Himachal’s Komic Village: ଆକାଶ ତଳେ ନୁହେଁ, ଆକାଶ ପାଖରେ ଭାରତର ଏହି ଗାଁ
ଭାବନ୍ତୁ ତ... ଏମିତି ଏକ ଗାଁ, ଯେଉଁଠି ଗଛ ନାହିଁ, ଜଙ୍ଗଲ ନାହିଁ। ଶୀତ ଏତେ ଭୟଙ୍କର ଯେ ପାଣି ମଧ୍ୟ ବରଫ ହୋଇଯାଏ। ଯେଉଁଠି ଲୋକଙ୍କୁ ଅଧା ଅକ୍ସିଜେନ୍ରେ ବଞ୍ଚିବାକୁ ପଡ଼େ। ରାତିରେ ଘରକୁ ଗରମ ରଖିବା ପାଇଁ ଗୋବର ଜଳାଯାଏ, ଆଉ ପଶୁମାନେ ମଧ୍ୟ ଘର ଭିତରେ ରୁହନ୍ତି। ଏହା କୌଣସି ବିଦେଶୀ ଦେଶ ନୁହେଁ, ଏହା ହେଉଛି ଭାରତର ଏକ ଗାଁ ଯେଉଁ ଗାଁ ଆକାଶର ସବୁଠାରୁ ନିକଟରେ ଅବସ୍ଥିତ ।

ନୂଆଦିଲ୍ଲୀ: ଭାବନ୍ତୁ ତ… ଏମିତି ଏକ ଗାଁ, ଯେଉଁଠି ଗଛ ନାହିଁ, ଜଙ୍ଗଲ ନାହିଁ। ଶୀତ ଏତେ ଭୟଙ୍କର ଯେ ପାଣି ମଧ୍ୟ ବରଫ ହୋଇଯାଏ। ଯେଉଁଠି ଲୋକଙ୍କୁ ଅଧା ଅକ୍ସିଜେନ୍ରେ ବଞ୍ଚିବାକୁ ପଡ଼େ। ରାତିରେ ଘରକୁ ଗରମ ରଖିବା ପାଇଁ ଗୋବର ଜଳାଯାଏ, ଆଉ ପଶୁମାନେ ମଧ୍ୟ ଘର ଭିତରେ ରୁହନ୍ତି। ଏହା କୌଣସି ବିଦେଶୀ ଦେଶ ନୁହେଁ, ଏହା ହେଉଛି ଭାରତର ଏକ ଗାଁ ଯେଉଁ ଗାଁ ଆକାଶର ସବୁଠାରୁ ନିକଟରେ ଅବସ୍ଥିତ । ଆଜ୍ଞା ହଁ କୋମିକ୍ ହିମାଚଳ ପ୍ରଦେଶର ସ୍ପିତି ଉପତ୍ୟକାରେ ଥିବା ଏହି ଗାଁର ଜୀବନଶୈଳୀ ଯେତିକି କଠିନ, ସେତିକି ଆଶ୍ଚର୍ଯ୍ୟଜନକ। ଆସନ୍ତୁ ଜାଣିବା ଆକାଶକୁ ଛୁଇଁଥିବା ଏହି ଅନନ୍ୟ ଗାଁର ସଙ୍ଘର୍ଷର କଥା । ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ କୋମିକ୍ ଗାଁକୁ ଭାରତର ସବୁଠାରୁ ଉଚ୍ଚ ବସବାସଯୋଗ୍ୟ ଗାଁ ବୋଲି କୁହାଯାଏ। ଏଠାରେ ଛିଡ଼ା ହେଲେ ଲାଗେ ଯେପରି ହାତ ବଢ଼ାଇଲେ ଆକାଶକୁ ଛୁଇଁହେବ।
ଚାରି ମାସ ପୂର୍ବରୁ ୟୁଟ୍ୟୁବର କନିଷ୍କ ଗୁପ୍ତା ନିଜେ ଏହିଗାଁକୁ ଯାଇଁ ଭ୍ଲଗ୍ବ ବନାଇଥିଲେ। ଆଉ ତାଙ୍କର ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହା ପରେ ଏହି ଗାଁ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ କୋମିକ୍ ଗାଁର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅକ୍ସିଜେନ୍। ସମତଳ ଅଞ୍ଚଳ ତୁଳନାରେ ଏଠାରେ ପ୍ରାୟ ୫୦ ପ୍ରତିଶତ କମ୍ ଅକ୍ସିଜେନ୍ ମିଳେ। କନିଷ୍କ ଯେତେବେଳେ ଏଠାକୁ ପହଞ୍ଚିଥିଲେ, ତାଙ୍କ ଶରୀରର ଅକ୍ସିଜେନ୍ ସ୍ତର ୮୦କୁ ଖସି ଆସିଥିଲା। ସାଧାରଣତଃ ଏପରି ସ୍ଥିତିରେ ଚିକିତ୍ସା ଆବଶ୍ୟକ ହୁଏ। କିନ୍ତୁ ଏଠାର ସ୍ଥାନୀୟ ଲୋକେ ପିଢ଼ି ପରେ ପିଢ଼ି ଏହି ପରିବେଶରେ ରହି ନିଜ ଶରୀରକୁ ଏହା ସହିତ ଖାପ ଖୁଆଇ ନେଇଛନ୍ତି। ଏଠାରେ ଶୀତ ଏତେ ତୀବ୍ର ଯେ ଗଛ ମଧ୍ୟ ବଞ୍ଚିପାରେ ନାହିଁ। ସେଥିପାଇଁ ଘର ନିର୍ମାଣର ଶୈଳୀ ମଧ୍ୟ ଭିନ୍ନ। ଦୁଇ ଫୁଟ ମୋଟା କାନ୍ଥ ଥିବା ମାଟି ଘର ଶୀତରୁ ସୁରକ୍ଷା ଦେଇଥାଏ। ଘରଗୁଡ଼ିକୁ ଧଳା ରଙ୍ଗ କରାଯାଏ, ଯାହା ସୂର୍ଯ୍ୟଙ୍କ ପ୍ରଖର କିରଣକୁ ପ୍ରତିଫଳିତ କରିଥାଏ। ପାଣି ବରଫ ହୋଇଯାଉଥିବାରୁ ଏଠାରେ ଡ୍ରାଏ ଟଏଲେଟ୍ ବ୍ୟବସ୍ଥା ରହିଛି, ଯାହାର ବର୍ଜ୍ୟବସ୍ତୁ ପରେ ଚାଷ ପାଇଁ ଖତ ଭାବେ ବ୍ୟବହୃତ ହୁଏ।
ଗଛ ନଥିବାରୁ ଜାଳେଣିର ଅଭାବ ରହିଥାଏ । ସେଥିପାଇଁ ୟାକ୍, ଗାଈ ଏବଂ ଗଧଙ୍କ ଶୁଖିଲା ଗୋବର ହିଁ ଏଠାରେ ଇନ୍ଧନ ଭାବେ କାମ କରେ । ଏହି ଗୋବରରେ ଚୁଲି ଜଳେ, ଘର ଗରମ ରହେ। ଭୟଙ୍କର ଶୀତରୁ ରକ୍ଷା ପାଇବାକୁ ପଶୁମାନଙ୍କୁ ମଧ୍ୟ ଘର ଭିତରେ ରଖାଯାଏ। ପଶୁଙ୍କ ଶରୀରରୁ ନିର୍ଗତ ଉଷ୍ମା ଘରକୁ ଅଧିକ ଉଷ୍ଣ ରଖିଥାଏ। କଠିନ ପରିସ୍ଥିତି ସତ୍ତ୍ୱେ ଜୀବନ ଏଠାରେ ରଙ୍ଗହୀନ ନୁହେଁ। ଗ୍ଲେସିୟରରୁ ଆସୁଥିବା ଝରଣା ପିଇବା ପାଣିର ମୁଖ୍ୟ ଉତ୍ସ। ଲୋକମାନେ ଜଅ ଛତୁଆ, ଘିଅ, ପନିର ଏବଂ ଚିନି ମିଶାଇ ତିଆରି ‘ଚିରୁଲ୍’ ଖାଇଥାନ୍ତି। ଏହା ସେମାନଙ୍କୁ ଶକ୍ତି ଯୋଗାଏ ଏବଂ ଶୀତ ସହ ଲଢ଼ିବାରେ ସାହାଯ୍ୟ କରେ। କୋମିକ୍ର ଭୂଦୃଶ୍ୟ ଆହୁରି ରହସ୍ୟମୟ। ପବନ ଓ ପାଣିର କଟାଣରେ ତିଆରି ହୋଇଥିବା ପାହାଡ଼ଗୁଡ଼ିକୁ ଦେଖିଲେ ଲାଗେ ଯେପରି ଆପଣ ପୃଥିବୀରେ ନୁହେଁ, ମଙ୍ଗଳ ଗ୍ରହରେ ଅଛନ୍ତି। ସେଥିପାଇଁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ “ମୁନଲ୍ୟାଣ୍ଡ” କିମ୍ବା “ମାର୍ସ ଅନ୍ ଅର୍ଥ” ବୋଲି କହନ୍ତି।
ଅଧା ଅକ୍ସିଜେନ୍, ହାଡ଼ଥରା ଶୀତ, ଗୋବରରେ ଜଳୁଥିବା ଚୁଲି ଏବଂ ମଙ୍ଗଳ ଗ୍ରହ ଭଳି ଦୃଶ୍ୟ… ଏସବୁ ମିଶି କୋମିକ୍କୁ କରିଛି ଭାରତର ସବୁଠାରୁ ଅନନ୍ୟ ଗାଁ। ପ୍ରକୃତିର କଠିନ ପରୀକ୍ଷା ମଧ୍ୟରେ ମଧ୍ୟ ଏଠାର ଲୋକେ ହସିହସି ଜୀବନ ଜିଉଁଛନ୍ତି। ସତରେ, କୋମିକ୍ କେବଳ ଏକ ଗାଁ ନୁହେଁ, ମାନବ ସହନଶୀଳତାର ଏକ ଜୀବନ୍ତ ଉଦାହରଣ।
ସୌଜନ୍ୟ ସମ୍ବାଦ




