ସହରାଞ୍ଚଳରେ ଯାନବାହନ ତଥା କଳକାରଖାନାଜନିତ ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଲାଗି ସହର ନିକଟବର୍ତ୍ତୀ ବନାଞ୍ଚଳର ବଡ଼ ଭୂମିକା ଥାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ମହାନଗରୀର ସ୍ବତନ୍ତ୍ର ସବୁଜ ପରିଚୟ ସାଜିଛି ଚନ୍ଦକା ଜଙ୍ଗଲ ବା ‘ଚନ୍ଦକା-ଡମପଡ଼ା ଅଭୟାରଣ୍ୟ’। ଭୁବନେଶ୍ବରର ଉତ୍ତର-ପଶ୍ଚିମ ଭାଗରେ ଥିବା ଏହି ବିସ୍ତୃତ ସବୁଜ ବଳୟ ଯଦିଓ ସହରୀ ଚାପରେ ଏବେ ସଂକୁଚିତ ହେଉଛି, ତଥାପି ଏହା ବର୍ଷ ବର୍ଷ ଧରି ସହର ଓ ଆଖପାଖ ପରିବେଶକୁ ସନ୍ତୁଳିତ ରଖିଆସିଛି। ଏଥିପାଇଁ ଏହାକୁ ରାଜଧାନୀର ‘ଗ୍ରିନ୍ ଲଙ୍ଗ୍ସ’ ବା ସବୁଜ ଫୁସ୍ଫୁସ୍ ବୋଲି କୁହାଯାଏ। ଏହା ଅଭୟାରଣ୍ୟ ରାଜ୍ୟର ଅନ୍ୟତମ ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଛି।
ଅଭୟାରଣ୍ୟ ମାନ୍ୟତା
ଭୁବନେଶ୍ବର ରାଜ୍ୟ ରାଜଧାନୀ ହେବାର ବହୁ ପୂର୍ବରୁ ଏହାକୁ ଘଞ୍ଚ ଜଙ୍ଗଲ ଘେରି ରହିଥିଲା। ପ୍ରାଚୀନ କାଳରେ ମଧ୍ୟ ଏହି ଅଞ୍ଚଳ ଏକାମ୍ର ବନ ଭାବେ ପରିଚିତ ଥିଲା। ଏପରିକି ଭୁବନେଶ୍ବର ରାଜଧାନୀ ହେବା ପରେ ମଧ୍ୟ ଏହାର ଅନେକ ଅଞ୍ଚଳ ଜଙ୍ଗଲ ଥିଲା। ସହରଠାରୁ ଅନତିଦୂରରେ ଥିବା ଚନ୍ଦକା ଜଙ୍ଗଲ ଏକଦା ମହାବଳ ବାଘଙ୍କର ଆବାସ ଥିଲା। କ୍ରମେ ଏଠାରୁ ବାଘ ଲୋପ ପାଇଯାଇଥିଲେ। କିନ୍ତୁ ୧୯୮୦ ଦଶକରେ ଏଠାରେ ୭୨ଟି ହାତୀ, ହରିଣ ଓ ଅନ୍ୟ ବନ୍ୟପ୍ରାଣୀଙ୍କୁ ନେଇ ଏକ ସଂରକ୍ଷିତ ଅଞ୍ଚଳ ତଥା ଅଭୟାରଣ୍ୟ ଭାବେ ଏହାକୁ ବିକଶିତ କରାଯାଇଥିଲା। ଏହା ମଧ୍ୟରେ ଥିବା ବାଉଁଶ ଜଙ୍ଗଲ ହାତୀଙ୍କ ପାଇଁ ଉପଯୁକ୍ତ ପରିସଂସ୍ଥା ସୃଷ୍ଟି କରିଥାଏ। ଛୋଟ ଛୋଟ ମୁଣ୍ଡିଆ ପାହାଡ଼ ସହ ୧୯୩.୩୯ ବର୍ଗକିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟର ଉତ୍ତର-ପଶ୍ଚିମରେ ମହାନଦୀ ଥିବାବେଳେ ଏହାର ପରିସୀମାକୁ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରହିଛି। ଅଭୟାରଣ୍ୟ ଭିତରେ ରହିଛି କୁମାରଖୁଣ୍ଟି ପ୍ରାକୃତିକ ଜଳାଶୟ। ଏହା ସହିତ ଜଳସେଚନ ପାଇଁ ନିର୍ମିତ ଡେରାସ ଓ ଝୁମୁକା ଡ୍ୟାମ୍ ମଧ୍ୟ ଏହି ଅଭୟାରଣ୍ୟର ଶୋଭା ବଢ଼ାଇଥାଏ। ଭୁବନେଶ୍ବର ମହାନଗର ଭରତପୁର ଜଙ୍ଗଲକୁ ଲାଗି ରହିଥିବାବେଳେ ଉତ୍ତରରେ ବାରଙ୍ଗଠାରୁ ଦକ୍ଷିଣରେ ଏହା ଖୋର୍ଦ୍ଧା ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାଖାପାଖି ଲମ୍ବିଛି।
ସହରୀ ଚାପରେ ସଂକୁଚିତ
ଭୁବନେଶ୍ବରର ପରିବେଶକୁ ଥଣ୍ଡା ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ଚନ୍ଦକା ଅଭୟାରଣ୍ୟ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ମହାନଗର ଏହି ସଂରକ୍ଷିତ ସବୁଜ ବଳୟର ଶତ୍ରୁ ମଧ୍ୟ ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ବିକାଶ ଏହାକୁ ସଂକୁଚିତ କରି ପକାଉଛି। ପରିସୀମା ଅଞ୍ଚଳରେ ଜବରଦଖଲ ବୃଦ୍ଧି ପାଉଛି। ଅଭୟାରଣ୍ୟର ଗୋଟିଏ ପାଖରେ ଛୋଟ ଛୋଟ କଳକାରଖାନା ଥିବାବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ମାଳ ମାଳ ପ୍ରତିଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ ଓ ଆପାର୍ଟମେଣ୍ଟ ଗଢ଼ିଉଠିଛି, ଯାହା ଫଳରେ କ୍ରମଶଃ ସ୍ମାର୍ଟ ସିଟି, ଚନ୍ଦକା ଜଙ୍ଗଲକୁ ଗିଳି ପକାଉଥିବା ଅଭିଯୋଗ ହୁଏ। କେବଳ ସରକାରୀ ପ୍ରକଳ୍ପ ପାଇଁ ୨୦୧୮ ପରବର୍ତ୍ତୀ ସମୟରେ ଚନ୍ଦକା ଜଙ୍ଗଲରୁ ୩୩.୩୭ ଏକରର କିସମ ବଦଳି ସାରିଥିବା ଜଣାପଡ଼ିଛି। ବିଶିଷ୍ଟ ପରିବେଶବିତ୍ ତଥା ‘ଓଡ଼ିଶା ଏନ୍ଭିରନ୍ମେଣ୍ଟାଲ୍ ସୋସାଇଟି’ର କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ପାଣିଗ୍ରାହୀ କହନ୍ତି, ‘‘ଏକଦା ୫୦ ହଜାରରୁ କମ୍ ଲୋକଙ୍କ ପାଇଁ ବିକଶିତ ଭୁବନେଶ୍ବର ସହରର ଜନସଂଖ୍ୟା ଏବେ ୧୩ ଲକ୍ଷ ଛୁଇଁଲାଣି। ଏଥିପାଇଁ ସହରର ପରିସୀମା ବଢ଼ୁଥିବାବେଳେ ସହରର ବର୍ଦ୍ଧିତ କଳେବର ପାଇଁ ଚନ୍ଦକା ଜଙ୍ଗଲକୁ ବି ମୂଲ୍ୟ ଦେବାକୁ ପଡ଼ିଛି। ଏହି ଅଭୟାରଣ୍ୟ ଚାରିପଟରେ ସରକାରୀ ଓ ବେସରକାରୀ ନିର୍ମାଣ ସହ ଜବରଦଖଲ ବୃଦ୍ଧିକୁ ନେଇ ଏଠାରେ ଜଙ୍ଗଲ ଉଜୁଡ଼ିବାରେ ଲାଗିଛି।’’
ଉଜୁଡୁଛି ହାତୀ କରିଡର୍
ମହାନଦୀ ଅବବାହିକା ଓ ଆଠଗଡ଼ ଅଞ୍ଚଳର କ୍ଷୁଦ୍ର ଜଙ୍ଗଲ ଦେଇ ଚନ୍ଦକା ବନାଞ୍ଚଳ ଏକଦା ସାତକୋଶିଆ, କପିଳାସ ଆଦି ବନାଞ୍ଚଳ ସହ ସଂଯୁକ୍ତ ଥିଲା। ଏହିସବୁ ଜଙ୍ଗଲ ରାସ୍ତା ଦେଇ ହାତୀପଲ ଚନ୍ଦକା ଅଭୟାରଣ୍ୟ ଓ ଅନ୍ୟ ବନାଞ୍ଚଳ ମଧ୍ୟରେ ଯିବାଆସିବା କରିଥାନ୍ତି। ପରବର୍ତ୍ତୀ ସମୟରେ ଏହାକୁ ହାତୀ ଚଲାପଥ ବା ହାତୀ କରିଡର୍ ଭାବେ ଚିହ୍ନଟ କରାଯାଇଛି। କିନ୍ତୁ ଜନବସତି, ରାସ୍ତାଘାଟ ଓ ଶିଳ୍ପାଞ୍ଚଳକୁ ନେଇ ଏବେ ଏହି କରିଡର୍ କ୍ଷୟ ହେବା ସହିତ ହାତୀଙ୍କ ଚଳପ୍ରଚଳ ବ୍ୟାହତ ହେଉଛି। ଫଳରେ ହାତୀ ଜନବସତିମୁହାଁ ହେଉଛନ୍ତି। ଚନ୍ଦକା ଟ୍ରେଞ୍ଚ ଅତିକ୍ରମ କରି ହାତୀପଲ ଭୁବନେଶ୍ବର ଭିତରେ ପଶିବା ସହ ଜାତୀୟ ରାଜପଥ ଅତିକ୍ରମ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଉପଦ୍ରବ କରୁଥିବା ଦେଖାଯାଉଛି।
ସୁରକ୍ଷା ଅପରିହାର୍ଯ୍ୟ
ରାଜଧାନୀ ଅଞ୍ଚଳର ତାପ ନିୟନ୍ତ୍ରକ ଭାବେ ପରିଚିତ ଚନ୍ଦକା ଅଭୟାରଣ୍ୟ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି। ଏଠାରେ ବାଉଁଶ ବୁଦାଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ହୋଇଛି। ତେବେ ଜଙ୍ଗଲ ନିଆଁ ଓ ଜବରଦଖଲରୁ ଏହାକୁ ସୁରକ୍ଷା ଦେବା ପାଇଁ ଆନ୍ତରିକ ଉଦ୍ୟମ ଜରୁରି ବୋଲି ମତ ରଖିଛନ୍ତି ପରିବେଶବିତ୍ ଶ୍ରୀ ପାଣିଗ୍ରାହୀ। ସହରାଞ୍ଚଳରେ ଅର୍ବାନ୍ ହିଟ୍ ପ୍ରଭାବ ନିୟନ୍ତ୍ରଣ ପାଇଁ କିଛିବର୍ଷ ପୂର୍ବେ ଭାରତ ସରକାର ‘ନଗର ବନ ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନାରେ ଭୁବନେଶ୍ବରରେ ୭ଟି କ୍ଷୁଦ୍ର ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯିବାର ପ୍ରସ୍ତାବ ରହିଥିଲା। ସହର ଭିତରେ କ୍ଷୁଦ୍ର ଜଙ୍ଗଲ କରାଯିବା ସହ ସହର ବାହାରେ ଥିବା ଚନ୍ଦକା ଜଙ୍ଗଲକୁ ଜରୁରିକାଳୀନ ଭିତ୍ତିରେ ସୁରକ୍ଷା ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସୌଜନ୍ୟ Prameya News7

