Himachal High Court: ହିମାଚଳ ହାଇକୋର୍ଟଙ୍କ ରାୟ: ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ନଦେଲେ ସ୍ୱାମୀଙ୍କୁ ହେବ ଜେଲ୍ ଦଣ୍ଡ

ଶିମଲା: ଏକ ଗୁରୁତ୍ୱପୂର୍ଣ୍ଣ ତଥା କଠୋର ରାୟରେ, ହିମାଚଳ ପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ବାରମ୍ବାର ଭରଣପୋଷଣ ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଏକ ମାସରୁ ଅଧିକ ଦିନ ପାଇଁ କାରାଦଣ୍ଡରେ ଦଣ୍ଡିତ କରିପାରିବେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସିଆର୍‌ପିସିର ଧାରା ୧୨୫(୩)ଅନୁଯାୟୀ ଖିଲାପକାରୀ ଏନେଇ ଉତ୍ତରଦାୟର ରହିବେ। ରାମ ଲାଲଙ୍କ ଦ୍ୱାରା ଦାୟର ଏକ ଆବେଦନକୁ ଖାରଜ କରି ଜଷ୍ଟିସ୍ ସନ୍ଦୀପ ଶର୍ମାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି। ଆବେଦନକାରୀ, ଜଣେ ଶ୍ରମିକ, ତାଙ୍କ ସ୍ତ୍ରୀ ଏବଂ ନାବାଳକ ଝିଅମାନଙ୍କୁ ଭରଣପୋଷଣ ଦେବାରେ ବିଫଳ ହେବା ଯୋଗୁ ତାଙ୍କୁ ୭୦ ଦିନର କ୍ରମାଗତ ଜେଲ ଦଣ୍ଡାଦେଶ ଦେଇଥିବା ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ନିମ୍ନ ଅଦାଲତ ବିଭିନ୍ନ ଅବଧି ପାଇଁ ଯଥାକ୍ରମେ ୩୦ ଦିନ, ୧୫ ଦିନ ଏବଂ ୨୫ ଦିନର କ୍ରମାଗତ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ସୁପ୍ରିମକୋର୍ଟର ଶାହାଦା ଖାତୁନ୍ ବନାମ ଅମଜାଦ ଅଲ୍ଲୀ ମାମଲାର ଉଦାହରଣ ଦେଇ ଆବେଦନକାରୀ ଯୁକ୍ତି ଦେଇଥିଲେ, ଖିଲାପକାରୀଙ୍କୁ ଜେଲ୍ ଦଣ୍ଡ ଏକ ମାସରୁ ଅଧିକ ହୋଇପାରିବ ନାହିଁ। ସେ ଯୁକ୍ତି ଦେଇଥିଲେ ଯେ ଟ୍ରାଏଲ୍ କୋର୍ଟ ଏହି ଦଣ୍ଡାଦେଶ ଦେବାରେ ନିଜର କ୍ଷେତ୍ରାଧିକାର ଅତିକ୍ରମ କରିଛନ୍ତି।

ସୌଜନ୍ୟ ସମ୍ବାଦ