ଓଡିଶା

Former: ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କାଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ....

କଟକ/ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କାଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା, ପରେ କଂଗ୍ରେସ ଭବନ ଓ ବାଣୀବିହାରସ୍ଥିତ ସତ୍‌ସଙ୍ଗ ବିହାରକୁ ନିଆଯାଇଥିଲା। ସେଠାରୁ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ କଟକ ସଦର ବ୍ଲକ୍‌ ଅନ୍ତର୍ଗତ ଅରଡ଼ ଗ୍ରାମକୁ ଅଣାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

୧୯୩୯ ମସିହା ମାର୍ଚ୍ଚ ୨ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତଲେଙ୍କା ୧୯୫୭ରେ କଂଗ୍ରେସ ସେବା ଦଳର ସଦସ୍ୟତା ଗ୍ରହଣ କରିଥିଲେ। ୧୯୭୧ରେ ଭାରତୀୟ ଜାତୀୟ କଂଗ୍ରେସ (ଆର୍‌) ତରଫରୁ ପ୍ରଥମ ଥର ସେ ଚୌଦ୍ବାରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ରେ ହୋଇଥିବା ନିର୍ବାଚନରେ ସେ ପୁଣି ବିଧାୟକ ପଦ ବଜାୟ ରଖିଥିଲେ। ୧୯୮୦ରେ ଚୌଦ୍ବାରରୁ ସେ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ବ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୮୮ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳମନ୍ତ୍ରୀ ଓ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ ମସିହାରେ ପୁଣି ଥରେ ଚୌଦ୍ବାରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗିରିଧର ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ପୂର୍ତ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ ମସିହା ପରଠାରୁ ସେ ଧୀରେ ଧୀରେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ।

ସ୍ବର୍ଗତ ଲେଙ୍କାଙ୍କ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରୀଗଣ ଓ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ବର୍ଗତ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କ ପାର୍ଥିବ ଶରୀର କଂଗ୍ରେସ ଭବନରେ ପହଞ୍ଚିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଦଳୀୟ ପତାକା ଓ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ସୁରେଶ ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ସିପ୍ରା ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button