ଅର୍ଥନୀତିଦେଶ ବିଦେଶ

GST Notice: ୨ ଟଙ୍କିଆ ମାଟି ପାତ୍ର ବିକୁଥିବା କୁମ୍ଭାରଙ୍କୁ ୧.୨୫ କୋଟି ଟଙ୍କାର ଜିଏସ୍‌ଟି ନୋଟିସ୍

ମାଟି ପାତ୍ର ତିଆରି କରି ବିକି ପାଞ୍ଚ ଜଣିଆ ପରିବାର ପ୍ରତିପାଳନ କରୁଥିବା ସଇଦ କହିଛନ୍ତି, ନୋଟିସ୍‌ରେ ତାଙ୍କୁ ପାଟନାରେ କାର୍ଯ୍ୟ କରୁଥିବା ଚାରୋଟି କମ୍ପାନି ସହିତ ଜଡିତ କରିଛି। ଦେଶ ବିଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାୟବରେଲିରେ ମାଟି ପାତ୍ର ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରି ଦିନକୁ ମାତ୍ର କିଛି ଟଙ୍କା ରୋଜଗାର କରୁଥିବା ଜଣେ କୁମ୍ଭାର ୧.୨୫ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ନୋଟିସ୍ ପାଇଛନ୍ତି। ରାୟବରେଲିର ହରଚାନ୍ଦପୁର ନିକଟରେ ରହୁଥିବା ମହମ୍ମଦ ସଇଦ କହିଛନ୍ତି ଯେ, ନୋଟିସ୍‌ରେ ଉଲ୍ଲେଖ କରାଯାଇଥିବା ପରି ସେ କେବେ କୌଣସି କମ୍ପାନି ଚଲାଇ ନାହାନ୍ତି। ସେ ସନ୍ଦେହ କରୁଛନ୍ତି ଯେ ତାଙ୍କ ନାମରେ ଠକେଇ କରିବା ପାଇଁ ତାଙ୍କ ପ୍ୟାନ୍ ଓ ଆଧାର ବିବରଣୀର ଅପବ୍ୟବହାର କରାଯାଇଛି।

ମାଟି ପାତ୍ର ତିଆରି କରି ବିକି ପାଞ୍ଚ ଜଣିଆ ପରିବାର ପ୍ରତିପାଳନ କରୁଥିବା ସଇଦ କହିଛନ୍ତି, ନୋଟିସ୍‌ରେ ତାଙ୍କୁ ପାଟନାରେ କାର୍ଯ୍ୟ କରୁଥିବା ଚାରୋଟି କମ୍ପାନି ସହିତ ଜଡିତ କରିଛି। ସଇଦଙ୍କ ଅନୁଯାୟୀ, କିଛି ବର୍ଷ ପୂର୍ବେ ଜଣେ ଗ୍ରାମବାସୀ ତାଙ୍କୁ ଋଣ ଆବେଦନ କରିବା ପାଇଁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର (ପିଏଏନ୍) କାର୍ଡ ଓ ଆଧାର କାର୍ଡ ପାଇବାରେ ସାହାଯ୍ୟ କରିଥିଲେ।ସେ କେବେ ଋଣ ପାଇ ନାହାନ୍ତି। ପରେ ନିଜର କାଗଜପତ୍ର ମଧ୍ୟ ହଜାଇ ଦେଇଥିଲେ। ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ, ସେ ଆର୍ଥିକ ସହାୟତା ପାଇନାହାନ୍ତି କିମ୍ବା କୌଣସି ବ୍ୟବସାୟ ଆରମ୍ଭ କରି ନାହାନ୍ତି। ସେ ଅନୁମାନ କରୁଛନ୍ତି ଯେ, ହଜିଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକୁ ପରେ ନକଲି ଫାର୍ମ ତିଆରି କରିବା ପାଇଁ ଅପବ୍ୟବହାର କରାଯାଇଛି।

ଜିଏସଟି ନୋଟିସ ପାଇ ଗରିବ ପରିବାର ଆଶ୍ଚର୍ଯ୍ୟ

ସେ କହିଛନ୍ତି, ଆମେ ଜାଣିବାକୁ ପାଇଲୁ ଯେ, ମୋ ନାମରେ ପାଟନାରେ ଚାରୋଟି କମ୍ପାନି ରହିଛି। ଆମ ସହିତ ଏକ ବଡ଼ ଠକେଇ ହୋଇଛି। ଏପରି କୌଣସି ସଂସ୍ଥା ବିଷୟରେ ମୋର କୌଣସି ଜ୍ଞାନ ନାହିଁ। ପ୍ରଥମ ଜିଏସ୍‌ଟି ନୋଟିସ୍ ପ୍ରାୟ ଛଅରୁ ସାତ ମାସ ପୂର୍ବରୁ ନବରାତ୍ରି ସମୟରେ ଆସିଥିଲା ​​ବୋଲି ଜଣାପଡ଼ିଛି। ନିରକ୍ଷରତା ଯୋଗୁ ପରିବାର ଏହାକୁ ପଢ଼ି ପାରି ନଥିଲେ ଅବା ଏହାର ଗମ୍ଭୀରତାକୁ ବୁଝିପାରି ନଥିଲେ।ଆମେ ଏହାକୁ କାହାକୁ ପଢ଼ାଇ ମଧ୍ୟ ନଥିଲୁ। କ’ଣ ଗୋଟେ କାଗଜ ହୋଇଥିବ ଭାବି ହେୟ ଜ୍ଞାନ କରିଥିଲୁ। ଯେତେବେଳେ ଫେବ୍ରୁଆରି ୧୫ ରେ ଆଉ ଏକ ନୋଟିସ୍ ଆସିଲା, ପରିବାର ଏହାକୁ ବୁଝିବା ପାଇଁ ପଢ଼ିଜାଣିଥିବା ଲୋକଙ୍କର ସାହାଯ୍ୟ ଲୋଡିଥିଲେ। ସେତେବେଳେ ସେମାନେ ୧.୨୫ କୋଟି ଟଙ୍କାରୁ ଅଧିକ ଟଙ୍କାର ଟିକସ ଦେଇ ନଥିବା ବିଷୟରେ ଜାଣିବାକୁ ପାଇଥିଲେ। ସମଗ୍ର ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯଦି ଆମେ କୌଣସି ଠକେଇ କରିଛୁ, ତେବେ ଆମକୁ ଚୋର ପରି ଦଣ୍ଡ ଦିଆଯାଉ। କିନ୍ତୁ ଯଦି ନୁହେଁ, ଦୟାକରି ଏହାକୁ ଯେଉଁଠାରୁ ଆସିଛି ସେଠାକୁ ଫେରାଇ ନିଅନ୍ତୁ ବୋଲି ସେ କହିଛନ୍ତି।।

ସଇଦଙ୍କ ବଡ଼ ପୁଅ ଫରିଦ(୨୦) ଓ ସାନ ପୁଅ ମାନା (୧୮) ତାଙ୍କୁ ମାଟି କାମରେ ସାହାଯ୍ୟ କରିଥାନ୍ତି। ତାଙ୍କ ଝିଅମାନେ ଘରକାମରେ ସାହାଯ୍ୟ କରନ୍ତି। ପରିବାର କହିଛନ୍ତି ଯେ ସେମାନେ ବୁଝିପାରୁନାହାନ୍ତି ଯେ, ପ୍ରତିଟି ମାଟି ଜିନିଷ ୨ ଟଙ୍କାରେ ବିକୁଥିବା ବ୍ୟକ୍ତିଙ୍କ ବିରୋଧରେ ଏତେ ବଡ଼ ପରିମାଣର ଟିକସ ଦାବି କିପରି ଜାରି କରାଯାଇଛି।ସଇଦ ଓ ତାଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ତତା ବ୍ୟଥିତ ହୋଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ପରିଚୟ ପତ୍ରର ଅପବ୍ୟବହାର ଅଭିଯୋଗର ତଦନ୍ତ କରିବାକୁ ଏବଂ ମାମଲାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ବିବୃତି ଦେଇନାହାନ୍ତି। ସଇଦ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି, ଆଶା କରୁଛନ୍ତି, କର୍ତ୍ତୃପକ୍ଷ ତାଙ୍କ ଦାବି ଯାଞ୍ଚ୍ କରିବେ। ଆଉ ତାଙ୍କୁ ନ୍ୟାୟ ମିଳିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button