ମନୋରଞ୍ଜନ

Heartwarming representatives: ବିବିଧ ଓଡ଼ିଶାର ହୃଦୟସ୍ପର୍ଶୀ ପ୍ରତିନିଧି

କୋଶ କୋଶ ପର ବଦଲେ ପାନି, ଚାର କୋଶ ପର ବାନୀ’- ଏହି ହିନ୍ଦୀ ଲୋକୋକ୍ତି ଭାରତର ଭାଷାଗତ ବିବିଧତାକୁ ପ୍ରକାଶ କରେ। ଆଞ୍ଚଳିକ ଉପଭାଷା ଓ କଥନ ଶୈଳୀର ବିବିଧତା ଦୃଷ୍ଟିରୁ ଓଡ଼ିଶା ମଧ୍ୟ କମ୍‌ ସମୃଦ୍ଧ ନୁହେଁ।

କୋଶ କୋଶ ପର ବଦଲେ ପାନି, ଚାର କୋଶ ପର ବାନୀ’- ଏହି ହିନ୍ଦୀ ଲୋକୋକ୍ତି ଭାରତର ଭାଷାଗତ ବିବିଧତାକୁ ପ୍ରକାଶ କରେ। ଆଞ୍ଚଳିକ ଉପଭାଷା ଓ କଥନ ଶୈଳୀର ବିବିଧତା ଦୃଷ୍ଟିରୁ ଓଡ଼ିଶା ମଧ୍ୟ କମ୍‌ ସମୃଦ୍ଧ ନୁହେଁ। ତେବେ ଓଡ଼ିଶାର ଲୋକପ୍ରିୟ ସାହିତ୍ୟ ଓ ଚଳଚ୍ଚିତ୍ରରେ ଏହି ବିବିଧତା ଖୁବ୍ କମ୍ ପ୍ରତିଫଳିତ ହୋଇଛି। ପ୍ରଥମେ ସେହି ଦୃଷ୍ଟିରୁ(ଅନୁଗୁଳିଆ କଥନ ଶୈଳୀ ପାଇଁ) ‘ବର ବଧୂ’ ପ୍ରଶଂସାର ପାତ୍ର। ଏହି ଚଳଚ୍ଚିତ୍ରର ଆବେଦନ ସେତିକିରେ ସୀମିତ ରହିଯାଇ ନାହିଁ, ଏହାର ମୌଳିକ କାହାଣୀ, ବାସ୍ତବଧର୍ମୀ ଅଭିନୟ ଓ ସଂଗୀତରେ ମଧ୍ୟ ସେତିକି ପ୍ରସ୍ଫୁଟିତ ହୋଇଛି। କୁହାଯାଏ ବାଞ୍ଛିତ ଭାବେ ହେଉ ଅବା ଅବାଞ୍ଛିତ ଭାବେ ହେଉ, କଳା ସର୍ବଦା ରାଜନୈତିକ ହୋଇଥାଏ। ‘ବର ବଧୂ’ ବର୍ତ୍ତମାନ ସମୟର ଗ୍ରାମାଞ୍ଚଳରେ ଯୁବ ବେକାରି ସମସ୍ୟାକୁ ଉଜାଗର କରିବା ସଙ୍ଗେସଙ୍ଗେ ଆତ୍ମସମୀକ୍ଷା ପାଇଁ ଦର୍ଶକମାନଙ୍କୁ ନିବେଦନ କରିଛି। ଉଭୟ ନାୟକ ଓ ନାୟିକା ଚରିତ୍ର କଲେଜ ଶିକ୍ଷା ପରେ ନିଯୁକ୍ତି ଓ ଆତ୍ମପରିଚୟ ପାଇଁ ସଂଘର୍ଷ କରୁଛନ୍ତି।

ଏତିକିବେଳେ ସେମାନଙ୍କୁ ସରକାରୀ ନିଯୁକ୍ତିର ଏକ ଗଳାବାଟ ଦିଶୁଛି, ଯାହା ଦୁର୍ନୀତିପୂର୍ଣ୍ଣ ବୋଲି ଜାଣି ବି ସେମାନେ ସେଥିରେ ଅଗ୍ରସର ହେଉଛନ୍ତି। କାହାଣୀର ସବୁଠାରୁ କରୁଣ ଦିଗ ହେଉଛି ସରକାରୀ ଦୁର୍ନୀତିକୁ ମୁକାବିଲା କରିବା ପାଇଁ ଗ୍ରାମସଭାରେ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ଦୁର୍ନୀତି ବିରୋଧୀ ନୁହେଁ ବରଂ ଦୁର୍ନୀତିର ଗଣତନ୍ତ୍ରୀକରଣ! ଗ୍ରାମାଞ୍ଚଳରେ ଦୁର୍ନୀତି ଦ୍ବାରା ପୀଡ଼ିତ ଲୋକମାନେ କିପରି କୁଚକ୍ରରେ ପଡ଼ି ଦୁର୍ନୀତିର ଅଧିକ ବିପଜ୍ଜନକ ରୂପକୁ ସମର୍ଥନ କରିବସନ୍ତି ତାହାର ଉଦାହରଣ ହେଉଛି ଏହି ସିନେମାରେ ଅଙ୍ଗନଵାଡ଼ି କର୍ମୀ ପଦ ଗ୍ରାମସଭାରେ ନିଲାମ ହେବା।

ସଂଯୋଗକୁ ‘ବର ବଧୂ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ସପ୍ତାହରେ ହିଁ ଜଣେ ଅଙ୍ଗନଵାଡ଼ି କର୍ମୀଙ୍କ ଦୁର୍ଦ୍ଦଶା ଲୋକଲୋଚନକୁ ଆସିଥିଲା। ଅସଲ ଜୀବନର ସେହି ଅଙ୍ଗନଵାଡ଼ି କର୍ମୀ ଦୁର୍ନୀତି ଠାରୁ ଅଧିକ ବ୍ୟାପକ ଓ କଦର୍ଯ୍ୟ ପ୍ରଭାବ ପକାଉଥିବା ଜାତିବାଦର ଶରବ୍ୟ ହୋଇଥିଲେ। ‘ବର ବଧୂ’ ଚଳଚ୍ଚିତ୍ର ଯେହେତୁ ଗ୍ରାମୀଣ ବାସ୍ତବତାକୁ ଉଜାଗର କରିବାକୁ ଉଦ୍ୟମ କରିଛି, ସେଥିରେ ଜାତିପ୍ରଥାର କୌଣସି ଭୂମିକା ନ ରହିବାକୁ ଏକ ଖୁଣ ରୂପେ ଦେଖାଯାଇପାରେ। ସେହିପରି ଏହି କାହାଣୀର ଦୁଇ ମୁଖ୍ୟ ଚରିତ୍ର ବିଜୁ(ଶୈଳେନ୍ଦ୍ର ସାମନ୍ତରାୟ) ଓ ସୁମନ(ଶିବାନୀ ସଙ୍ଗୀତା)ଙ୍କ ସମ୍ପର୍କ ଏକ ବାଧ୍ୟବାଧକତାଜନିତ ବୁଝାମଣାରୁ ଆରମ୍ଭ ହୋଇଥିବାରୁ ତାହାକୁ ପ୍ରେମ ସମ୍ପର୍କ ଭାବେ ବିକଶିତ କରିବାର ଉଦ୍ୟମ ବିଶ୍ବସନୀୟ ଲାଗିଲା ନାହିଁ। ପ୍ରକୃତରେ ଏହି କାହାଣୀର କେନ୍ଦ୍ରରେ ବିବାହ ଅବା ପ୍ରେମ ନାହିଁ, ଅଛି ଦୁଇଜଣ ଯୁବକଯୁବତୀ ସେମାନଙ୍କ ପରିସ୍ଥିତି ସହିତ ଯୁଝିବା ଏବଂ ନିଜକୁ ଆବିଷ୍କାର କରିବାର ଯାତ୍ରା। ସବୁଠାରୁ ଭଲ କଥା ହେଲା ଚିରାଚରିତ ଲିଙ୍ଗଗତ ଧାରଣାକୁ ଏହି ସିନେମା ଚ୍ୟାଲେଞ୍ଜ କରିଛି- ନାୟକ ରୋଷେଇରେ ପାରଙ୍ଗମ ତ ନାୟିକା ନିଜ କ୍ୟାରିଅର ନେଇ ଏତେ ଚିନ୍ତାଶୀଳ ଯେ ଚାକିରି ପାଇଁ ପ୍ରେମ ସମ୍ପର୍କକୁ ଜଳାଞ୍ଜଳି ଦେଇଦେଉଛି।

କିଛିଟା ଅସଂଗତି ସତ୍ତ୍ବେ ଶୈଳେନ୍ଦ୍ର ଓ ଶିବାନୀ ନିଜନିଜ ଚରିତ୍ରକୁ ନ୍ୟାୟ ଦେଇଛନ୍ତି। ବିଶେଷ କରି ଶୈଳେନ୍ଦ୍ର ଆଞ୍ଚଳିକ କଥନ ଓ ଗ୍ରାମୀଣ ହାବଭାବକୁ ଚମତ୍କାର ଢଙ୍ଗରେ ଆୟତ୍ତ କରି ପରିପକ୍ବ ଅଭିନୟ କରିଛନ୍ତି। ବିଜୁ ଚରିତ୍ରର ଭଉଣୀ ଓ ଭିଣୋଇ ଭାବେ ସୂର୍ଯ୍ୟମୟୀ ମହାପାତ୍ର ଓ ହର ରଥ ସବୁଠାରୁ ଜୀବନ୍ତ ଅଭିନୟ କରିଛନ୍ତି। ରିତେନ ପଟ୍ଟନାୟକ ଓ ଅଙ୍କିତା ମିଶ୍ରଙ୍କ ପରି ହାସ୍ୟରସ ପ୍ରତିଭାଙ୍କୁ ଏହି ଚଳଚ୍ଚିତ୍ରରେ ଦେଖି ଖୁସି ଲାଗିଲା କିନ୍ତୁ ସେମାନଙ୍କୁ ଏଥିରେ ଦକ୍ଷତା ପ୍ରଦର୍ଶନର ବିଶେଷ ସୁଯୋଗ ମିଳିନାହିଁ। ଚଳଚ୍ଚିତ୍ରର ସିନେମାଟୋଗ୍ରାଫି, ଗୀତ ଓ ପୃଷ୍ଠଭୂମି ସଂଗୀତ ଏହି କାହାଣୀକୁ ଅଧିକ ଉପଭୋଗ୍ୟ କରିପାରିଛି। ଏଡିଟିଂ ଓ ସଂଳାପରେ କିଛିଟା ଅପରିପକ୍ବତା ରହିଥିଲେ ବି ସେଗୁଡ଼ିକ କାହାଣୀର ଗତିଶୀଳତାକୁ ପ୍ରଭାବିତ କରିନାହିଁ।

ପାରିବାରିକ ଚଳଚ୍ଚିତ୍ର ରୂପେ ମନୋରଞ୍ଜନ ଚାହିଦାକୁ ପୂରଣ କରିବା ପାଇଁ ‘ବର ବଧୂ’ରେ ପର୍ଯ୍ୟାପ୍ତ ଉପାଦାନ ରହିଛି। କାହାଣୀର ସୀମିତ ପରିସର କାହାକୁ ଭଲ ଲାଗିପାରେ, ଆଉ କାହାକୁ ଅସଂପୂର୍ଣ୍ଣ ବି ଲାଗିପାରେ। ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ‘ବର ବଧୂ’ ହେଉଛି ଓଡ଼ିଆ ସିନେମାର ପୁନରୁତ୍ଥାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ।

“ବର ବଧୂ’’
ନିର୍ଦେଶକ: ବିଶ୍ବରଞ୍ଜନ ପ୍ରଧାନ
ମୁଖ୍ୟ ଚରିତ୍ରରେ: ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button