ବର୍ତ୍ତମାନ ସମୟରେ ଇରାନ ଯୁଦ୍ଧକୁ ବିଶ୍ବର ସବୁଠୁ ବଡ଼ ସଙ୍କଟ ଭାବେ ବିଚାର କରାଯାଉଛି। କିନ୍ତୁ ବିଶ୍ବବ୍ୟାଙ୍କ ସଭାପତି ଯୁଦ୍ଧ ନୁହେଁ, ଅନ୍ୟ ଏକ କାରଣ ପାଇଁ ଅଧିକ ଚିନ୍ତିତ ଅଛନ୍ତି। ତାହା ହେଉଛି ଚାକିରିର ଅଭାବ।
ୱାସିଂଟନ: ବର୍ତ୍ତମାନ ସମୟରେ ଇରାନ ଯୁଦ୍ଧକୁ ବିଶ୍ବର ସବୁଠୁ ବଡ଼ ସଙ୍କଟ ଭାବେ ବିଚାର କରାଯାଉଛି। କିନ୍ତୁ ବିଶ୍ବବ୍ୟାଙ୍କ ସଭାପତି ଯୁଦ୍ଧ ନୁହେଁ, ଅନ୍ୟ ଏକ କାରଣ ପାଇଁ ଅଧିକ ଚିନ୍ତିତ ଅଛନ୍ତି। ତାହା ହେଉଛି ଚାକିରିର ଅଭାବ। ବାଙ୍ଗା କହିଛନ୍ତି ଯେ ଆସନ୍ତା ୧୦-୧୫ ବର୍ଷରେ ବିକାଶଶୀଳ ଦେଶଗୁଡ଼ିକରେ ୧୨୦ କୋଟି ଲୋକ ନିଯୁକ୍ତି ବଜାରରେ ପ୍ରବେଶ କରିବେ। ସେମାନଙ୍କ ପାଇଁ ମାତ୍ର ୪୦ କୋଟି ନିଯୁକ୍ତି ସୃଷ୍ଟି ହେବ। ଅବଶିଷ୍ଟ ୮୦ କୋଟି ଲୋକଙ୍କ ପାଇଁ ଚାକିରି ନଥିବ ବୋଲି ସେ ଆକଳନ କରିଛନ୍ତି।
୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରଠାରୁ ନିୟମିତ ବ୍ୟବଧାନରେ ବିଶ୍ବ ଅର୍ଥନୀତି ବିଭିନ୍ନ ପ୍ରକାର ସଙ୍କଟକୁ ସାମ୍ନା କରୁଛି। ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଓ ଏବେ ଇରାନ ଯୁଦ୍ଧ ଭଳି ସମସ୍ୟା ଦେଖାଦେଇଛି। ଏଗୁଡ଼ିକ ସ୍ବଳ୍ପକାଳୀନ ସମସ୍ୟା ବୋଲି ବାଙ୍ଗା କହିଛନ୍ତି। ନୀତି ନିର୍ଦ୍ଧାରକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଅଧିକରୁ ଅଧିକ ଲୋକଙ୍କ ପାଖରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ଭଳି ଦୀର୍ଘକାଳୀନ ଲକ୍ଷ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ନ ଦେଲେ ବେଆଇନ ଦେଶାନ୍ତର ଓ ଅସ୍ଥିରତା ଚରମ ସୀମାରେ ପହଞ୍ଚିବ ବୋଲି ସେ ଚେତାବନୀ ଦେଇଛନ୍ତି। ଜାତିସଂଘ ତଥ୍ୟ ଅନୁସାରେ ୨୦୨୫ରେ ୧୧.୭ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଭାରତର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଭଳି କମ୍ପାନିକୁ ବିଶ୍ବସ୍ତରରେ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଛନ୍ତିନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା
ପ୍ରଦାନ କରିବା ପାଇଁ ବିଶ୍ବବ୍ୟାଙ୍କର ଡେଭେଲପମେଣ୍ଟ୍ କମିଟି ବିକାାଶୀଳ ଦେଶଗୁଡ଼ିକ ସହ ମିଶି କାମ କରିବାକୁ ଯୋଜନା ରଖିଛି। ବିଶେଷ କରି ପରମିଟ୍, ଦୁର୍ନୀତି ନିବାରଣ, ଶ୍ରମ ନିୟମ, ଜମି ନିୟମ, ବ୍ୟବସାୟ ଆରମ୍ଭ କରିବାରେ ସହଜତା, ଲଜିଷ୍ଟିକ୍ସ, ଉନ୍ନତ ବାଣିଜ୍ୟ ବ୍ୟବସ୍ଥା ଓ ଅଣ-ମୂଲ୍ୟ ପ୍ରତିବନ୍ଧକଗୁଡ଼ିକୁ କିଭଳି ଦୂର କରାଯାଇପାରିବ, ସେନେଇ ବିଭିନ୍ନ ଦେଶ ସହ ବ୍ୟାପକ ଆଲୋଚନା ହେବ ବୋଲି ବାଙ୍ଗା କହିଛନ୍ତି।ଅନ୍ତର୍ଜାତୀୟ ବାଣିଜ୍ୟ କଟକଣା, ଭୂରାଜନୈତିକ ସଙ୍କଟ ଓ ଯୁଦ୍ଧର ପ୍ରଭାବକୁ ନେଇ ବିଭିନ୍ନ ଦେଶ ଚିନ୍ତିତ ଥିବା ବେଳେ ବାଙ୍ଗା କହିଛନ୍ତି ଯେ ପାଞ୍ଚଟି କ୍ଷେତ୍ରର ଏହି ସଙ୍କଟଗୁଡ଼ିକ ସହ କୌଣସି ସମ୍ପର୍କ ନାହିଁ। ତାହା ହେଉଛି ଭିତ୍ତିଭୂମି, କୃଷି, ପ୍ରାଥମିକ ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ ମୂଲ୍ୟଯୁକ୍ତ ବିନିର୍ମାଣ। ପୁଞ୍ଜିନିବେଶ ଜରିଆରେ ଏହି କ୍ଷେତ୍ରଗୁଡ଼ିକର ବିକାଶକୁ ତ୍ବରାନ୍ବିତ କରାଯାଇପାରିବ। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଦ୍ବାରା ମଧ୍ୟ ଏହି କ୍ଷେତ୍ରଗୁଡ଼ିକ ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ

