ଦେଶ ବିଦେଶ

Health: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା: ଡ଼ଃ ସଂଘମିତ୍ରା ପତି

ପିଆଇବି ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଆଜି ଭୁବନେଶ୍ୱରସ୍ଥିତ ICMR-RMRC ପରିଦର୍ଶନ କରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଅତ୍ୟାଧୁନିକ ଗବେଷଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ଭୁବନେଶ୍ୱର: ପିଆଇବି ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଆଜି ଭୁବନେଶ୍ୱରସ୍ଥିତ  ଆଇସିଏମଆର–ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର (RMRC) ପରିଦର୍ଶନ କରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଅତ୍ୟାଧୁନିକ ଗବେଷଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ଏହି ଅବସରରେ ଆଇସିଏମଆରର ଏଡିଜି ତଥା ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ସାମ୍ବାଦିକମାନଙ୍କୁ ସ୍ୱାଗତ କରି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ ଓ ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ବିଶେଷ କରି କୋଭିଡ-୧୯ ମହାମାରୀ ଭାରତକୁ ‘ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା’ ଆଡ଼କୁ ଗତି କରିବାର ଯେଉଁ ମୂଲ୍ୟବାନ ଶିକ୍ଷା ଦେଇଛି, ସେ ସମ୍ପର୍କରେ ଡକ୍ଟର ପତି ଗୁରୁତ୍ୱାରୋପ କରିଥିଲେ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ରୋଗ ଚିହ୍ନଟ ପ୍ରଣାଳୀ ଓ ବୈଜ୍ଞାନିକ ନବସୃଜନ କିଭଳି ଭାବେ ଦେଶର ସ୍ୱାସ୍ଥ୍ୟ ସଙ୍କଟ ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ସେ ନେଇ ସେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ।

ପରିଦର୍ଶନ କାଳରେ ପ୍ରତିନିଧି ଦଳ ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ସହ ମତ ବିନିମୟ କରିଥିଲେ। ସେମାନଙ୍କୁ ମ୍ୟାଲେରିଆ, ଯକ୍ଷ୍ମା, ସିକିଲ୍ ସେଲ୍, ଆଣ୍ଟିବାୟୋଟିକ୍ ପ୍ରତିରୋଧ ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଉଥିବା ବହୁମୁଖୀ ଗବେଷଣା ବିଷୟରେ ଜଣାଇ ଦିଆଯାଇଥିଲା। କୋଭିଡ ସମୟରେ ଆରଏମଆରସି ପକ୍ଷରୁ କରାଯାଇଥିବା ବ୍ୟାପକ ପରୀକ୍ଷଣ, ଟିକା ପ୍ରଭାବଶାଳୀତା ଅନୁଧ୍ୟାନ ଏବଂ ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଯୋଗାଇ ଦିଆଯାଇଥିବା ବୈଷୟିକ ସହାୟତାକୁ ସାମ୍ବାଦିକମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସ୍ୱାସ୍ଥ୍ୟ ଗବେଷଣା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନୂତନ ଗବେଷକମାନଙ୍କୁ ଦକ୍ଷ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ପ୍ରତିନିଧି ଦଳ ସମ୍ମାନ ଜଣାଇଥିଲେ।

ଏହା ସହିତ ସାମ୍ବାଦିକମାନେ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର (CTTC) ପରିଦର୍ଶନ କରି ସେଠାକାର ଅତ୍ୟାଧୁନିକ ମାନୁଫ୍ୟାକ୍ଚରିଂ ଓ ପ୍ରଶିକ୍ଷଣ ସୁବିଧାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ସିଟିଟିସି ଅଧିକାରୀମାନେ ସାମ୍ବାଦିକମାନଙ୍କୁ ଇଣ୍ଡଷ୍ଟ୍ରି ୪.୦, ରୋବୋଟିକ୍ସ ଓ ସିଏନସି ମେସିନିଂ ଭଳି ଉଚ୍ଚକୋଟୀର ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ବୁଝାଇଥିଲେ। ବିଶେଷ କରି ଭାରତର ପ୍ରତିରକ୍ଷା ଓ ମହାକାଶ ଗବେଷଣା କ୍ଷେତ୍ରରେ ସିଟିଟିସିର ଅବଦାନ ସମ୍ପର୍କରେ ଜାଣିବାକୁ ସେମାନେ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ। ଚନ୍ଦ୍ରଯାନ-୩ ପାଇଁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ ଏବଂ ଗଗନଯାନ ମିଶନରେ ଅନୁଷ୍ଠାନର ସକ୍ରିୟ ସହଭାଗିତା ଦେଶର ବୈଷୟିକ ଶକ୍ତିକୁ ପ୍ରତିଫଳିତ କରୁଛି ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ।

ପରିଶେଷରେ, ଇସ୍ରୋ, ଡିଆରଡିଓ ଓ ହାଲ୍ ଭଳି ପ୍ରତିଷ୍ଠିତ ସଂସ୍ଥା ସହ ସିଟିଟିସିର ସହଭାଗିତା ଏବଂ ବାର୍ଷିକ ହଜାର ହଜାର ଯୁବକଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବାର ପ୍ରୟାସକୁ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ଦ୍ୱାରା ବୈଜ୍ଞାନିକ ଉପଲବ୍ଧି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବୃଦ୍ଧି ପାଇବା ସହ ଭାରତର ବଢୁଥିବା ସ୍ୱାସ୍ଥ୍ୟ ଗବେଷଣା ଓ ବୈଷୟିକ ଦକ୍ଷତା ସମ୍ପର୍କରେ ସେମାନେ ସମ୍ୟକ ଧାରଣା ପାଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button