Hot sea: ଭୟାବହ ଦୁର୍ବିପାକର କାରଣ ଉତ୍ତପ୍ତ ସମୁଦ୍ର
ଭାରତ ଭଳି ଦେଶମାନଙ୍କରେ ସମ୍ପ୍ରତି ପ୍ରବଳ ବୃଷ୍ଟିପାତ, ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ବେଶ୍ ଉତ୍କଟ ହୋଇଚାଲିଛି। ଆଉ ଏ ସବୁ ଦୁର୍ବିପାକ ନିମନ୍ତେ ଇନ୍ଧନ ଯୋଗାଉଛି ଉଷ୍ଣ ସମୁଦ୍ର।

ଭାରତ ଭଳି ଦେଶମାନଙ୍କରେ ସମ୍ପ୍ରତି ପ୍ରବଳ ବୃଷ୍ଟିପାତ, ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ବେଶ୍ ଉତ୍କଟ ହୋଇଚାଲିଛି। ଆଉ ଏ ସବୁ ଦୁର୍ବିପାକ ନିମନ୍ତେ ଇନ୍ଧନ ଯୋଗାଉଛି ଉଷ୍ଣ ସମୁଦ୍ର। ସମୁଦ୍ର ଯେତେ ଉଷ୍ଣ ହେଉଛି ମୌସୁମୀ ବାୟୁ ପ୍ରବାହଜନିତ ବୃଷ୍ଟିପାତ ଓ ବାତ୍ୟା ଆଶଙ୍କା ସେତେ ତୀବ୍ର ହେଉଛି। ସମୁଦ୍ର ଉତ୍ତାପ ହେଉଛି ଦୀର୍ଘକାଳୀନ ଜଳବାୟୁ ପରିବର୍ତ୍ତନର ସବୁଠୁ ବିଶ୍ବସ୍ତ ସୂଚକଗୁଡ଼ିକ ମଧ୍ୟରେ ଅନ୍ୟତମ। ସମ୍ପ୍ରତି କରାଯାଇଥିବା ଗୋଟାଏ ବିଶ୍ଳେଷଣ ଦର୍ଶାଉଛି ଯେ ଗତ ବର୍ଷ ସମୁଦ୍ର ଉତ୍ତାପ ସ୍ତର ଏଭଳି ବୃଦ୍ଧି ପାଇଛି, ଯାହା ଆଧୁନିକ ଇତିହାସରେ କୌଣସି ସମୟରେ ପରିଦୃଷ୍ଟ ହୋଇନାହିଁ। ପରିଣାମ ସ୍ବରୂପ ଏହା ଜଳବାୟୁ ପରିସ୍ଥିତିକୁ ଉଗ୍ର କରୁଛି, ସାମୁଦ୍ରିକ ପରିସଂସ୍ଥାନ ଧ୍ବଂସ କରୁଛି ଏବଂ ତଟବର୍ତ୍ତୀ ଇଲାକାବାସୀଙ୍କୁ ବାସହରା କରୁଛି।
ଗତ ବର୍ଷ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ସମୁଦ୍ର ବିପୁଳ ପରିମାଣ ଉତ୍ତାପ ବିଶୋଷଣ କରି ଗଚ୍ଛିତ ରଖିଥିଲା। ବିଂଶ ଶତାବ୍ଦୀ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ନିୟମିତ ସମୁଦ୍ର ଉତ୍ତାପ ମାପ ରେକର୍ଡରେ ଯେତେ ସବୁ ଉତ୍ତାପ ପରିମାଣ ରେକର୍ଡ କରାଯାଇଥିଲା, ୨୦୨୫ର ଉତ୍ତାପ ସେ ସମସ୍ତ ରେକର୍ଡ ଅତିକ୍ରମ କରିଯାଇଛି। ତୁଳନାତ୍ମକ ବିଚାର କଲେ ଜଣାଯାଏ- ବିଶ୍ବବାସୀ ଦଶନ୍ଧି ଦଶନ୍ଧି ଧରି ଯେତେ ଶକ୍ତି ବ୍ୟବହାର କରନ୍ତି ବର୍ଷକରେ ସମୁଦ୍ର ତା’ଠାରୁ ଅଧିକ ଉତ୍ତାପ ବିଶୋଷଣ କରୁଛି। ୫୦ରୁ ଅଧିକ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକଙ୍କଠାରୁ ପ୍ରାପ୍ତ ତଥ୍ୟାବଳି ଉପରେ ଆଧାରିତ ଏ ସଂକ୍ରାନ୍ତ ଆଲେଖ୍ୟ ‘ଆଡ୍ଭାନ୍ସେସ୍ ଇନ୍ ଆଟ୍ମୋସ୍ଫିୟରିକ୍ ସାଇନ୍ସେସ୍’ରେ ପ୍ରକାଶ ପାଇଛି। ସେଥିରୁ ହିଁ ଜଣାପଡୁଛି ଯେ ଜଳବାୟୁ ନିୟନ୍ତ୍ରଣ େକ୍ଷତ୍ରରେ ସମୁଦ୍ରର ଭୂମିକା କେଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ।
ସମୁଦ୍ର ଉତ୍ତାପ ହେଉଛି ଦୀର୍ଘକାଳୀନ ଜଳବାୟୁ ପରିବର୍ତ୍ତନର ଏକ ବିଶ୍ବସ୍ତ ସୂଚକ। ଏକ ବିଶ୍ଳେଷଣ ଅନୁସାରେ ଗତ ବର୍ଷ ସମୁଦ୍ର ଉତ୍ତାପ ସ୍ତର ଆଧୁନିକ ଇତିହାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା
ମନୁଷ୍ୟକୃତ ସବୁଜଗୃହ ବାଷ୍ପ ନିଃସରଣରୁ ଜାତ ଉତ୍ତାପର ବହୁଳାଂଶ ବା ପ୍ରାୟ ୯୦ ପ୍ରତିଶତ ସମୁଦ୍ରକୁ ଚାଲିଯାଏ। ଅର୍ଥାତ୍ ଭୂପୃଷ୍ଠରେ ଥିବା ଜଳାଶୟ ସେ ଉତ୍ତାପ ଆବଦ୍ଧ କରି ରଖନ୍ତି। ତେଣୁ ମନୁଷ୍ୟଜାତି ପାଇଁ କି ପ୍ରକାର ବିପର୍ଯ୍ୟୟ ଗଚ୍ଛିତ ହୋଇ ରହିଛି, ଜଳାଶୟ ତାହାର ସଠିକ୍ ଭବିଷ୍ୟବାଣୀ କରିଥାଏ। ସମୁଦ୍ରରେ ଗଚ୍ଛିତ ରହୁଥିବା ଏହି ମାତ୍ରାଧିକ ଉତ୍ତାପ ପାଣିପାଗ ଓ ଜଳବାୟୁ ଧାରା ଉପରେ ଭୀଷଣ କୁପ୍ରଭାବ ପକାଉଛି। ଉଷ୍ଣଜଳ ବାଷ୍ପୀଭବନ ବୃଦ୍ଧି କରି ବାୟୁମଣ୍ଡଳକୁ ଆର୍ଦ୍ର କରିବା ସହିତ ପ୍ରବଳ ବର୍ଷା ଓ ବନ୍ୟା ନିମନ୍ତେ ଅନୁକୂଳ ବ୍ୟବସ୍ଥା କରେ। ଏହା ମଧ୍ୟ ପ୍ରଚଣ୍ଡ ବାତ୍ୟା ପାଇଁ ଉପାଦାନ ଯୋଗାଏ। ଦୃଷ୍ଟାନ୍ତ ସ୍ବରୂପ ୩ଟି ପଞ୍ଚମ ବର୍ଗ ବାତ୍ୟା ସମେତ ଗତ ବର୍ଷ ଆଟ୍ଲାଣ୍ଟିକ୍ ମହାସାଗରରେ ଏକାଧିକ ତୀବ୍ର ବାତ୍ୟା ସୃଷ୍ଟି ହୋଇ ଜନଜୀବନ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିଲା। ସାମୁଦ୍ରିକ ଉତ୍ତାପ ବୃଦ୍ଧି ଯୋଗୁଁ ସମୁଦ୍ର ଜଳ ପତ୍ତନ ବି ବୃଦ୍ଧି ପାଉଛି। ଏହାର ବୈଜ୍ଞାନିକ କାରଣ ବି ଅତି ସରଳ। ଉତ୍ତପ୍ତ ହେଲେ ଜଳ ସମ୍ପ୍ରସାରିତ ହୁଏ। ପୁଣି ଏହାକୁ ପ୍ରଭାବିତ କରୁଛି ଗ୍ରିନ୍ଲାଣ୍ଡ୍ ଓ ଆଣ୍ଟାର୍କଟିକାରେ ତରଳୁଥିବା ବରଫ। ସମୁଦ୍ର ସ୍ତର ବୃଦ୍ଧି ପାଇବା ଅର୍ଥ ତଟାଞ୍ଚଳବାସୀଙ୍କ ନିମନ୍ତେ ଧ୍ବଂସାବହ ବାତ୍ୟା ଓ ବନ୍ୟା ଆଶଙ୍କା ବୃଦ୍ଧି ପାଇବା।
ସୌଜନ୍ୟ ସମ୍ବାଦ




