ଦେଶ ବିଦେଶ

Get delivery in 10 minutes: ୧୦ ମିନିଟ୍‌ରେ ଡେଲିଭରିକୁ ଛାଟ: ହସ୍ତକ୍ଷେପ କଲେ ସରକାର, ସେବା ବନ୍ଦ କଲା ବ୍ଲିଙ୍କ୍‌ଇଟ୍‌

ଅନଲାଇନ୍‌ରେ ବରାଦ କଲେ ଆଉ ୧୦ ମିନିଟ୍‌ରେ ଜିନିଷ ଘରେ ପହଞ୍ଚିବନି। ଏହି ତ୍ବରିତ ଡେଲିଭରି ସେବାକୁ ବନ୍ଦ ଲାଗି ଶ୍ରମ ମନ୍ତ୍ରଣାଳୟ କ୍ବିକ୍‌ କମର୍ସ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛି। ଡେଲିଭରି ସହଯୋଗୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ନୂଆଦିଲ୍ଲୀ: ଅନଲାଇନ୍‌ରେ ବରାଦ କଲେ ଆଉ ୧୦ ମିନିଟ୍‌ରେ ଜିନିଷ ଘରେ ପହଞ୍ଚିବନି। ଏହି ତ୍ବରିତ ଡେଲିଭରି ସେବାକୁ ବନ୍ଦ ଲାଗି ଶ୍ରମ ମନ୍ତ୍ରଣାଳୟ କ୍ବିକ୍‌ କମର୍ସ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛି।  ଡେଲିଭରି ସହଯୋଗୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କ୍ବିକ୍‌ କମର୍ସ କମ୍ପାନି ଯଥା ଜୋମାଟୋ, ସ୍ବିଗି, ବ୍ଲିଙ୍କଇଟ୍‌ ଓ ଜେପ୍‌ଟୋର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବ୍ଲିଙ୍କ୍‌ଇଟ୍‌କୁ ୧୦ ମିନିଟ୍‌ ଡେଲିଭରି ସୁବିଧା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶକୁ କମ୍ପାନି ମାନିଛି। ଅନ୍ୟ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ମାନିବେ ବୋଲି ଆଶା କରାଯାଉଛି। ଗିଗ୍‌ ଶ୍ରମିକଙ୍କ ସୁରକ୍ଷା ଏବଂ କର୍ମ ସଂସ୍କୃତିରେ ଉନ୍ନତି ଆଣିବା ଏକ ଜାତୀୟ ବିତର୍କରେ ପରିଣତ ହୋଇଛି। ଉତ୍ତମ ପାରିଶ୍ରମିକ ଏବଂ ଉନ୍ନତ କାର୍ଯ୍ୟ ପରିବେଶ ଦାବିରେ ଗତ ଡିସେମ୍ବର ୩୧ରେ ଗିଗ୍‌ ଆଣ୍ଡ୍‌ ପ୍ଲାଟ୍‌ଫର୍ମ ସର୍ଭିସ ୱାର୍କସ୍‌ ସଂଘ ଧର୍ମଘଟ କରିଥିଲା। ଆପ୍‌ ସାଂସଦ ରାଘବ ଚଢ଼ା ସେମାନଙ୍କ ଦାବିକୁ ସମର୍ଥନ କରିଥିଲେ।

ସେ ଏହି ପ୍ରସଙ୍ଗକୁ ସଂସଦରେ ମଧ୍ୟ ଉଠାଇଥିଲେ। ଧର୍ମଘଟ ପରେ ସ୍ବିଗି ଓ ଜୋମାଟୋ ପକ୍ଷରୁ ଡେଲିଭରି ଏଜେଣ୍ଟଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଥିଲା। କେନ୍ଦ୍ର ସରକାର ଆଣିଥିବା ସାମାଜିକ ସୁରକ୍ଷା ସଂହିତା ୨୦୨୦ରେ ଗିଗ୍‌ ଓ ପ୍ଲାଟ୍‌ଫର୍ମ ଶ୍ରମିକଙ୍କ ସମେତ ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିରେ ଗିଗ୍‌ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ପାରିଶ୍ରମିକ, ସ୍ବାସ୍ଥ୍ୟ ଓ ବୃତ୍ତିଗତ ସୁରକ୍ଷା ଓ ସାମାଜିକ ସୁରକ୍ଷା ନିଶ୍ଚିତ କରାଯାଇପାରିବ। ଆସନ୍ତା ଏପ୍ରିଲ୍‌ ୧ରୁ ସମସ୍ତ ଚାରି ଶ୍ରମ ସଂହିତା ଲାଗୁ ହେବ।

ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସାଂସଦ ଶ୍ରୀ ଚଢ଼ା। ସେ କହିଛନ୍ତି ଯେ ସତ୍ୟର ବିଜୟ ହୋଇଛି। ଡେଲିଭରି ଏଜେଣ୍ଟଙ୍କ ଟି-ସାର୍ଟ, ଜ୍ୟାକେଟ୍‌ ଓ ବ୍ୟାଗ୍‌ରେ ୧୦ ମିନିଟ୍‌ ଲେଖିଦେବା ଓ ଗ୍ରାହକମାନେ ନିଜ ଫୋନ୍‌ରେ ୧୦ ମିନିଟ୍‌କୁ ଅପେକ୍ଷା କରି ରହିବା ବେ‌ଳେ ଏଜେଣ୍ଟମାନଙ୍କ ଉପରେ ପ୍ରକୃତ ଚାପ ରହିଥାଏ, ଯାହା ବିପଜ୍ଜନକ। ସରକାରଙ୍କ ଏହି ପଦକ୍ଷେପ ଡେଲିଭରି ଏଜେଣ୍ଟ ଓ ରାସ୍ତାରେ ଯାଉଥିବା ସବୁ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button