ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡରେ ଭୟଙ୍କର ବନାଗ୍ନି ଏକ ସମସ୍ୟା ପାଲଟିଛି। ରୁଦ୍ରପ୍ରୟାଗର ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗ ଚଳିତ ଋତୁରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୨୦ଟି ଜଙ୍ଗଲରେ ନିଆଁ ଲାଗିଥିବା ରିପୋର୍ଟ କରିଛି, ଯାହା ପ୍ରାୟ ୧୫ ହେକ୍ଟର ଜମିକୁ ପ୍ରଭାବିତ କରିଛି। ଏଥିପାଇଁ ଶୁଖିଲା ପାଗ ସହ ମାନବୀୟ କାରଣକୁ ଦାୟୀ କରାଯାଇଛି।
ଗତ କିଛି ସପ୍ତାହ ମଧ୍ୟରେ, ଗଡ଼ୱାଲ ଓ କୁମାୟୁଁ ଅଞ୍ଚଳରେ ଅଗ୍ନି ସତର୍କ ସୂଚନା ଜାରି କରାଯାଇଛି, କାରଣ ଏପ୍ରିଲ ମାସରେ ପାହାଡ଼ିଆ ଅଞ୍ଚଳ ସମେତ ସାରା ଦେଶରେ ଅତ୍ୟଧିକ ଉତ୍ତାପ ଜାରି ରହିଛି। ତେବେ ଜଙ୍ଗଲରେ ନିଆଁ ଲାଗିବା ଉତ୍ତରାଖଣ୍ଡ ପାଇଁ ନୂଆ କଥା ନୁହେଁ। ଚଳିତ ବର୍ଷ ପ୍ରାରମ୍ଭରେ, ଚମୋଲି ଜିଲ୍ଲାରେ ଥିବା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭ୍ୟାଲି ଅଫ୍ ଫ୍ଲାୱାର୍ସ ଜାତୀୟ ଉଦ୍ୟାନରେ ପାଞ୍ଚ ଦିନ ଧରି ନିଆଁ ଲାଗିଥିଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ଭାରତୀୟ ବାୟୁସେନାର ସାହାଯ୍ୟ ନେବାକୁ ପଡ଼ିଥିଲା।
ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ଜଙ୍ଗଲ ରହିଛି। ଶୁଖିଲା ପତ୍ର, ଡାଳ ଓ ପାଇନ୍ କାଠି ଜମା ହେବା କାରଣରୁ ପ୍ରତିବର୍ଷ ନଭେମ୍ବରରୁ ମେ ମାସ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥାଏ। କିନ୍ତୁ ଏବେ ନିଆଁର ବାରମ୍ବାରତା ଓ ତୀବ୍ରତା ବୃଦ୍ଧି ପାଉଛି। ବିଶ୍ଳେଷଣରୁ ଜଣାପଡିଛି ଯେ ରାଜ୍ୟରେ ଅଗ୍ନିକାଣ୍ଡ ଘଟଣା ୨୦୦୨ରେ ୯୨୨ରୁ ୨୦୧୯ରେ ୪୧,୬୦୦କୁ ବୃଦ୍ଧି ପାଇଛି। ରୁଦ୍ରପ୍ରୟାଗର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍ଓ) ରଜତ ସୁମନ କହିଛନ୍ତି ଯେ ଅନେକ ନିଆଁ ଜାଣିଶୁଣି ଲଗାଯାଉଛି। କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଚାଲିଛି। ଏଭଳି ମାମଲାରେ ଅପରାଧୀଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଆର୍ଥିକ ଦଣ୍ଡ ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।
ସୌଜନ୍ୟ ସମ୍ବାଦ