ମହାନଗର

Female Banjara gang: ପୁଲିସ ପଞ୍ଝାରେ ମହିଳା ବଞ୍ଜାରା ଗ୍ୟାଙ୍ଗ୍: ଜାମିନ ପାଇଁ ବାଟ ଫିଟାଉଛନ୍ତି ସହଯୋଗୀ

ନିକଟରେ ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଉଥିବା ବଞ୍ଜାରା ଗ୍ୟାଙ୍ଗ୍‌ଙ୍କୁ ଗିରଫ କରିଥିଲା ନୂଆପଲ୍ଲୀ ଥାନା ପୁଲିସ। ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ୍‌ରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମହାରାଷ୍ଟ୍ରର ୮ ମହିଳା ଲୁଟେରାଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ବର: ନିକଟରେ ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଉଥିବା ବଞ୍ଜାରା ଗ୍ୟାଙ୍ଗ୍‌ଙ୍କୁ ଗିରଫ କରିଥିଲା ନୂଆପଲ୍ଲୀ ଥାନା ପୁଲିସ। ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ୍‌ରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମହାରାଷ୍ଟ୍ରର ୮ ମହିଳା ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ଜଲଗାଁଓର ମଙ୍ଗଳା ଅଶୋକ ହଟାଗଡ଼େ, ମୀନ ସିନ୍ଦେ, ରେଣୁ ଲୋଣ୍ଡେ, ନାନୁ ପତ୍ରେ, ରାଣୀ ବିଶେ, ସପନା ପତ୍ରେ, ରତ୍ନା ଲୋଣ୍ଡେ ଓ ଚକୋଲି ଲୋଣ୍ଡେ। ସେମାନଙ୍କ ନିକଟରୁ ୧୦ଟି ମୋବାଇଲ୍ ଜବତ କରାଯାଇଛି। ଏହି ମହିଳା ଲୁଟେରା ଗ୍ୟାଙ୍ଗ୍ ପ୍ରାୟ ୨ ସପ୍ତାହ ହେଲା ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ଏକ ବସ୍ତି ଅଞ୍ଚଳରେ ଡେରା ପକାଇଥିଲେ। ରଥଯାତ୍ରାରେ ରାଜଧାନୀରେ ଲୁଟ୍‌ପାଟ୍ କରିବାକୁ ଆସିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାନୁସାରେ, ଆଜି ସକାଳେ ସିଆର୍‌ପି ଛକସ୍ଥିତ ଆମ ବସ୍ ଷ୍ଟପେଜ୍‌ରେ ୨ଜଣ ମହିଳା ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ସେମାନଙ୍କ ହାବଭାବରେ ଅସଙ୍ଗତି ଲକ୍ଷ୍ୟ କରି କିଛି ଲୋକ ପୁଲିସକୁ ଫୋନ୍ କରିଥିଲେ। ଖବର ପାଇ ପୁଲିସ ଉଭୟ ମହିଳାଙ୍କୁ ଥାନାକୁ ନେଇ ପଚରାଉଚରା କରିବାରୁ ସେମାନଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ୬ଟି ଚୋରା ମୋବାଇଲ୍ ଜବତ ହୋଇଥିଲା। ପରେ ଉଭୟ ମହିଳାଙ୍କ ସୂଚନା ଆଧାରରେ ପୁଲିସ ମାଷ୍ଟରକ୍ୟାଣ୍ଟିନସ୍ଥିତ ବସ୍ତିରେ ଚଢ଼ଉ କରି ଅନ୍ୟ ୬ ମହିଳାଙ୍କୁ ଗିରଫ କରିବା ସହିତ ଆଉ ୪ଟି ଚୋରା ମୋବାଇଲ୍ ଜବତ କରିଥିଲା। ଅପରପକ୍ଷେ, ଏହି ଗ୍ୟାଙ୍ଗ୍‌ର ଏକାଧିକ ସଦସ୍ୟାଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଲୁଟ୍‌ପାଟ୍ ଭଳି ମାମଲା ଥିବା ପୁଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟ ରାଜ୍ୟ ବାହାରେ ରହି ଏହାର ମଙ୍ଗ ଧରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଆହୁରି କହିଛି ଯେ ବଞ୍ଜାରା ଗ୍ୟାଙ୍ଗ୍ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟ ବ୍ୟତୀତ ବାଂଲାଦେଶରେ ଚୋରି ମୋବାଇଲ୍ ବିକ୍ରି କରୁଛନ୍ତି। ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଜାମିନ ପାଇଁ ବାଟ ଫିଟାଉଛନ୍ତି ସହଯୋଗୀ
ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଏହି ବଞ୍ଜାରା ଗ୍ୟାଙ୍ଗ୍‌ର ସଦସ୍ୟ କେବଳ ଲୁଟ୍‌ପାଟ୍ ନୁହେଁ ବରଂ ସେମାନେ ଗିରଫଦାରୀ ହେବା ପରେ କେମିତି ଜାମିନରେ ମୁକୁଳିବେ ସେ ନେଇ ପ୍ରସ୍ତୁତ ଥିବା ଜାଣିବାକୁ ପାଇଛି। ଗ୍ୟାଙ୍ଗ୍‌ର ମହିଳାମାନେ ଭିଡ଼ ଅଞ୍ଚଳରୁ ଲୁଟ୍‌ପାଟ୍ କରୁଥିବା ବେଳେ ତାଙ୍କ ସହଯୋଗୀ ସେଠାରେ ରହି ପୁଲିସର ଗତିବିଧି ବାବଦରେ ସେମାନଙ୍କୁ ଖବର ଦେଉଥିଲେ। ପୁଲିସ ଧରିବା ପୂର୍ବରୁ ଲୁଟେରାମାନେ ଲୁଟ୍ ସାମଗ୍ରୀ ଏହି ସହଯୋଗୀଙ୍କ ଜରିଆରେ ବାହାରକୁ ପଠାଇ ଦେଉଥିଲେ। ଏହା ପରେ ଗିରଫଦାରୀ ହେଲେ ସଙ୍ଗେ ସଙ୍ଗେ ବାହାରେ ଥିବା ସହଯୋଗୀ କୋର୍ଟରେ ଜାମିନ ଆବେଦନ କରାଇବା ସହିତ ମୁକୁଳିବାକୁ ବ୍ୟବସ୍ଥା କରାଉଛନ୍ତି। ତେଣୁ ଅଭିଯୁକ୍ତମାନେ ଗିରଫ ହେବା ପରେ ଜାମିନ କଥା ପୂର୍ବରୁ ଜାଣିଥିବାରୁ ପୁଲିସକୁ ତଦନ୍ତରେ ସହଯୋଗ କରୁନାହାନ୍ତି। ଯେଉଁଥିପାଇଁ ପୁଲିସ ଚୋରି ସାମଗ୍ରୀ ଜବତ କରିବାରେ ବିଫଳ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button