ଓଡିଶାବିଶେଷ

Four men: ଚାରି ପୁରୁଷ ଧରି ପ୍ରସ୍ତୁତ କରୁଛନ୍ତି ଚାନ୍ଦୁଆ

ଚାନ୍ଦୁଆ ପାଇଁ ବୌଦ୍ଧ ସହର ଅନ୍ତର୍ଗତ ବୁଟୁପାଲିର ବେଶ୍ ସୁନାମ ରହିଛି। କେହି କେହି ଏହାକୁ ପଶ୍ଚିମ ଓଡ଼ିଶାର ପିପିଲି ମଧ୍ୟ କହିଥାନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡ଼ୋଶୀ ଜିଲ୍ଲା ନୟାଗଡ଼....

ବୌଦ୍ଧ: ଚାନ୍ଦୁଆ ପାଇଁ ବୌଦ୍ଧ ସହର ଅନ୍ତର୍ଗତ ବୁଟୁପାଲିର ବେଶ୍ ସୁନାମ ରହିଛି। କେହି କେହି ଏହାକୁ ପଶ୍ଚିମ ଓଡ଼ିଶାର ପିପିଲି ମଧ୍ୟ କହିଥାନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡ଼ୋଶୀ ଜିଲ୍ଲା ନୟାଗଡ଼, କନ୍ଧମାଳ, ଅନୁଗୁଳରେ ମଧ୍ୟ ବୁଟୁପାଲି ଚାନ୍ଦୁଆର ଚାହିଦା ରହିଛି। ହେଲେ ଚାରି ପୁରୁଷ ଧରି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ପରିବାର ଉପରେ ଏଯାଏଁ ସରକାରଙ୍କ କୃପାଦୃଷ୍ଟି ପଡ଼ିନାହିଁ। ଏଭଳି ଏକ ନିଆରା ହସ୍ତଶିଳ୍ପକୁ କୌଣସି ପ୍ରୋତ୍ସାହନ ମିଳୁନି। ସେମାନଙ୍କୁ ବୁଣାକାର ଭାବେ ଗଣା ଯାଉନଥିବା ବେଳେ ହସ୍ତଶିଳ୍ପ କାରିଗର ଭାବେ ମଧ୍ୟ ସରକାରୀ ମାନ୍ୟତା ଅବା ପରିଚୟପତ୍ର ଖଣ୍ଡେ ମିଳିପାରିନି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

ଚାନ୍ଦୁଆ କାରିଗର କେଶବ ମେହେରଙ୍କ କହିବା ଅନୁଯାୟୀ, ବୁଟୁପାଲିରେ ବର୍ତ୍ତମାନ ଚାନ୍ଦୁଆ ପ୍ରସ୍ତୁତ କରୁଥିବା ୮ଟି ପରିବାର ରହିଛନ୍ତି। ସେମାନେ ସମସ୍ତେ ଗୋଟିଏ କୁଟୁମ୍ବର। ମର୍ଜାକୁଦ ଦ୍ବୀପର ମୂଳବାସିନ୍ଦା ଖଇରୁ ମେହେର, ଆନନ୍ଦ ମେହେର ଓ ହରି ମେହେର ତିନି ଭାଇଙ୍କ ବଂଶଜ। ପ୍ରାୟ ୧୨୦ ବର୍ଷ ତଳେ ତତ୍କାଳୀନ ବୌଦ୍ଧ ରାଜା ଏହି ପରିବାରକୁ ଆଣି ବୁଟୁପାଲିରେ ଜାଗା ଦେଇ ଥଇଥାନ କରିଥିଲେ। ସେବେଠାରୁ ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆପଣେଇ ନେଇଛନ୍ତି। ଚାନ୍ଦୁଆର ନେତ, ବାନା, ଛତ୍ର, ପରଭା, ତୋରଣ ଆଦି ସମାଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଚାନ୍ଦୁଆ ପ୍ରସ୍ତୁତିରେ ପରିବାରର ସମସ୍ତ ସଦସ୍ୟ ଲାଗିଥାନ୍ତି। ତେବେ ଚାନ୍ଦୁଆର ବଜାର ଚାହିଦା କେବଳ ୨ ମାସ (ଚୈତ୍ର ଓ ଆଶ୍ବିନ) ରହିଥାଏ। ଅନ୍ୟ ଦିନମାନଙ୍କରେ ସେଭଳି ବିକ୍ରିବଟା ହୋଇ ନଥାଏ।

ଚାନ୍ଦୁଆ ପ୍ରସ୍ତୁତି ସାମଗ୍ରୀ ସବୁ ପିପିଲି, କଟକ ଏବଂ ବୌଦ୍ଧରୁ ସଂଗ୍ରହ କରିଥାନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଧାରକରଜ କରିବାକୁ ପଡ଼ିଥାଏ। ବିଭିନ୍ନ ସମୟରେ ସରକାରୀ ବାବୁମାନେ ଆସି ପଚରାଉଚରା କରି ଯାଇଛନ୍ତି। ହେଲେ ସେମାନଙ୍କୁ କୌଣସି ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏପରିକି କାରିଗର ଭାବେ ପରିଚୟପତ୍ର ମଧ୍ୟ ଖଣ୍ଡେ ମିଳିପାରିନି। ଦୋକାନଘର ଖଣ୍ଡେ କରିବାକୁ ସମ୍ବଳ ନଥିବାରୁ, ଘର ସମ୍ମୁଖରେ ପଲିଥିନ୍‌ ଟାଣି ବ୍ୟବସାୟ କରୁଥିବା କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button