଡ କର୍ତ୍ତୃପକ୍ଷ ହେୟଜ୍ଞାନ କରିଥିବା ଶ୍ରୀ ମହାନ୍ତି କହିଛନ୍ତି।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୨୦୨୩ରୁ ପ୍ରଚଳିତ ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ପୁସ୍ତକରେ ୮ରୁ ଅଧିକ ସ୍ଥାନରେ ତ୍ରୁଟି ରହିଥିବା ଅଧ୍ୟାପକ ଗଣେଶ୍ବର ମହାନ୍ତି ଜାଣିବାକୁ ପାଇଥିଲେ। ଦଶମ ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା-୫ରେ ‘ଆଇ ୱାଜ୍ ଷ୍ଟଡିଂ ଇନ୍ ଆଇଏକ୍ସ ଲାଷ୍ଟ ଇୟର’ ଲେଖାଯାଇଛି। ‘ଲାଷ୍ଟ ଇୟର’ ରହିଲେ, ବାକ୍ୟଟି ସିମ୍ପୁଲ୍ ପାଷ୍ଟ୍ ହେବା କଥା, କିନ୍ତୁ ଏହି ବାକ୍ୟଟି ପାଷ୍ଟ ପ୍ରୋଗ୍ରେସିଭ୍ରେ ରହିଛି। ଏହା ଏକ ଭୁଲ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବ୍ୟାକରଣ ବହିର ପୃଷ୍ଠା-୩୩ ରେ ଏକ ଉଦାହରଣରେ ‘ଟୁ ଏର୍ ଇଜ୍ ହ୍ୟୁମାନ ଟୁ ଫର୍ଗିଭ୍ ଡିଭାଇନ୍’ ଲେଖାଯାଇଛି। ବାସ୍ତବରେ ‘ଟୁ ଏର୍ ଇଜ୍ ହ୍ୟୁମାନ ଟୁ ଫର୍ଗିଭ୍ ଇଜ୍ ଡିଭାଇନ୍’ ହେବା କଥା। ଏହିପରି ଦଶମ ବ୍ୟାକରଣ ବହିର ଏକାଧିକ ସ୍ଥାନରେ ତ୍ରୁଟି ରହିଛି।
ଏନେଇ ଶ୍ରୀ ମହାନ୍ତି ବୋର୍ଡର ତତ୍କାଳୀନ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପରେ ସେଥିରୁ ମାତ୍ର ଦୁଇଟି ତ୍ରୁଟିକୁ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧନ କରି ବ୍ୟାକରଣ ବହିର ନୂତନ ସଂସ୍କରଣ ପ୍ରକାଶ କରିଛନ୍ତି। ଅବଶିଷ୍ଟ ତ୍ରୁଟିଗୁଡ଼ିକ ବ୍ୟାକରଣ ବହିରେ ପୂର୍ବପରି ରହିଛି। ଏସଂକ୍ରାନ୍ତରେ ଅଧ୍ୟାପକ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି ରହିଲେ, ଆମ ପିଲାମାନଙ୍କ ଇଂରାଜୀ ମୂଳଦୁଆ ଦୁର୍ବଳ ହେବ। ସେମାନେ ଭବିଷ୍ୟତରେ ସର୍ବଭାରତୀୟ ପରୀକ୍ଷା ଦେବା ସମୟରେ ଅସୁବିଧାରେ ପଡ଼ିବେ। ଏଥି ପାଇଁ ଦଶମ ବ୍ୟାକରଣ ବହିରେ ଥିବା ତ୍ରୁଟି ସଂଶୋଧନ କରିବା ସହ ଆଗକୁ କୌଣସି ବହି ପ୍ରକାଶ କରିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ଯଥେଷ୍ଟ ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




