ଚେନ୍ନାଇ/କୋଲକାତା: ତାମିଲନାଡ଼ୁରେ ସମସ୍ତ ୨୩୪ ବିଧାନସଭା ଆସନ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ବିନା ବାଧାରେ ଓ ସୁରୁଖୁରୁରେ ମତଦାନ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ତାମିଲନାଡ଼ୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ନିର୍ବାଚନୀ ପ୍ରସ୍ତୁତି ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ମୋଟ୍ ୭୫,୦୬୪ ମତଦାନ କେନ୍ଦ୍ର ସ୍ଥାପନ ହୋଇଛି। ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ୮,୩୦୦୦ ପୁଲିସ ମୁତୟନ ହୋଇଛନ୍ତି। ରାଜ୍ୟରେ ମୋଟ୍ ୫,୬୭,୦୭,୩୮୦ ଭୋଟରଙ୍କ ମଧ୍ୟରୁ ୨,୮୯,୬୦,୮୩୮ ମହିଳା ଓ ୨,୭୭,୩୮,୯୨୫ ଜଣ ପୁରୁଷ।
୧୪.୫ ଲକ୍ଷ ଭୋଟର ପ୍ରଥମ ଥର ଭୋଟ୍ ଦେବେ। ୫,୦୪୯ଟି ବୁଥ୍ ରହୁଥିବା ୩,୦୨୫ ସ୍ଥାନକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି। ତାମିଲନାଡ଼ୁରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ଡିଏମ୍କେ ନେତୃତ୍ବାଧୀନ ମେଣ୍ଟ, ଏଆଇଏଡିଏମ୍କେ ନେତୃତ୍ବାଧୀନ ଏନ୍ଡିଏ ଏବଂ ଅଭିନେତା ବିଜୟଙ୍କ ଟିଭିକେ ପାର୍ଟି ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପାଇଁ ଉଦ୍ୟମ କରୁଥିବାବେଳେ ଏଆଇଏଡିଏମ୍କେ ଏଥର କ୍ଷମତାକୁ ଆସିବାପାଇଁ ଚେଷ୍ଟା ଜାରି ରଖିଛି। ବିଜୟଙ୍କ ତାମିଲଗା ଭେଟ୍ରି କାଜାଗମ୍ ନିର୍ବାଚନୀ ଡେବ୍ୟୁ କରିଥିବାବେଳେ ନାମ୍ ତାମିଲର୍ କାଚି ଦଳର ସିମନ ଲଗାତାର ଏକାକୀ ନିର୍ବାଚନ ଲଢ଼ୁଛନ୍ତି। ଏସ୍ ରାମଦାସ ବହିଷ୍କୃତ ଏଆଇଏଡିଏମ୍କେ ନେତା ଭିକେ ଶଶିକଳାଙ୍କ ସହ ହାତ ମିଳାଇଛନ୍ତି।
ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୧୫୨ ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୪୭୮ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟରେ ୪୪,୩୭୬ ବୁଥ୍ରେ ମତଦାନ ହେବ। ୫,୪୪୪ ବୁଥ୍ ମହିଳାଙ୍କ ଦ୍ବାରା ପରିଚାଳିତ ହେବ ଏବଂ ୨୦୭ ମଡେଲ ବୁଥ୍ ସ୍ଥାପନ ହୋଇଛି। ଏଥିସହ ୩ ହଜାର ଅତିରିକ୍ତ ବୁଥ୍ ସ୍ଥାପନ ହୋଇଛି। ପଶ୍ଚିମବଙ୍ଗରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ହାଇପ୍ରୋଫାଇଲ ନନ୍ଦିଗ୍ରାମ, ଦାର୍ଜିଲିଂ, ସିଲିଗୁଡ଼ି, ଜଲପାଇଗୁଡ଼ି ଓ କୁଚବିହାରରେ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଉତ୍ତରବଙ୍ଗ ଉପରେ ମୁଖ୍ୟ ଫୋକସ୍ ରହିବ। ଏହି ଅଞ୍ଚଳରେ ମୋଟ୍ ୫୪ଟି ଆସନ ଥିବାବେଳେ ସମସ୍ତ ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ନନ୍ଦିଗ୍ରାମ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଟିଏମ୍ସିର ପବିତ୍ର କରଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଶୁଭେନ୍ଦୁ ୨୦୨୧ରେ ଉକ୍ତ ଆସନରେ ମମତାଙ୍କୁ ହରାଇଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ପ୍ରାୟ ୮୦ ଆସନରେ ଟିଏମ୍ସି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେଉଛି।
ସୌଜନ୍ୟ ସମ୍ବାଦ

