ଲଣ୍ଡନ, ୨୧/୩: ଏସୀୟ କ୍ରିକେଟ୍ ଦଳଗୁଡ଼ିକୁ ନେଇ ଆୟୋଜନ ହେଉଥିବା ଏସିଆ କପ୍ ପରି ୟୁରୋପରେ ମଧ୍ୟ ଏକ ସମାନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରାଯାଉଛି। ଏହାକୁ କୁହାଯାଉଛି ‘ୟୁରୋ ନେସନ୍ସ କପ୍’ ଓ ଏହାର ପ୍ରଥମ ସଂସ୍କରଣ ୨୦୨୭ ଋତୁରେ ଆୟୋଜନ ହେବ। ଏଥିରେ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ନେଦରଲାଣ୍ଡସ ଓ ଇଟାଲି ପ୍ରଭୃତି ୟୁରୋପୀୟ ଦଳ ଅଂଶଗ୍ରହଣ କରିବେ। ଉଭୟ ମହିଳା ଓ ପୁରୁଷ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ ହେବ।
ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଉଦ୍ୟମ
ଏସିଆ କପ୍ କ୍ରିକେଟ୍ ଓ ୟୁରୋକପ୍ ଫୁଟବଲ୍ ଢାଞ୍ଚାରେ ପରିକଳ୍ପନା କରାଯାଇଥିବା ଏହି ଅନ୍ତର୍ମହାଦେଶୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଉଦ୍ୟମ କରାଯାଉଛି। ବୋର୍ଡର ମୁଖ୍ୟ ବ୍ରାୟାନ ମାକ୍ନାଇସ୍ କହିଛନ୍ତି ଯେ ଏହି ପରିକଳ୍ପନା ଧୀରେ ଧୀରେ ସାକାର ହେବା ଆରମ୍ଭ କରିଛି ଓ ସବୁକିଛି ଠିକ୍ ଚାଲିଲେ ଆସନ୍ତା ୨୦୨୭ରୁ ଏହା ଆରମ୍ଭ ହୋଇପାରେ। ଏହାର ଫର୍ମାଟ୍ ଓ ଅନ୍ୟାନ୍ୟ ରୂପରେଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ କରାଯିବ।
ସୌଜନ୍ୟ ସମ୍ବାଦ