History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’
ଦେଶ ସ୍ବାଧୀନତା ପୂର୍ବରୁ ଇଂରେଜ କବଳରେ ଥିଲା ଆମ ଦେଶ। ଗୋରା ସାହେବଙ୍କ ଅତ୍ୟାଚାର ଓ ଲୁଣ୍ଠନର ପ୍ରତିବାଦରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠୁଥିବା ବେଳେ ଦଶପଲ୍ଲାରେ ଆରମ୍ଭ ହୋଇଥିଲା କନ୍ଧମେଳି। ତତ୍କାଳୀନ ଦେୱାନ ନୀଳମଣୀ ବିଶୋଇ ଓ ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ନେତୃତ୍ବରେ...

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଦେଶ ସ୍ବାଧୀନତା ପୂର୍ବରୁ ଇଂରେଜ କବଳରେ ଥିଲା ଆମ ଦେଶ। ଗୋରା ସାହେବଙ୍କ ଅତ୍ୟାଚାର ଓ ଲୁଣ୍ଠନର ପ୍ରତିବାଦରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠୁଥିବା ବେଳେ ଦଶପଲ୍ଲାରେ ଆରମ୍ଭ ହୋଇଥିଲା କନ୍ଧମେଳି। ତତ୍କାଳୀନ ଦେୱାନ ନୀଳମଣୀ ବିଶୋଇ ଓ ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ନେତୃତ୍ବରେ ଏହି ମେଳି ଆରମ୍ଭ ହୋଇଥବା ବେଳେ ଇଂରେଜଙ୍କୁ ବିତାଡ଼ିତ କରିବା ପାଇଁ ଦଶପଲ୍ଲାରେ ଆରମ୍ଭ ହୋଇଥିବା କନ୍ଧମେଳିର ପ୍ରତିଟି ଯୋଜନା ବା ଷଡ଼ଯନ୍ତ୍ରକୁ ସ୍ଥିର କରାଯାଉଥିଲା ‘ବିଚାର ପଥର’ ଠାରେ। ଯାହାକି ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଞ୍ଚଳ ତଥା ବାଈଶୀପଲ୍ଲୀ ଅଭୟାରଣ୍ୟର ଲଙ୍ଗଳଖୋଲ ଜଙ୍ଗଲରେ ଆୟତାକୃତି ସଦୃଶ ଥିବା ବିରାଟ ସମତୁଲ ପଥର ଆଜି ସେଦିନର ସ୍ମୃତି ଓ ଅନୁଭୂତିକୁ ମନେ ପକାଇ ଦେଉଛି।
ଜାତୀୟ ରାଜପଥ ଠାରୁ ପ୍ରାୟ ୧୦ କିମି ଘଞ୍ଚ ଅରଣ୍ୟ ମଧ୍ୟରେ ଏହି ପଥର ଅବସ୍ଥିତ। ସେହି ସମୟରେ କନ୍ଧମାନେ ଇଂରେଜ ବିରୋଧରେ ମେଳି ବାନ୍ଧିବା ପାଇଁ ଏହି ପଥରକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିବା କୁହାଯାଉଛି। କନ୍ଧମାନେ ଏହି ପଥରକୁ ‘ମେଳି ପଥର’ ବା ‘ସଭା ପଥର’ କହୁଥିବା ବେଳେ କାଳକ୍ରମେ ସାହିତ୍ୟିକ ମାନେ ଏହାକୁ ‘ବିଚାର ପଥର’ର ଆଖ୍ୟା ଦେଇଥିବା କୁହାଯାଉଛି। ଇଂରେଜମାନଙ୍କ ନିର୍ଯାତନା ଯେତେବେଳେ ଅସହ୍ୟ ହୋଇ ପଡ଼ିଥିଲା ଦେଶକୁ ସ୍ବାଧୀନତା ଆଣିବା ପାଇଁ ଗାନ୍ଧୀଜୀଙ୍କ ନେତୃତ୍ବରେ ସାରା ଭାରତବର୍ଷରେ ଭାରତଛାଡ଼ ଆନ୍ଦୋଳନ ଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ଆଦି ସଂଗ୍ରାମ ଜାରି ରହିଥିଲା।
ସେତେବେଳେ ଇଂରେଜ ମାନଙ୍କ ବିରୋଧରେ ଦଶପଲ୍ଲାରେ ଆରମ୍ଭ ହୋଇଥିଲା କନ୍ଧମେଳି। ହଜାର ହଜାର ସଂଖ୍ୟାରେ କନ୍ଧ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଛନ୍ତି। ଯେଉଁଥିରେ ଶତାଧିକ କନ୍ଧ ମଧ୍ୟ ପ୍ରାଣବଳୀ ଦେଇଛନ୍ତି। କୁହାଯାଉଛି ଏହି ସଂଗ୍ରାମ ପାଇଁ ପ୍ରଥମେ କନ୍ଧମାନେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ। ଯେଉଁଥିପାଇଁ ସେମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ‘ବିଚାର ପଥର’କୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିଲେ। ଯାହାର କୈାଣସି ବି ସୂଚନା ଇଂରେଜ ମାନେ ପାଇବା ସହଜ ନଥିଲା। ଏହି ପଥରକୁ ତଳ ବିଚାର ପଥର ଓ ଉପର ବିଚାର ପଥର ଭାବେ ୨ ଭାଗରେ ଭାଗ କରାଯାଇଛି। ତଳ ବିଚାର ପଥରରେ ବିଭିନ୍ନ ବିଚାର ବିମର୍ଷ ଓ ଷଡ଼ଯନ୍ତ୍ର କରାଯାଇ ମେଳି ବନ୍ଧା ଯାଉଥିବା ବେଳେ ରାତିହେଲେ କନ୍ଧମାନେ ଉପର ବିଚାର ପଥରକୁ ଚାଲି ଯାଉଥିଲେ। ପାହାଡ଼ ଉପରେ ଥିବା ଏହି ଉପର ବିଚାର ପଥରଟି ବିରାଟ ଗୁମ୍ଫା ସଦୃଶ। ରାତିହେଲେ ବନ୍ୟଜନ୍ତୁଙ୍କ କବଳରୁ ରକ୍ଷା ପାଇବା ପାଇଁ ଏହି ଉପର ‘ବିଚାର ପଥର’ ସାହାରା ସାଜିଥାଏ।
ଏହି ବିଚାର ପଥରରେ ଷଡ଼ଯନ୍ତ୍ର କରାଯିବା ପରେ କନ୍ଧମାନେ ସ୍ଥାନୀୟ ତ୍ରିନାଥ ବଜାର ଠାରେଥିବା ମେଳିଆ ତୋଟା ଠାରେ ଏକତ୍ର ହେଉଥିଲେ। ଏହାପରେ ଇଂରେଜ ବିରୋଧରେ ସଂଗ୍ରାମ କରିବା ସହ ରାଜବାଟି ଘେରରୁ କରିବାର କିମ୍ବନ୍ଦନ୍ତୀ ଥିବା ଅନେକ ମତ ପ୍ରକାଶ କରିଛନ୍ତି। ସହିଭଳି ଅନ୍ୟଏକ କିମ୍ବନ୍ଦନ୍ତୀ ହେଉଛି ୧୪୦୦ରୁ ୧୫୦୦ ଶତାବ୍ଦି ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କୁ ପାତାଳି କରିବା ପାଇଁ ତତ୍କାଳୀନ ରାଜା ସୁବର୍ଣ୍ଣପୁର ବା ସୋଣପୁର ଯାହାକି ବର୍ତ୍ତମାନ କୁହାଯାଉଥିବା ସୋନପୁରକୁ ଜଗନ୍ନାଥ ସଡ଼କ ଦେଇ ନେବାପାଇଁ ନିଷ୍ପତି କରିଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆଦିବାସୀ ନେତା ଫାଲଗୁନି ବିଶିଙ୍କ ନେତୃତ୍ବରେ ଏହି ବିଚାର ପଥର ଠାରେ ଏକାଠି ହୋଇ ଘଞ୍ଚ ଜଙ୍ଗଲର ସେରଣ୍ତା, ଜାନକାଝୋଲା, ଡ଼ମାଘାଟି, ଗେରେଗେଡ଼ି ଓ ଢ଼ିପିସାହି ଦେଇ ମହାନଦୀ କୂଳରେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସେହିଭଳି ଅନ୍ୟଏକ ରତ୍ମାସୁର ଓ ବକାସୁରଙ୍କୁ ନେଇ ପୈାରାଣିକ କିମ୍ବନ୍ଦନ୍ତୀ ରହିଥିବା କୁହାଯାଉଛି। ଯେଉଁ ପଥର ଦିନେ ଦେଶକୁ ସ୍ବାଧୀନତା ଦେବାପାଇଁ କନ୍ଧ ମାନଙ୍କ ପ୍ରମୁଖ ସ୍ଥାନ ଥିଲା ତାହା ଆଜି ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି।
ସୌଜନ୍ୟ ସମ୍ବାଦ




