Gulf Nations Lose Faith in Trump: ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ପ୍ରତି ଉପସାଗରୀୟ ଦେଶଗୁଡିକର ମୋହଭଙ୍ଗ…

ଆବୁଧାବି,୨୦/୪: ଯେତେବେଳେ ଆମେରିକା ଇରାନ ଯୁଦ୍ଧରେ ପ୍ରବେଶ କରିଥିଲା, ସେତେବେଳେ ପ୍ରାରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁମାନ କରିନଥିଲେ ଯେ, ଯୁଦ୍ଧ ଲମ୍ବା ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ, ଆମେରିକାକୁ ଅନେକ ଉପସାଗରୀୟ ଦେଶରୁ ସମର୍ଥନ ମଧ୍ୟ ମିଳିଥିଲା। ଯେତେବେଳେ ଇରାନ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ସେମାନେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ, ଫଳରେ ଉପସାଗରୀୟ ଦେଶଗୁଡ଼ିକର ବହୁ କ୍ଷତି ମଧ୍ୟ ହୋଇଥିଲା। ବର୍ତ୍ତମାନ, ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ସାତ ସପ୍ତାହ ବିତିଗଲାଣି, କିନ୍ତୁ କୌଣସି ଅନ୍ତ ଦେଖାଯାଉ ନଥିବାରୁ ଧୀରେ ଧୀରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ସେମାନଙ୍କର ମୋହଭଙ୍ଗ ହୋଇଛି। ଟ୍ରମ୍ପଙ୍କ ନୀତି ପ୍ରତି ସେମାନେ ନିରାଶ ଭାବ ପ୍ରକାଶ କରିଛନ୍ତି। ଫଳରେ ଏବେ ଆମେରିକୀୟ ରାଷ୍ଟ୍ରପତି ପ୍ରତିଦିନ କିଛି ନା କିଛି ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଲାଗିଛନ୍ତି।

ସାଉଦି ପ୍ରକାଶ କଲା ନିରାଶ ଭାବ

ସାମ୍ପ୍ରତିକ ଘଟଣାକ୍ରମରେ, ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ମଧ୍ୟ ଦାବି ଉଠିଛି ଯେ ନିଜ ସୁରକ୍ଷା ପାଇଁ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ବନ୍ଦ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ରାଜନୈତିକ ବିଶ୍ଳେଷକ ଅବଦୁଲ୍ଲା ରଏଟର୍ସଙ୍କୁ କହିଛନ୍ତି ୟୁଏଇକୁ ଆଉ ନିଜର ପ୍ରତିରକ୍ଷା ପାଇଁ ଆମେରିକାର ଆବଶ୍ୟକତା ନାହିଁ। କାରଣ ଏହା ଇରାନ ଆକ୍ରମଣ ସମୟରେ ନିଜକୁ ରକ୍ଷା କରିବାରେ ସକ୍ଷମ ପ୍ରମାଣିତ ହୋଇଛି। ୟୁଏଇକୁ ଏବେ କେବଳ ଆମେରିକାର ସବୁଠାରୁ ଆଧୁନିକ ଏବଂ ଉନ୍ନତ ଅସ୍ତ୍ରଶସ୍ତ୍ର ଆବଶ୍ୟକ। ତେଣୁ, ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ବନ୍ଦ କରିବା ବିଷୟରେ ବିଚାର କରିବାର ସମୟ ଆସିଛି, କାରଣ ସେଗୁଡ଼ିକ ଏକ ରଣନୈତିକ ସମ୍ପତ୍ତି ନୁହେଁ। ସେସବୁ ୟୁଏଇ ପାଇଁ ଏକ ବୋଝ ପାଲଟିଛି।

ଆମେରିକୀୟ ଘାଟି ବନ୍ଦ କରି ବଡ଼ ଝଟକା ଦେବାକୁ ଯାଉଛି ୟୁଏଇ

ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକାଂଶ ଉପସାଗରୀୟ ଦେଶ ଆମେରିକାକୁ ସମର୍ଥନ କରିଥିଲେ, କିନ୍ତୁ ୟୁଏଇ ପ୍ରଥମେ ଖୋଲାଖୋଲି ଭାବରେ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ଥିଲା। ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ସମର୍ଥନ ମାଗିଥିଲେ, ୟୁଏଇ ଇସ୍ରାଏଲ ଏବଂ ଆମେରିକାକୁ ସମର୍ଥନ ଘୋଷଣା କରିବାରେ ପ୍ରଥମ ଦେଶ ଥିଲା। ତେବେ ଇରାନ ସହିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ କ୍ରମାଗତ ଆକ୍ରମଣାତ୍ମକ ବୟାନବାଜି ପରେ, ୟୁଏଇ ଏବେ ନିଜର ମତ ବଦଳାଇବା ଆରମ୍ଭ କରିଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ଯୁଦ୍ଧରେ ୟୁଏଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଇରାନୀ କ୍ଷେପଣାସ୍ତ୍ର ବିଶ୍ୱସ୍ତରୀୟ ସହର ଦୁବାଇ ଏବଂ ଆବୁଧାବିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଆମେରିକା ସେସବୁକୁ ରକ୍ଷା କରିବାରେ ବିଫଳ ହୋଇଛି। ଫଳରେ ୟୁଏଇର ବିଶ୍ୱାସ ଦୋହଲି ଯାଇଛି।

ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈସଲ ବିନ୍ ଫରହାନ ଆମେରିକା ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇ କହିଛନ୍ତି, ଆମେରିକା ଉପରେ ନିର୍ଭରଶୀଳତାର ଯୁଗ ଶେଷ ହୋଇଯାଇଛି। ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ସେ ନିଜ ଦେଶକୁ ସୁରକ୍ଷା ଦେଇପାରୁ ନାହାନ୍ତି, ତେବେ ସେ ସାଉଦି ଆରବକୁ କିପରି ସୁରକ୍ଷା ଦେଇପାରିବେ। ତାଙ୍କର ଏହି ମନ୍ତବ୍ୟକୁ ଆଞ୍ଚଳିକ ରାଜନୈତିକ ଗତିବିଧି ପରିବର୍ତ୍ତନ ଏବଂ ଆମେରିକା ଉପରେ ନିର୍ଭରଶୀଳତା ହ୍ରାସର ସଙ୍କେତ ଭାବରେ ଦେଖାଯାଉଛି। ୟୁଏଇ ପରି ସାଉଦି ଆରବରେ ସାମରିକ ଘାଟିଗୁଡ଼ିକୁ ଇରାନ ମଧ୍ୟ ଟାର୍ଗେଟ କରିଥିଲା। ଏହି ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଅବରୋଧ ହେବା ଦ୍ବାରା ସାଉଦି ଆରବ ଯଥେଷ୍ଟ ଆର୍ଥିକ କ୍ଷତି ସହିଛି। ଇରାନ ପକ୍ଷରୁ ସାଉଦି ଆରବର ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେଣୁ ଏବେ ଉପପସାଗରୀୟ ଦେଶଗୁଡ଼ିକ ଆମେରିକାଠାରୁ ଦୂରେଇବା ଆରମ୍ଭ କରି ନିଜ କ୍ଷତି ଭରଣାର ବାଟ ଖୋଜୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ