Ethanol: ରୋଷେଇଘରେ ପଶିବ ଇଥାନଲ୍: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍ରୁ ବାହାରିବ ତେଲ
ଇଥାନଲ୍ ମିଶା ଇ୨୦ ପେଟ୍ରୋଲ୍କୁ ନେଇ ଲୋକମାନଙ୍କ ମନରୁ ଚିନ୍ତା ଦୂର ହୋଇନାହିଁ। ଇଥାନଲ୍କୁ ଦୈନନ୍ଦିନ ଜୀବନର ଆଉ ଏକ ବଡ଼ କାମରେ ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି।

ନୂଆଦିଲ୍ଲୀ: ଇଥାନଲ୍ ମିଶା ଇ୨୦ ପେଟ୍ରୋଲ୍କୁ ନେଇ ଲୋକମାନଙ୍କ ମନରୁ ଚିନ୍ତା ଦୂର ହୋଇନାହିଁ। ଇଥାନଲ୍କୁ ଦୈନନ୍ଦିନ ଜୀବନର ଆଉ ଏକ ବଡ଼ କାମରେ ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି। ଏହି ଇନ୍ଧନ କେବଳ ଯାନବାହନ ଭିତରେ ସୀମିତ ରହିବନି, ଆଗାମୀ ଦିନରେ ରୋଷେଇଘରେ ପ୍ରବେଶ କରିବ। ଇଥାନଲ୍କୁ ଜାଳେଣି ଇନ୍ଧନ ଭାବେ ବ୍ୟବହାର କରିବା ନିମନ୍ତେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଫ୍ରେମ୍ୱର୍କ ପ୍ରସ୍ତୁତ କରୁଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ତାହାର ରୂପରେଖ ଚୂଡ଼ାନ୍ତ ହେବା ଆଶା କରାଯାଉଛି। ବର୍ତ୍ତମାନ ଦେଶରେ ବର୍ଷକୁ ୨୦୦୦ କୋଟି ଲିଟର ଇଥାନଲ୍ ଉତ୍ପାଦନ ହେଉଛି। ପେଟ୍ରୋଲ୍ରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ସେଥିରୁ ଅତି ବେଶୀରେ ୧୧୦୦ କୋଟି ଲିଟର ଇଥାନଲ୍ ବ୍ୟବହାର ହେଉଛି। ମଦ ପ୍ରସ୍ତୁତି, ଔଷଧ ଓ ରସାୟନ ଶିଳ୍ପରେ ଆଉ ୩୫୦ କୋଟି ଲିଟର ଇଥାନଲ୍ ବ୍ୟବହାର ହେଉଛି। ଅର୍ଥାତ ବର୍ଷକୁ ପାଖାପାଖି ୬୦୦ କୋଟି ଲିଟର ଇଥାନଲ୍ ବଳକା ରହୁଛି। ତାହାକୁ ରୋଷେଇଘର ଜାଳେଣି ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି।




