ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଦୋମୁହାଁ ନୀତି ନେଇ କାମ କରୁଛନ୍ତି। ଧନୀ ଓ ଗରିବ ଦେଶମାନଙ୍କୁ ଏହା ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛି। ଏହା ଧନୀ ଦେଶମାନଙ୍କୁ ଆଗକୁ ବଢ଼ିବା ଓ ସୁହାଇବା ଭଳି ପ୍ରଗତିଶୀଳ ଟିକସ ପ୍ରସ୍ତାବ ଦେଉଛି।
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଦୋମୁହାଁ ନୀତି ନେଇ କାମ କରୁଛନ୍ତି। ଧନୀ ଓ ଗରିବ ଦେଶମାନଙ୍କୁ ଏହା ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛି। ଏହା ଧନୀ ଦେଶମାନଙ୍କୁ ଆଗକୁ ବଢ଼ିବା ଓ ସୁହାଇବା ଭଳି ପ୍ରଗତିଶୀଳ ଟିକସ ପ୍ରସ୍ତାବ ଦେଉଛି। କିନ୍ତୁ ଗରିବ ଦେଶମାନଙ୍କୁ ଦେଉଥିବା ପ୍ରସ୍ତାବ ସେହି ଦେଶଗୁଡ଼ିକରେ ଅସମାନତା ବଢ଼ାଉଛି। ତାହାର ପ୍ରଭାବରେ ଧନୀମାନଙ୍କ ତୁଳନାରେ ଗରିବଙ୍କ ଉପରେ ଟିକସ ବୋଝ ଅଧିକ ରହୁଛି। ଅକ୍ସଫାମ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ୨୦୨୨ରୁ ୨୦୨୪ ମଧ୍ୟରେ ଆଇଏମ୍ଏଫ୍ ଭାରତକୁ ସର୍ବାଧିକ ସଂଖ୍ୟକ ପଶ୍ଚାଦ୍ଗାମୀ ଟିକସ ପ୍ରସ୍ତାବ ଦେଇଥିଲା ବୋଲି ଜଣାପଡ଼ିଛି। ଯେଉଁ ବ୍ୟବସ୍ଥାରେ ଧନୀଙ୍କ ଉପରେ ଟିକସ ବୋଝ କମ୍ ଓ ଗରିବଙ୍କ ଉପରେ ଅଧିକ ରହିଥାଏ ତାହାକୁ ପଶ୍ଚାଦ୍ଗାମୀ ଟିକସ ବ୍ୟବସ୍ଥା କୁହାଯାଏ। ଆଇଏମ୍ଏଫ୍ ଗରିବ ଓ ନିମ୍ନ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ମୁଖ୍ୟତଃ ଏହିଭଳି ପଶ୍ଚାଦ୍ଗାମୀ ଟିକସ ପ୍ରସ୍ତାବ ଦେଉଛି। ଆଇଏମ୍ଏଫ୍ର ଟିକସ ପ୍ରସ୍ତାବଗୁଡ଼ିକୁ ଅନୁଶୀଳନ କରି ଅକ୍ସଫାମ୍ ଜାଣିବାକୁ ପାଇଛି ଯେ ଗରିବ ଓ ନିମ୍ନ ମଧ୍ୟମ ଆୟ ବର୍ଗର ଦେଶମାନଙ୍କୁ ଏହା ଦେଇଥିବା ୫୯ ପ୍ରତିଶତ ଟିକସ ପ୍ରସ୍ତାବ ପଶ୍ଚାତ୍ଗାମୀ ଥିଲା। ଧନୀକ ବର୍ଗର ଦେଶମାନକୁ ଦେଇଥିବା ୫୨ ପ୍ରତିଶତ ପ୍ରସ୍ତାବ ପ୍ରଗତିଶୀଳ ଥିଲା।
ଅକ୍ସଫାମ ଇଣ୍ଟରନ୍ୟାସନାଲ୍ର ୱାସିଂଟନ କାର୍ଯ୍ୟାଳୟ ମୁଖ୍ୟ କେଟ ଡୋନାଲ୍ଡ କହିଛନ୍ତି ଯେ ଆଇଏମ୍ଏଫ୍ ପକ୍ଷପାତ ନୀତି ନେଇ କାମ କରୁଛି। ଏହା ମୁଖ୍ୟତଃ ଧନୀ ଦେଶଗୁଡ଼ିକୁ ପ୍ରଗତିଶୀଳ ପ୍ରସ୍ତାବ ଓ ଗରିବ ଦେଶମାନଙ୍କୁ ପଶ୍ଚାଦ୍ଗାମୀ ପ୍ରସ୍ତାବ ଦେଉଛି। ଏହା ସବୁ ସଦସ୍ୟଙ୍କୁ ସମାନ ଦୃଷ୍ଟିରେ ଦେଖିବା ଦରକାର ବୋଲି ସେ କହିଛନ୍ତି। ଆଇଏମ୍ଏଫ୍ର ଅଧିକାଂଶ ଟିକସ ପ୍ରସ୍ତାବ ଦୁଇ ତିନି ଧାଡ଼ିଆ ହୋଇଥାଏ। ସେଥିରେ ପ୍ରଚଳିତ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ କୁହାଯାଇଥାଏ। ମାତ୍ର ୧୦ ପ୍ରତିଶତ ପ୍ରସ୍ତାବ ଲିଙ୍ଗଗତ ଅସମାନତା ଦୂର କରିବାକୁ ଦିଆଯାଇଥିଲା ବୋଲି ଆଇଏମ୍ଏଫ୍ ଅଭିଯୋଗ କରିଛି। ଯେକୌଣସି ପ୍ରକାର ଆର୍ଥିକ ପ୍ରସ୍ତାବ ଦେବା ବେଳେ ଅସମାନତାକୁ ଆଇଏମ୍ଏଫ୍ ଧ୍ୟାନ ଦେବା ଉଚିତ ବୋଲି ଡୋନାଲ୍ଡ କହିଛନ୍ତି।
ଲୋକଙ୍କ ଉପରେ ଟିକସ ବୋଝ ବଢ଼ାଉଥିବା ଭଳି ପ୍ରସ୍ତାବଠାରୁ ଦୂରେଇ ରହିବା ଓ ସମାଜର ସବୁ ବର୍ଗ ଉପରେ ଟିକସର ଚାପ ଯେଭଳି ସମାନ ରହିବ, ସେଥିପ୍ରତି ଆଇଏମ୍ଏଫ୍ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କମ୍ପାନି ଟିକସ କମ୍ କରିବା ଲାଗି ଦିଆଯାଉଥିବା ପ୍ରସ୍ତାବ ବନ୍ଦ କରିବା ଏବଂ ସମ୍ପତ୍ତି ଆଧାରରେ ଟିକସ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ଅକ୍ସଫାମ ପରାମର୍ଶ ଦେଇଛି। ଯେଉଁ ପ୍ରସ୍ତାବ ଦିଆଯାଉଛି ତାହାର ପ୍ରଭାବ କେଉଁ ବର୍ଗ ଉପରେ କିଭଳି ରହୁଛି, ତାହାକୁ ନେଇ ରିପୋର୍ଟ ଜାରି କରିବାକୁ ମଧ୍ୟ ଆଇଏମ୍ଏଫ୍କୁ ଆହ୍ବାନ ଦିଆଯାଇଛି।
ସୌଜନ୍ୟ ସମ୍ବାଦ

