ଓଡିଶା

GPR: ଜିପିଆର୍‌ ସର୍ଭେ ରିପୋର୍ଟରେ ସାଂଘାତିକ ତଥ୍ୟ: ମାଟିତଳେ ସୁନା ଇଟା!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର୍‌ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟରେ ରୋଚକ ତଥ୍ୟ ମିଳିବାରେ ଲାଗିଛି। ଏମାର ମଠ ଅଞ୍ଚଳ ସମେତ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର....

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର୍‌ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟରେ ରୋଚକ ତଥ୍ୟ ମିଳିବାରେ ଲାଗିଛି। ଏମାର ମଠ ଅଞ୍ଚଳ ସମେତ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତାରେ ୪୩ଟି ଐତିହ୍ୟ ଠାବ ହେବା ପରେ ଶ୍ରୀମନ୍ଦିର ଐଶାନ୍ୟ (ଉତ୍ତର-ପୂର୍ବ) କୋଣରେ ଧାତବ ପଦାର୍ଥ ସହ କୋଠା, ‌ପାଚେରି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସନ୍ଧାନ ମିଳିଛି। ସେହିଭଳି ସାନଛତା ମଠ ନିକଟରେ ଏକ ଏଭଳି ଆକୃତିର ନିର୍ମାଣ ରହିଛି ଯାହାକୁ ଏହି ଜିପିଆର୍‌ ସର୍ଭେରେ ଚିହ୍ନଟ କରାଯାଇ ପାରିନାହିଁ। ଏହା ଏକ ବଡ଼ଘର କିମ୍ବା ମନ୍ଦିର କିମ୍ବା ଧନସମ୍ପତ୍ତି ରଖାଯାଉଥିବା (ଦୁଆର ନଥିବା) ଘର ବୋଲି ଅନୁମାନ କରାଯାଉଛି। ୨.୧ ମିଟରରୁ ୩ ମିଟର ଗଭୀରତାରେ ଏଭଳି ଛୋଟବଡ଼ ୧୮ଟି ନିର୍ମାଣ ରହିଛି। ଯାହାକୁ ଜିପିଆର୍‌ ସର୍ଭେରେ ଚିହ୍ନଟ କରାଯାଇ ପାରିନାହିଁ। ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ସବୁଠାରୁ ବଡ଼କଥା ହେଉଛି ମାଟିତଳେ ଇଟା ଆକୃତିର ଧାତବ ପଦାର୍ଥ ଥିବା ଚିହ୍ନଟ କରାଯାଇଛି। ଏହା ସୁନା କିମ୍ବା ରୁପା ଇଟା ବୋଲି କୁହାଯାଉଛି। ଯାହାକୁ ନେଇ ତନାଘନା ଆରମ୍ଭ ହୋଇଛି।

ଖନନ କରିବାକୁ କୁନ୍ଥକୁନ୍ଥ

ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରାଯାଇଛି। ଏହାକୁ ପୁରୀ ପୁଲିସର ଅସ୍ତ୍ରାଗାରରେ ରଖାଯାଇଛି। ବାସ୍ତବରେ ଏହି ମଠରୁ ଚୋରି ହୋଇଥିବା ସୁନାଇଟାର ରହସ୍ୟ ଖୋଜିବା ବେଳେ ରୁପାଇଟାର ସନ୍ଧାନ ମିଳିଥିଲା। ଏମାର ମଠ‌ରେ କାମ କରୁଥିବା ଶ୍ରମିକ ଏଠାରେ ମହଜୁଦ ଥିବା ସୁନାଇଟାରୁ କିଛି ଅଂଶ କାଟି ବିକ୍ରି କରିବା ବେଳେ ଧରପଗଡ଼ ହୋଇଥିଲା। ସୁନାଇଟାର ମୂଳ ଖୋଜୁ ଖୋଜୁ ପୁଲିସ ଏମାର ମଠରେ ପହଞ୍ଚିଥିଲା। ସେଠାରେ କିନ୍ତୁ ଆଉ ସୁନାଇଟା ମିଳି ନଥିଲା। କେବଳ ୫୨୨ ଖଣ୍ଡ ରୁପାଇଟା ଜବତ କରାଯାଇଥିଲା। ସୁନାଇଟା ଚୋରି ହୋଇ ଯାଇଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଏବେ ଇଟା ଆକୃତିର ଧାତବ ପଦାର୍ଥ ସନ୍ଧାନ ମିଳିବା ପରେ ସୁନାଇଟା ‌ଥିବା ନେଇ ଚର୍ଚ୍ଚା ହେଉଛି। ଏଣୁ ଏହାକୁ ଖୋଳି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି ହୋଇଛି।
ଜିପିଆର୍‌ ସର୍ଭେ ରିପୋର୍ଟ ମୁତାବକ, ୧.୧ ମିଟରରୁ ୧.୯ ମିଟର ଗଭୀରରେ ୧୨ଟି ନିର୍ମାଣ ରହିଛି। ଏଗୁଡ଼ିକ କୋଠାଘର କିମ୍ବା ମନ୍ଦିର ବୋଲି ଆଶଙ୍କା କରାଯାଉଛି। କେତେକ ଜାଗାରେ କୋଠା ଭଳି ଲମ୍ବ, ପ୍ରସ୍ଥ ଓ ଉଚ୍ଚତାର ନିର୍ଦ୍ଦିଷ୍ଟ ମାପ ରହିଥିବା ବେଳେ କେତେକ ନିର୍ମାଣରେ ସମାନ ମାପ ନାହିଁ। ଏଣୁ ଏଗୁଡ଼ିକ ମନ୍ଦିର ବୋଲି ଆଶଙ୍କା କରାଯାଉଛି। କେତେକ ଜାଗାରେ ଇଟାଠାରୁ ବଡ଼ କିନ୍ତୁ ଘରଠାରୁ ଛୋଟ ମାପର ନିର୍ମାଣ ରହିଛି। ଏହା ଧାତବ ପଦାର୍ଥରେ ତିଆରି ହୋଇଛି। ଏଣୁ ଏହାକୁ ବଡ଼ ବଡ଼ ସିନ୍ଦୁକ ବୋଲି ଆଶଙ୍କା କରାଯାଉଛି। ଏହାର ସଂଖ୍ୟା ମଧ୍ୟ ୫ରୁ ୬ଟି ହେବ। ଏହା ଛଡ଼ା ଏକ ବଡ଼ ଆକାରର ମୂଳଦୁଆ ରହିଛି। କେତେ ଗଭୀରର ଅଛି ତାହାକୁ ମପାଯାଇ ପାରିନାହିଁ। ରାଜପ୍ରସାଦ ଭାଙ୍ଗିଯିବା ପରେ ମଜଭୁତ ହୋଇ ତିଆରି ହୋଇଥିବା ମୂଳଦୁଆ ବୋଲି ଆଶଙ୍କା କରାଯାଉଛି। ଏହା ଛଡ଼ା ପାଣି, ବିଦ୍ୟୁତ୍‌ ଭଳି ଦୀର୍ଘ ୟୁଟିଲିଟି କରିଡର ରହିଛି। ଯଦି ଏ ସବୁ ଗଙ୍ଗବଂଶର ହୋଇଥାଏ ତେବେ ସେ ସମୟରେ ଏଭଳି ୟୁଟିଲିଟି କରିଡର ଥିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଗବେଷକମାନେ ମତ ଦେଇଛନ୍ତି।
ଏବେ ପ୍ରଶାସନ ଏହି ଐଶାନ୍ୟ କୋଣ ବା ଛତାମଠ ଜାଗାରେ ଧ୍ୟାନମଣ୍ଡପ, ଯଜ୍ଞମଣ୍ଡପ, ଅନ୍ନମଣ୍ଡପ ସମେତ ହସ୍‌ପିଟାଲ୍‌ ଓ ପୁଲିସ ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରିଛି। ଏଗୁଡ଼ିକ ନିର୍ମାଣ ହେଲେ ମାଟିତଳେ ଐତିହ୍ୟ ପୋତି ହୋଇଯିବ କିମ୍ବା ଖୋଳିବା ବେଳେ ଏହି ସବୁ ମୂଲ୍ୟବାନ ପଦାର୍ଥ ଚୋରି ହେବ। ଏଣୁ ଏ ସବୁ ନିର୍ମାଣ ବନ୍ଦ କରି ଏଏସ୍‌ଆଇ ଏହାର ସୁରକ୍ଷିତ ଖନନ କରୁ ବୋଲି ଆଇନଜୀବୀ ଦିଲୀପ ବରାଳ କହିଛନ୍ତି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button