ଖେଳଦେଶ ବିଦେଶ

IIT Bombay Hostel: ଆଇଆଇଟି ବମ୍ବେର ହଷ୍ଟେଲରୁ ୫ ଜୀବନ୍ତ କାର୍ଟ୍ରିଜ୍ ଜବତ: ବିହାର ସହ ରହିଛି ଲିଙ୍କ୍

ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନ ଆଇଆଇଟି ବମ୍ବେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ହଷ୍ଟେଲ ପରିସରରେ ଜଣେ ଛାତ୍ରଙ୍କ ବ୍ୟାଗ୍‌ରୁ ପାଞ୍ଚଟି ଜୀବନ୍ତ ୭.୬୫ ଏମ୍‌ଏମ୍‌ କାର୍ଟ୍ରିଜ୍ ଜବତ କରାଯାଇଛି।

ମୁମ୍ବାଇ: ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନ ଆଇଆଇଟି ବମ୍ବେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ହଷ୍ଟେଲ ପରିସରରେ ଜଣେ ଛାତ୍ରଙ୍କ ବ୍ୟାଗ୍‌ରୁ ପାଞ୍ଚଟି ଜୀବନ୍ତ ୭.୬୫ ଏମ୍‌ଏମ୍‌ କାର୍ଟ୍ରିଜ୍ ଜବତ କରାଯାଇଛି। ଏହି ଘଟଣା କ୍ୟାମ୍ପସ୍ ସୁରକ୍ଷା ଓ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକଳାପ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ମାମଲାର ଗମ୍ଭୀରତାକୁ ବିଚାର କରି, ପୱାଇ ପୁଲିସ ଅଭିଯୁକ୍ତ ଛାତ୍ର ସର୍ବୋତ୍ତମ ଆନନ୍ଦ ସତୀଶଚନ୍ଦ୍ର ଚୌଧୁରୀ (୨୩)ଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ନିଜ ହେପାଜତକୁ ନେଇଛି।

ମଦର ଗନ୍ଧ ଆଉ ତଲାସୀ ଅଭିଯାନ ଖୋଲିଦେଲା ରହସ୍ୟ

ସମ୍ପୂର୍ଣ୍ଣ ଘଟଣା ଏକ ବ୍ୟକ୍ତିଗତ ବିବାଦରୁ ଆରମ୍ଭ ହୋଇଥିଲା। ପୁଲିସ ସୂତ୍ର ଅନୁଯାୟୀ, ଆଇଆଇଟି ବମ୍ବେର ହଷ୍ଟେଲ ନମ୍ବର-୧ ର ଗ୍ରାଉଣ୍ଡ ଫ୍ଲୋରରେ ଦୁଇ ଛାତ୍ର ସୂରଜ ଦୁବେ ଓ ଅମନଙ୍କ ମଧ୍ୟରେ ଏକ ଟଙ୍କା କାରବାରକୁ ନେଇ ପ୍ରବଳ ଯୁକ୍ତିତର୍କ ହେଉଥିଲା। ସୂଚନା ପାଇ ସୁରକ୍ଷା ଦଳ ୯୩ ଓ ୮୯ ରୁମ୍‌ରେ ପହଞ୍ଚି ସୁରଜ ଦୁବେ ଓ ତାଙ୍କ ବନ୍ଧୁ ଅପୂର୍ବ ମିଶ୍ରଙ୍କ ପାଟିରୁ ମଦ୍ୟପାନ ଗନ୍ଧ ବାରିଥିଲା। କ୍ୟାମ୍ପସ୍ ନିୟମ ଉଲ୍ଲଂଘନ କରୁଥିବା ସନ୍ଦେହରେ କୋଠରୀଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଲାସୀ କରାଯିବା ସମୟରେ, ସୂରଜ ଦୁବେଙ୍କ କୋଠରୀରୁ ଏକ କଳା ବ୍ୟାଗ୍‌ରେ କେଏଫ୍ ୭.୬୫ ଚିହ୍ନିତ ପାଞ୍ଚଟି ଜୀବନ୍ତ କାର୍ଟ୍ରିଜ୍ ମିଳିଥିଲା। ଏହି କାର୍ଟ୍ରିଜ୍‌ଗୁଡ଼ିକର ମୂଲ୍ୟ ବଜାରରେ ପ୍ରାୟ ୩,୫୦୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ବିହାରର ମୁଙ୍ଗେର ଲିଙ୍କ୍

ପଚରାଉଚରା ସମୟରେ ସୂରଜ କହିଥିଲେ, ବ୍ୟାଗ୍‌ଟି ଅପୂର୍ବ ମିଶ୍ରଙ୍କର ଥିଲା। ଅପୂର୍ବ ପ୍ରକାଶ କରିଥିଲେ, କାର୍ଟ୍ରିଜ୍‌ଗୁଡ଼ିକ ତାଙ୍କ ବନ୍ଧୁ ସର୍ବୋତ୍ତମ ଚୌଧୁରୀଙ୍କର। ମୂଳତଃ ବିହାରର ସମସ୍ତିପୁରର ସର୍ବୋତ୍ତମ ପୁଲିସ ନିକଟରେ ସ୍ୱୀକାର କରିଥିଲେ ଯେ, ସେ ବିହାରର ମୁଙ୍ଗେରରୁ କାର୍ଟ୍ରିଜ୍ କିଣିଥିଲେ। ମୁଙ୍ଗେର ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଜଣାଶୁଣା। ଏହା ପଛରେ ଏକ ବଡ଼ ନେଟୱାର୍କ ଥିବାର ପୁଲିସ ସନ୍ଦେହ କରୁଛି।ପୱାଇ ପୁଲିସ ଏବେ ତଦନ୍ତ କରୁଛି ଯେ, ସର୍ବୋତ୍ତମ ପୂର୍ବରୁ କାହାକୁ କାର୍ଟ୍ରିଜ୍ ଯୋଗାଇଛି କି ନାହିଁ ଏବଂ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ””ଣ ଥିଲା। ପୁଲିସ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ରେକର୍ଡ ଯାଞ୍ଚ କରିବା ଆରମ୍ଭ କରିଛି। କାର୍ଟ୍ରିଜ୍‌ର ମୁଖ୍ୟ ଯୋଗାଣକାରୀଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button