ଓଡିଶାମହାନଗର

Hospitals: ‘ଆୟୁଷ୍ମାନ ଭାରତ’ ୱାଲେଟ୍‌ ଖାଲି କରୁଛନ୍ତି ହସ୍ପିଟାଲ୍‌

ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାରୁ ଟଙ୍କା ଲୁଟିବା ପାଇଁ ନୂଆ ବିକଳ୍ପ ବାହାର କରିଛନ୍ତି ଘରୋଇ ହସ୍ପିଟାଲ୍‌। ‘ଆୟୁଷ୍ମାନ ଭାରତ’ ଯୋଜନାରେ ପ୍ୟାକେଜ୍‌ ଦର କଡ଼ାକଡ଼ି ହୋଇଥିବା ବେଳେ ହସ୍ପିଟାଲ୍‌ମାନେ....

ଭୁବନେଶ୍ବର: ସରକାରଙ୍କ ସ୍ବାସ୍ଥ୍ୟ ଯୋଜନାରୁ ଟଙ୍କା ଲୁଟିବା ପାଇଁ ନୂଆ ବିକଳ୍ପ ବାହାର କରିଛନ୍ତି ଘରୋଇ ହସ୍ପିଟାଲ୍‌। ‘ଆୟୁଷ୍ମାନ ଭାରତ’ ଯୋଜନାରେ ପ୍ୟାକେଜ୍‌ ଦର କଡ଼ାକଡ଼ି ହୋଇଥିବା ବେଳେ ହସ୍ପିଟାଲ୍‌ମାନେ କିନ୍ତୁ ଏହାର ଗଳାବାଟ ବାହାର କରିସାରିଲେଣି। ସରକାରଙ୍କ ପ୍ୟାକେଜ୍‌ ଦର ସୁହାଉ ନ ଥିବା କହି ଟଙ୍କା ଭରଣା ପାଇଁ ରୋଗୀଙ୍କୁ ଜବରଦସ୍ତ ହସ୍ପିଟାଲ୍‌ରେ ରଖୁଛନ୍ତି। ରୋଗୀ ଡିସ୍‌ଚାର୍ଜ ହୁଅନ୍ତୁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି, ହେଲେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଛାଡ଼ୁନାହାନ୍ତି। ରାଜଧାନୀର ଏକ ପ୍ରମୁଖ ଘରୋଇ ହସ୍ପିଟାଲ୍‌ରେ ଏଭଳି ଢଙ୍ଗରେ ଜଣେ ରୋଗୀଙ୍କୁ ହଇରାଣ କରାଯାଇଥିବା ନଜରକୁ ଆସିଛି।

ଓଡ଼ିଶାରେ ଗତବର୍ଷଠାରୁ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହୋଇଛି। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ପୂର୍ବଭଳି ଚାଲିଛି। ଏହି ଯୋଜନାରେ ରୋଗୀ ସୁଫଳ ପାଇବେ କ’ଣ ହସ୍ପିଟାଲ୍‌ମାନେ ଅର୍ଥ ଶୋଷିବା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଜଣେ ମହିଳା ଚଳିତମାସ ୧୮ତାରିଖରେ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରୋଗୀ ସୁସ୍ଥ ହୋଇ ଯାଇଥିବାରୁ ଗତ ୨୩ ତାରିଖରେ ଡାକ୍ତର ଡିସ୍‌ଚାର୍ଜ କରିବା ଲାଗି ରୋଗୀଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ। ମାତ୍ର ଡିସ୍‌ଚାର୍ଜ କରାଯିବ କି ନାହିଁ ତାହାର ନିଷ୍ପତ୍ତି ହସ୍ପିଟାଲର ଆର୍‌ସି(ରୁମ୍ କେୟାର) ନେବେ ବୋଲି କହିଥିଲେ। ମାତ୍ର ଆର୍‌ସି ଅଯଥାରେ ଦିନ ଗଡ଼ାଇ ଚାଲିଥିଲେ।
ଗତ ଶନିବାର ଡାକ୍ତର ଡିସ୍‌ଚାର୍ଜ କରିବାକୁ କହିଥିଲେ ହେଁ ଆର୍‌ସିଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ରବିବାର ମଧ୍ୟ ବିଭିନ୍ନ ବାହାନା କରି ରୋଗୀଙ୍କୁ ହସ୍ପିଟାଲରେ ରଖାଗଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ରୋଗୀଙ୍କ ଚିକିତ୍ସା ପାଇଁ ୩୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆୟୁଷ୍ମାନ କାର୍ଡରୁ ପ୍ୟାକେଜ୍‌ ଦର ବାବଦରେ ୧୫ହଜାର ଟଙ୍କା ମିଳିବ। ବଳକା ଟଙ୍କା ଆମେ କେଉଁଠାରୁ ଭରଣା କରିବୁ ? ତେଣୁ ରୋଗୀଙ୍କୁ ଆଉ ୩ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ। ଗତ ସୋମବାର ରୋଗୀଙ୍କ ପରିବାରବର୍ଗ ହସ୍ପିଟାଲ୍‌ର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଜଣାଇଥିଲେ। ଏହାସହ ‘ଆୟୁଷ୍ମାନ ଭାରତ’ର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଜଣାଇବା ପରେ ସୋମବାର ସଂଧ୍ୟାରେ ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

ରୋଗୀ ଜଣକ ସୁସ୍ଥ ହୋଇସାରିଥିଲେ ବି ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇ ମାନସିକ ଚାପରେ ବଶବର୍ତ୍ତୀ ହେବାକୁ ତାଙ୍କୁ ଏକପ୍ରକାର ବାଧ୍ୟ କରାଯାଇଥିଲା। ରୋଗୀଙ୍କ ପ୍ୟାକେଜ୍‌ ୱାଲେଟ୍‌ରୁ ଅର୍ଥ ଖାଲି କରିବା ପାଇଁ ହସ୍ପିଟାଲ୍‌ମାନେ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ଡାକ୍ତରଙ୍କ ବିନା ସହାୟତାରେ ହସ୍ପିଟାଲ କର୍ତ୍ତୃପକ୍ଷ ମନଇଚ୍ଛା ରୋଗୀଙ୍କୁ ରଖିପାରିବେ ନାହିଁ। କାରଣ ପ୍ୟାକେଜ୍‌ରୁ ଏ ବାବଦ ଅର୍ଥ ମିଳିବ ନାହିଁ। ତେଣୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ପରିବାରବର୍ଗଙ୍କୁ ଗୋଟିଏ କଥା କହୁଥିବା ବେଳେ ଡିସ୍‌ଚାର୍ଜ କରିବା ଲାଗି ନ କହିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶା ସ୍ବାସ୍ଥ୍ୟ ନିରାକରଣ ସମିତି(ସାସ୍‌)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୌଣସି ରୋଗୀଙ୍କ ସମସ୍ତ ମାନଦଣ୍ଡ ଠିକ୍‌ ରହିବା ଓ ହସ୍ପିଟାଲରେ ରଖିବା ଜରୁରୀ ନ ଥିବା ବେଳେ ହସ୍ପିଟାଲମାନେ ରୋଗୀ ହସ୍ପିଟାଲରେ ଥିବା ଦର୍ଶାଉଛନ୍ତି। ଏହା ଠକେଇ ମାମଲା ନୁହେଁ ଏହା ଏକ ଅଡିଟ୍‌ ଅବଜରଭେସନ୍‌। ପର୍ଯ୍ୟବେକ୍ଷଣ ମୂଲ୍ୟାଙ୍କନ ଦଳଙ୍କ କୌଣସି ହସ୍ପିଟାଲ୍‌ରେ ଲଗାତାରଭାବେ ଏଭଳି ଘଟଣା ନଜରକୁ ଆସିବା ଓ କ୍ଷେତ୍ରସ୍ତରୀୟ ଅନୁସନ୍ଧାନରେ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାସ୍‌ର ୩ଟି ଟିମ୍‌ କ୍ଷେତ୍ରସ୍ତରୀୟ ଅନୁସନ୍ଧାନ କରୁଛନ୍ତି। ଏହାଭିତରେ କିଛି ହସ୍ପିଟାଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି ହୋଇଛି। ଲିଖିତ ଅଭିଯୋଗ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button