Gajapati Utsav: ଗଜପତି ଉତ୍ସବ ଉଦ୍ଘାଟିତ; ଆସିଲେନି ମନ୍ତ୍ରୀ, ଲୋକେ ଅସନ୍ତୁଷ୍ଟ!
ବହୁ ପ୍ରତିକ୍ଷିତ ଗଜପତି ଉତ୍ସବ-୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହାଆଡମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାରଳା ବିଧାୟକ...

ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ବହୁ ପ୍ରତିକ୍ଷିତ ଗଜପତି ଉତ୍ସବ-୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହାଆଡମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳା ପୌରଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।
ଗଜପତି ଉତ୍ସବ ପ୍ରାରମ୍ଭରୁ ହିଁ ଜିଲ୍ଲା ଓ ଜିଲ୍ଲାବାସୀଙ୍କୁ ରାଜ୍ଯ ସରକାରଙ୍କ ନେତୃତ୍ବ ଅଣଦେଖା କରାଯାଉଥିବା ନଜିର ଦେଖିବାକୁ ମିଳିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ତଥା ଉତ୍ସବର ଭିନ୍ନଭିନ୍ନ କମିଟିରେ ରହିଥିବା ଅଧକ୍ଷ ଏବଂ ବିଶେଷ କରି ଉକ୍ତ ଦାୟିତ୍ୱରେ ଥିବା କମିଟି ଉଦଘାଟନ କରିବା ନିମନ୍ତେ ମାନ୍ଯବର ମନ୍ତ୍ରୀ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରିଥିଲେ। ଏତେ ବଡ଼ ଉତ୍ସବରେ ତାଙ୍କ ଅନୁପସ୍ଥିତ ସାଧରଣରେ ଅନେକ ପ୍ରଶ୍ନ ଉଠାଇଛି। ଏହି ପରି ଏତେ ବଡ଼ ଉତ୍ସବକୁ ଯେକୌଣସି ସରକାର ହେଉନ୍ତା କାହିଁକି ହାତଛଡ଼ା କରିବାକୁ ଚାହିଁବେ ନାହିଁ। କାରଣ ଜିଲ୍ଲାର ଜନସାଧାରଣଙ୍କ ନିକଟତର ହେବା ସହ ସରକାର ଅନେକ ବିକାଶମୂଳକ ଯୋଜନା ଗୁଡ଼ିକର ସବିଶେଷ ତଥ୍ଯ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏହି ଉତ୍ସବ ଓ ମଞ୍ଚ ଏକ ମୁଖ୍ଯ ମାଧ୍ଯମ ହୋଇଥାଏ।
ସତରେ କ’ଣ ମନ୍ତ୍ରୀଙ୍କ ନିକଟରେ ସମୟ ନଥିଲା?
/filters:format(webp)/sambad/media/media_files/2026/01/18/gajapati1-2026-01-18-22-07-59.jpg)
ବର୍ତ୍ତମାନ ଏହା ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଯେ ସତରେ କ’ଣ ମନ୍ତ୍ରୀଙ୍କ ନିକଟରେ ସମୟ ନଥିଲା ନା ଗଜପତି ଉତ୍ସବ କମିଟିର ଡାକରାରେ ମନ୍ତ୍ରୀଙ୍କୁ କୌଣସି ପ୍ରଭାବିତ କରିପାରି ନଥିଲା। ଜିଲ୍ଲାରେ ଏହି ଉତ୍ସବକୁ ସମସ୍ତ ଜନସାଧାରଣ ଚାହିଁ ବସିଥାନ୍ତି ପ୍ରତ୍ୟେକ ବର୍ଷ। ସୁଦୂରରୁ ଅନେକ ପ୍ରତିଭା ନିଜ କଳା ପ୍ରଦର୍ଶନ ନିମନ୍ତେ ଆସିଥିବା ବେଳେ ଜିଲ୍ଲାର କଳାକାରଙ୍କ ମଧ୍ଯରେ ମଧ୍ଯ ଅନେକ ଉତ୍ସାହ ଦେଖାଦେଇ ଥାଏ। ଏହା ସହ ବିଭିନ୍ନ ଜିଲ୍ଲା ଏବଂ ରାଜ୍ଯର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ନିଜନିଜର ଉତ୍ପାଦନ ହେଉଥିବା ସାମଗ୍ରୀକୁ ଏହି ଉତ୍ସବରେ ବିକ୍ରି କରିବା ସହ ନିଜ ଜିଲ୍ଲାକୁ ମଧ୍ଯ ପରିଚୟ କରାଇଥାନ୍ତି। ଏହା ସହ କୋଟିକୋଟି ଟଙ୍କାର ବ୍ୟବସାୟ ମଧ୍ଯ ହୋଇଥାଏ। ପ୍ରଥମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ସବ୍ୟସାଚୀ ମିଶ୍ର, ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ମୋହିତ କରିଥିଲେ। ତେବେ ପ୍ରଥମ ଦିନରେ ଏହିପରି ଏକ ଲୋକ ମହୋତ୍ସବକୁ ରାଜ୍ୟ ସରକାରଙ୍କ ଅଣଦେଖା ଅନେକ ସନ୍ଦେହ ସୃଷ୍ଟି କରୁଥିବା ସହ ଆଗାମୀ ଦିନରେ ନିମନ୍ତ୍ରଣରେ ଉଲେଖ୍ ରହିଥିବା ଅତିଥିମାନେ ଉତ୍ସବକୁ ଆସିବେ କି ନାହିଁ ତା ସମୟ ହିଁ କହିବ ବୋଲି ଆଲୋଚନା ହୋଉଛି।
ସୌଜନ୍ୟ ସମ୍ବାଦ




