ରାଜ୍ୟ

Google Map: କୋଟିଆ ଆନ୍ଧ୍ରର ସୀମା ଗୁଗୁଲ ମ୍ୟାପ୍‌ରେ ଭୁଲ୍ ତଥ୍ୟ, ସଂଶୋଧନ ପାଇଁ ତ୍ୱରାନ୍ୱିତ ହେଲା ସରକାରୀ ପ୍ରକ୍ରିୟା

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି।

ଜୟପୁର:କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ଡିଜିଟାଲ ମାନଚିତ୍ରରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍‌ ଭାବେ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଭୂମିସ୍ତରର ସୀମା ବିବାଦ ସହ ଏହି ଡିଜିଟାଲ ଚିତ୍ରଣ ଜଡ଼ିତ ଥିବାରୁ ଏହାକୁ ନେଇ ପ୍ରଶାସନିକ ମହଲରେ ମଧ୍ୟ ଗୁରୁତ୍ୱ ବଢ଼ିଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଗୁଗୁଲ ଇଣ୍ଡିଆ ଓ ଗୁଗୁଲ ଏଲ୍‌ଏଲ୍‌ସିଙ୍କ ନିକଟରେ ଆପତ୍ତି ଜଣାଇ ସୀମା ସଂଶୋଧନ ଦାବି କରାଯାଇଥିଲା। ପରେ ଭାରତ ସରକାରଙ୍କ ସର୍ଭେୟର ଜେନେରାଲଙ୍କ ନିକଟରେ ମଧ୍ୟ ମହାମଞ୍ଚ ପକ୍ଷରୁ ହସ୍ତକ୍ଷେପ ଲାଗି ଦାବିପତ୍ର ଦିଆଯାଇଥିଲା। ଏହାର ଉତ୍ତରରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଉପନିର୍ଦ୍ଦେଶକ ଏସ୍‌.ପି. କାର୍ତ୍ତିକେୟନ୍‌ ସ୍ପଷ୍ଟ କରିଛନ୍ତି ଯେ, ଦେଶର ଅଧିକୃତ ପ୍ରଶାସନିକ ଓ ଭୂଖଣ୍ଡୀୟ ସୀମା ସମ୍ପର୍କିତ ତଥ୍ୟର ପ୍ରମାଣୀକରଣ ପାଇଁ ସର୍ଭେ ଅଫ୍‌ ଇଣ୍ଡିଆ ହେଉଛି ଦାୟୀ କର୍ତ୍ତୃପକ୍ଷ। ବାଣିଜ୍ୟିକ ମ୍ୟାପିଂ ପ୍ଲାଟଫର୍ମରେ ସିଧାସଳଖ ସଂଶୋଧନ କରିବାର କ୍ଷମତା ଏନ୍‌ଆଇସିର ନାହିଁ ବୋଲି ସେ ଜଣାଇଛନ୍ତି। ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀଙ୍କ କହିବା ଅନୁଯାୟୀ, ଡିଜିଟାଲ ମାନଚିତ୍ରରେ ସୀମାର ଭୁଲ ଚିତ୍ରଣ ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ଭ୍ରାନ୍ତିପୂର୍ଣ୍ଣ ଭୂଖଣ୍ଡୀୟ ଧାରଣା ସୃଷ୍ଟି କରିପାରେ।

ଗୁଗୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

କୋଟିଆକୁ ନେଇ ଦୀର୍ଘଦିନର ସୀମା ବିବାଦ ପରିପ୍ରେକ୍ଷୀରେ ଡିଜିଟାଲ ମାନଚିତ୍ରର ଏଭଳି ଚିତ୍ରଣ ଅଧିକ ସମ୍ବେଦନଶୀଳ ବୋଲି ସେ କହିଛନ୍ତି। ତେଣୁ କୋଟିଆର ପରିଚୟ ଓ ସୀମା ଭୂମିସ୍ତର ସହିତ ପ୍ରତ୍ୟେକ ଡିଜିଟାଲ ମାନଚିତ୍ରରେ ମଧ୍ୟ ସଠିକ୍‌ ଭାବେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତୁରନ୍ତ ସରକାରୀ ହସ୍ତକ୍ଷେପ ଦାବି କରିଛନ୍ତି। ଗୁଗୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଭାରତ ସରକାର ଓ ଏନ୍‌ଆଇସି ମାଧ୍ୟମରେ ବିଭିନ୍ନ ଡିଜିଟାଲ ମ୍ୟାପିଂ ପ୍ଲାଟଫର୍ମରେ ଓଡ଼ିଶାର ଅଧିକୃତ ପ୍ରଶାସନିକ ସୀମାର ଏକରୂପ ଚିତ୍ରଣ ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ମାମଲାକୁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ନେଇ ସମାଧାନ ପାଇଁ ରାଜସ୍ବ ବିଭାଗର ସ୍ୱତନ୍ତ୍ର ସଚିବ ଶେଖ ଜମିରୁଦ୍ଦିନଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହିକ୍ରମରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀ ସଚିବାଳୟରେ ଶ୍ରୀ ଜମିରୁଦ୍ଦିନଙ୍କୁ ସାକ୍ଷାତ କରି ଡିଜିଟାଲ ମାନଚିତ୍ରର ତ୍ରୁଟି ସଂଶୋଧନ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାକୁ ଅନୁରୋଧ କରିଛନ୍ତି। ସରକାରୀ ରେକର୍ଡରେ ଥିବା ଅଧିକୃତ ସୀମାକୁ ଆଧାର କରି ଗୁଗୁଲ ସମେତ ସମସ୍ତ ଡିଜିଟାଲ ମ୍ୟାପିଂ ପ୍ଲାଟଫର୍ମରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍‌ ଭାବେ ପ୍ରଦର୍ଶିତ କରାଇବା ଏବେ ମୁଖ୍ୟ ଦାବି ହୋଇଛି। ଭୂମିସ୍ତରରେ କୋଟିଆର ସୀମା ସୁରକ୍ଷା ସହ ଡିଜିଟାଲ ମାନଚିତ୍ରରେ ମଧ୍ୟ ଏହାର ସଠିକ୍‌ ପରିଚୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ରିପୋର୍ଟ:- ଦେବାଶିଷ ସାହୁ

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button