ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ନରିଶୋରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ମୃତକ ହେଲେ ଅଭିନା କାଣ୍ଡି। ସଙ୍କଟାପନ୍ନ ଅବସ୍ଥାରେ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ବାଣ ନୁହେଁ, ବୋମା ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତଦନ୍ତ ଜାରି ରହିଥିବାବେଳେ ପୁଲିସ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣାସ୍ଥଳରେ ନିଆଳି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୨୦୧୮ ନଭେମ୍ବର ୧ ତାରିଖରେ ବନମାଳୀପୁର ନୂଆସାହିର ଜ୍ଞାନରଞ୍ଜନ ମିଶ୍ରଙ୍କ ବେଆଇନ ବାଣ କାରଖାନା ବିସ୍ଫୋରଣର ଏହା ପୁନରାବୃତ୍ତି ବୋଲି କୁହାଯାଉଛି।

