ଜିଲ୍ଲାରାଜ୍ୟ

ଆହୁରି ଅଧିକ କଷ୍ଟ ପାଇବେ ଚାଷୀ: ରବିରେ ଟୋକନ୍‌ କ୍ଷମତା ୧୩୦ରୁ ୭୫ କ୍ବିଣ୍ଟାଲକୁ ହ୍ରାସ

ସମ୍ବଲପୁର: ଚଳିତ ବର୍ଷ ରବି ଧାନର ଟୋକନ୍‌ କ୍ଷମତା ୧୩୦ କ୍ବିଣ୍ଟାଲରୁ ୭୫ କ୍ବିଣ୍ଟାଲକୁ ହ୍ରାସ ପାଇଥିବା ସୂଚନା ଦେଇଛି ଯୋଗାଣ ବିଭାଗ। ଏଥିସହିତ ରାସାୟନିକ ସାର ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଅର୍ଥାତ୍‌ ପ୍ୟାକ୍ସରେ ୬୦% ଏବଂ ଖୋଲା ବଜାରରେ ୪୦% ସାର ବିକ୍ରି ହୋଇପାରିବ। ସାର କ୍ରୟ ପାଇଁ ଜମିପଟ୍ଟା କିମ୍ବା ଜମି ମାଲିକଙ୍କ ଅନୁମତିକୁ ବାଧ୍ୟତାମୂଳକ କରାଯାଇଥିବା କହିଛି କୃଷି ବିଭାଗ। ଏଥି ଯୋଗୁଁ ଭାଗଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବରଗଡ଼ରେ ରବିରେ ୭୫ କ୍ବିଣ୍ଟାଲର ଟୋକନ୍‌ ଜାରିକୁ ନେଇ ତାତିଛି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି। କାରଣ ବରଗଡ଼ର ଏ ଫର୍ମୁଲା ସମ୍ବଲପୁର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ ହେବା ସ୍ପଷ୍ଟ ଅଟେ। ସୂଚନା ଅନୁଯାୟୀ, ରବିରେ କମ୍‌ ଚାଷ ଏବଂ ଅଧିକ ଉତ୍ପାଦନ ଥାଏ। ବର୍ଷା ଆସୁଥିବାରୁ ୧୫ରୁ ୨୦ ଦିନ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଏ। ଏକର ପିଛା ୨୬ କ୍ବିଣ୍ଟାଲ ଧାନ ସଂଗ୍ରହ ହିସାବରେ ଗୋଟିଏ ଟୋକନ୍‌ କ୍ଷମତା ୧୩୦ କ୍ବିଣ୍ଟାଲ ରହିଥାଏ।

ସାର କ୍ରୟ ପାଇଁ ପଟ୍ଟା କିମ୍ବା ଜମି ମାଲିକଙ୍କ ଅନୁମତି ବାଧ୍ୟ

ଫଳରେ ୫ ଏକରରୁ କମ୍‌ ଚାଷଜମି ଥିବା ଚାଷୀ ଗୋଟିଏ ଟୋକନ୍‌ ଜରିଆରେ ଥରକରେ ଧାନ ବିକ୍ରି କରିପାରିଥାଏ। ଚଳିତ ବର୍ଷ ଟୋକନ୍‌ କ୍ଷମତା ହ୍ରାସ ଫଳରେ ଛୋଟରୁ ବଡ଼ ସବୁ ଚାଷୀଙ୍କୁ ଅଧିକ ଟୋକନ୍‌ର ଆବଶ୍ୟକତା ପଡ଼ିବ। ଧାନ ବିକ୍ରି ପ୍ରକ୍ରିୟା ବିଳମ୍ବିତ ଓ ଅନିଶ୍ଚିତ ହେବ। କିଛିଦିନ ପରେ ବର୍ଷାଋତୁ ଆରମ୍ଭ ହୋଇ ଯାଉଥିବାରୁ ଚାଷୀର ଧାନ ନଷ୍ଟ ହୋଇଯିବା ନେଇ ଆଶଙ୍କା କରିଛନ୍ତି। ଖରିଫରେ ଯେଉଁଭଳି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟୋକନ୍‌ ଆସିଲା ନାହିଁ, ରବିରେ ସେଭଳି ସମସ୍ୟା ନେଇ ଆଶଙ୍କା କରାଯାଉଛି। ଚଳିତ ବର୍ଷ ରବିରେ ଧାନ ବିକ୍ରି ପାଇଁ ୧୯ ହଜାର ୧୧୩ ଚାଷୀ ପଞ୍ଜୀକୃତ ହୋଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button