Farmer: ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଧାନମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ଅସହଯୋଗ ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ୍ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ଵସ୍ଥ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର ସକାଳେ ଅବରୋଧ କରିଛନ୍ତି

ତିହିଡି଼: ଧାନମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ଅସହଯୋଗ ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ୍ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ଵସ୍ଥ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର ସକାଳେ ଅବରୋଧ କରିଛନ୍ତି l
ଚାରିତରଫ ସମିତି ମଣ୍ଡିରେ ୭୨୦ଜଣ ପଞ୍ଜୀକୃତ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୫୨ ଜଣ ଚାଷୀ ଏଯାବତ୍ ଧାନ ବିକ୍ରି କରି ପାରିନାହାନ୍ତି l ମଣ୍ଡି ସହ ୨ଟି ଧାନକଳ ଅନୁବନ୍ଧିତ ହୋଇଛି। କିନ୍ତୁ ଗତ ୧୫ଦିନ ମଧ୍ୟରେ ସେମାନେ ଆଦୌ ଧାନ ଉଠାଇ ନାହାନ୍ତି l ମଣ୍ଡି ସାମ୍ନାରେ ଖରା, କାକରରେ ୮ହଜାର କ୍ବିଣ୍ଟାଲ୍ରୁ ଊର୍ଦ୍ଧ୍ୱ ଧାନବସ୍ତା ପଡ଼ି ରହିଛି l ସମିତିକୁ ମିଳିଥିବା ଟାର୍ଗେଟ ପୂରଣ ହୋଇସାରିଥିବା ବେଳେ ଅଧିକ ୮ହଜାର କୁଇଣ୍ଟାଲ ଟାର୍ଗେଟର ଆବଶ୍ୟକତା ଥିଲେ ମଧ୍ୟ ତାହା ପୂରଣ କରାଯାଉ ନାହିଁ l ଏପରି ଅବ୍ୟବସ୍ଥା ଯୋଗୁ ମଣ୍ଡିକୁ ଧାନ ଦେଇ ଚାଷୀମାନେ ମଧ୍ୟ ପ୍ରାପ୍ୟ ପାଇ ପାରିନାହାନ୍ତି l ତେବେ ସମିତି ସଭାପତି, କର୍ମକର୍ତ୍ତା ଓ ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ତେବେ କୌଣସି ସୁଫଳ ନମିଳିବାରୁ ସେମାନେ ରାସ୍ତା ରୋକପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ରାସ୍ତା ଅବରୋଧର ୩ ଘଣ୍ଟା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତୀଶ ସାମଲ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ l
ସମିତି ସଭାପତି ବସନ୍ତ କୁମାର ନାୟକ, ଚାଷୀ ନେତା ମୁକ୍ତିକାନ୍ତ ନାୟକ, ରାଜନଗର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ବିଚିତ୍ର ବଳ, ସନ୍ଥ ଚରଣ ବିଶ୍ୱାଳ ପ୍ରମୁଖ ମଣ୍ଡିରେଥିବା ସମସ୍ୟା ଉପସ୍ଥାପନ କରିଥିଲେ l ଆଲୋଚନା ବେଳେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ସମିତି ସମ୍ପାଦକ ମନୋରଞ୍ଜନ ବଳ, ପୂର୍ବତନ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପ୍ରଭାତ ବିଶ୍ୱାଳ, ସନାତନ ବାରିକ, ସୁବାସ ସ୍ୱାଇଁଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ l ତହସିଲଦାର ଆଚାର୍ଯ୍ୟ ଶୁକ୍ରବାର ୨ଟି ଓ ଅନ୍ୟଦିନରେ ଗୋଟିଏ ଲେଖାଏଁ ବଡ଼ ଟ୍ରକ ଯୋଗାଇ ଧାନବସ୍ତା ଉଠାଯିବା ଓ ଅଧିକ ଟାର୍ଗେଟ ଦିୖଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l
ସୌଜନ୍ୟ ସମ୍ବାଦ




