GDP growth: ‘ମୋଟ ଘରୋଇ ଉତ୍ପାଦଠାରୁ ମୁଣ୍ଡପିଛା ଆୟ ଅଭିବୃଦ୍ଧି ଅଧିକ ତ୍ବରାନ୍ବିତ’
ଭାରତୀୟଙ୍କ ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ହାର ଦେଶରେ ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାରଠାରୁ ଅଧିକ ତ୍ବରାନ୍ବିତ ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପୁନମ ଗୁପ୍ତା ଏହା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ଭାରତୀୟଙ୍କ ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ହାର ଦେଶରେ ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାରଠାରୁ ଅଧିକ ତ୍ବରାନ୍ବିତ ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପୁନମ ଗୁପ୍ତା ଏହା ପ୍ରକାଶ କରିଛନ୍ତି। ଦେଶରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଉଥିବାରୁ ମୁଣ୍ଡପିଛା ଆୟ ଅଭିବୃଦ୍ଧି ହାର ମୋଟ ଘରୋଇ ଉତ୍ପାଦ ଠାରୁ ଅଧିକ ତ୍ବରାନ୍ବିତ ହୋଇ ପାରୁଥିବା ସେ କହିଛନ୍ତି। ଥିରୁଭନ୍ତପୁରମଠାରେ ଜାତୀୟ ବିକାଶ ଅଧ୍ୟୟନ କେନ୍ଦ୍ରର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ ଏହା କହିଛନ୍ତି।
ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଉଥିବା ବେଳେ ଭାରତୀୟମାନଙ୍କର ଜୀବନଧାରଣ ମାନରେ ଉନ୍ନତି ଆସିଛି। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମାନବ ବିକାଶ ନିୟାମକଗୁଡ଼ିକରେ ଭାରତର ଭଲ ପ୍ରଦର୍ଶନ ରହିଥିବା ପୁନମ ପ୍ରକାଶ କରିଛନ୍ତି। ଗତ ଦୁଇ ଦଶନ୍ଧୀ ମଧ୍ୟରେ ଭାରତୀୟମାନଙ୍କର ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ହାର ୫ଗୁଣ ବୃଦ୍ଧି ପାଇଛି।
୧୯୯୦ ପରଠାରୁ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର ତ୍ବରାନ୍ବିତ ହୋଇଛି। ୧୯୮୦ ଦଶକରେ ଭାରତରେ ମୋଟ ଘରୋଇ ଉତ୍ପାଦରେ ଅଭିବୃଦ୍ଧି ହାର ଥିଲା ୫.୭ ପ୍ରତିଶତ। ପରବର୍ତ୍ତୀ ଦଶକରେ ତାହା ୬.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ଏହା ୬.୬ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୨୦୧୦ ଦଶକରେ ମଧ୍ୟ ୬.୬ ପ୍ରତିଶତ ରହିଥିଲା। ଚଳିତ ଦଶକର ପ୍ରଥମ ଚାରି ବର୍ଷରେ ଏହି ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଛି।
ସୌଜନ୍ୟ ସମ୍ବାଦ




