ଖେଳ

IND VS SA: ଇଡେନ୍‌ ଲଜ୍ଜା: ଘାତକ ହେଲା ୪ ସ୍ପିନର୍‌ ଜୁଆ

ସ୍ପିନ୍‌କୁ ସୁହାଉଥିବା ପିଚ୍‌‌ରେ ବିଶେଷଜ୍ଞ ବ୍ୟାଟର୍‌ଙ୍କୁ ନନେଇ ଅଲରାଉଣ୍ଡର୍‌ଙ୍କୁ ପ୍ରାଧାନ୍ୟ ଦେବା ଭାରତ ପାଇଁ କାଳ ହୋଇଛି। ସେହିଭଳି ୪ଜଣ ସ୍ପିନର୍‌ ଖେଳାଇବା ଜୁଆ ମଧ୍ୟ ବୁମେରାଂ ପାଲଟିଛି।

ଇଡେନ୍‌ ଗା‌ର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ

କୋଲକାତା: ସ୍ପିନ୍‌କୁ ସୁହାଉଥିବା ପିଚ୍‌‌ରେ ବିଶେଷଜ୍ଞ ବ୍ୟାଟର୍‌ଙ୍କୁ ନନେଇ ଅଲରାଉଣ୍ଡର୍‌ଙ୍କୁ ପ୍ରାଧାନ୍ୟ ଦେବା ଭାରତ ପାଇଁ କାଳ ହୋଇଛି। ସେହିଭଳି ୪ଜଣ ସ୍ପିନର୍‌ ଖେଳାଇବା ଜୁଆ ମଧ୍ୟ ବୁମେରାଂ ପାଲଟିଛି। ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମାତ୍ରାଧିକ ପରୀକ୍ଷା ନିରୀକ୍ଷା, ବ୍ୟାଟିଂକ୍ରମରେ ଅନାବଶ୍ୟକ ପରିବର୍ତ୍ତନ, ୱାସିଂଟନ୍ ସୁନ୍ଦରଙ୍କୁ ତୃତୀୟ ସ୍ଥାନରେ ଖେଳାଇବା, ସାଇ ସୁଦର୍ଶନଙ୍କ ପରିବର୍ତ୍ତେ ଧ୍ରୁବ ଜୁରେଲଙ୍କୁ ନେବା ଭଳି ନିଷ୍ପତ୍ତି ଆଲୋଡ଼ନ ସୃଷ୍ଟି କରିଛି। ବିତର୍କିତ କଥା ହେଲା ଏହି ଟେଷ୍ଟ୍‌ରେ ଖେଳୁଥିବା ୧୧ଜଣଙ୍କ ମଧ୍ୟରୁ କେବଳ ଅଧିନାୟକ ଗିଲ୍ ଓ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ବିଶେଷଜ୍ଞ ବ୍ୟାଟର୍ ଥିଲେ। ଅନ୍ୟମାନେ ୱିକେଟ୍‌ରକ୍ଷକ କିମ୍ବା ବୋଲର ଓ ଅଲରାଉଣ୍ଡର୍ ଥିଲେ। ୪ଜଣ ସ୍ପିନର୍‌ ଖେଳୁଥିବାରୁ ଖାତା କଲମରେ ତ ନବମ ସ୍ଥାନ ପର୍ଯ୍ୟନ୍ତ ଭାରତର ବ୍ୟାଟିଂ ଗଭୀରତା ଥିଲା। ହେଲେ ଜଣେ ବିଶେଷଜ୍ଞ ବ୍ୟାଟର୍ କମ୍ ଥିଲେ। ଏହା ସହିତ ଟସ୍ ହାରିବା ଓ ଗିଲ୍ ଆହତ ହେବା, ଦଳକୁ ଆହୁରି ସମସ୍ୟାରେ ପକାଇଥିଲା।

ବ୍ୟାଟର୍ ଦକ୍ଷତା ଦେଖାଇ‌ବାରେ ବିଫଳ ହେଲେ: ଗମ୍ଭୀର
ଇଡେନ୍ ପିଚ୍‌କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଭାରତୀୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହାକୁ ନିମ୍ନମାନର କହି ନଥିଲେ। ବରଂ ପରାଜୟ ପାଇଁ ଭାରତୀୟ ବ୍ୟାଟର୍‌ଙ୍କୁ ଦାୟୀ କରିଥିଲେ। ମ୍ୟାଚ୍ ପର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ, ପିଚ୍ ଖରାପ ନଥିଲା କଠିନ ରହିଥିଲା। ଆମ ବ୍ୟାଟର୍‌ଙ୍କ ପାଖରେ ଏଠାରେ ‌ବ୍ୟାଟିଂ କରିବାର ବୈଷୟିକ କୌଶଳ ଓ ମାନସିକ ଦକ୍ଷତାର ଅଭାବ ରହିଲା। ଚାପରେ ଖେଳିବାର କଳା ସେମାନଙ୍କୁ ଶିଖିବାକୁ ହେବ। ଏକ ଯୁବ ଦଳ ହୋଇଥିବାରୁ ଇଡେନ୍‌ ବିଫଳତାରୁ ଶିକ୍ଷା ଲାଭ କରି ସେମାନେ ଆଗକୁ ବଢ଼ିବେ ବୋଲି ମୋର ଆଶା। ସେହିଭଳି ପିଚ୍ କ୍ୟୁରେଟର୍ ସୁଜନ ମୁଖାର୍ଜୀ କହିଥିଲେ, ଭାରତ ଯାହା ଚାହିଥିଲା, ତାହା ଦିଆଯାଇ ଥିଲା। ଚାରି ଦିନ ପୂର୍ବରୁ ପିଚ୍‌ରେ ପାଣି ଦିଆଯାଇ ନଥିଲା। ଏହା କହି ସେ ନିଜ ଉପରୁ ଦୋଷ ଛଡ଼ାଇ ଦେବାକୁ ଚେଷ୍ଟା କରିଥିଲେ।

ଗିଲ୍ ଆଇସିୟୁକୁ ସ୍ଥାନାନ୍ତର, ଗୁଆହାଟୀରେ ଖେଳିବା ନେଇ ଆଶଙ୍କା

ବେକରେ ଭୀଷଣ ଯନ୍ତ୍ରଣା ପାଇଁ ଶନିବାର କୋଲକାତାର ଉଡ୍‌ଲ୍ୟାଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍ ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି। ଚିନ୍ତା କରିବାର କିଛି ନଥିଲେ ବି ପ୍ରତିଷେଧକ ପଦକ୍ଷେପ ସ୍ବରୂପ ତାଙ୍କୁ ଆଇସିସିରେ ରଖି ଚିକିତ୍ସା କରାଯାଉଛି। ଡାକ୍ତରଖାନା ତରଫରୁ ହୃଦ୍‌ରୋଗ, ସ୍ନାୟୁତନ୍ତ୍ର, ଭେଷଜ ଓ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଦଳ ଗଠନ କରାଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପୂର୍ବାପେକ୍ଷା ଯନ୍ତ୍ରଣା କିଛିଟା କମିଛି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲେ ମଧ୍ୟ ଇଡେନ୍‌ ଗାର୍ଡେନ୍ସକୁ ଗିଲ୍ ଆଉ ଖେଳିବାକୁ ଓହ୍ଲାଇବେ ନାହିଁ ବୋଲି ରବିବାର ସକାଳୁ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା। ସେହିଭଳି ଗୁଆହାଟୀରେ ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ରେ ସେ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ସବୁକିଛି ଗିଲ୍ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ  ଫିଟ୍‌ନେସ୍ ପାଇବା ଉପରେ ନିର୍ଭର କରିବ  ବୋଲି ମଧ୍ୟ  ବୋର୍ଡ ସଙ୍କେତ ଦେଇଛି। ସୂଚନାଯୋଗ୍ୟ ଯେ ଇଡେନ୍ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ଦକ୍ଷିଣ ଆଫ୍ରିକୀୟ ସ୍ପିନର ସାମୋନ ହାର୍ମରଙ୍କୁ ସ୍ଲଗ୍ ସୁଇପ୍ ଖେଳିଲା ବେଳେ ଗିଲ୍‌ଙ୍କ ବେକର ମାଂସପେଶୀ ମୋଡ଼ି ହୋଇଯାଇଥିଲା। ଫଳରେ ବ୍ୟକ୍ତିଗତ ୪ ରନ୍‌ରେ ଗିଲ୍ ଆହତ ଅବସର ନେଇଥିଲେ। ଭାରତର ଉଭୟ ପାଳି ମଧ୍ୟ ୯ ୱିକେଟ୍ ପତନ ପରେ ଅଲ୍‌ଆଉଟ୍‌ରେ ଗଣାଯାଇଥିଲା।

ହାର୍ମରଙ୍କ ସଫଳତା ପଛରେ ଭାରତୀୟ ପ୍ରଶିକ୍ଷକ

ଇଡେନ୍ ଟେଷ୍ଟ୍‌ରେ ପ୍ରଭାବୀ ବୋଲିଂ କରିଥିବା ଦକ୍ଷିଣ ଆଫ୍ରିକୀୟ ସ୍ପିନର୍ ସିମୋନ ହାର୍ମର ୧୦ବର୍ଷ ପରେ ଭାରତ ଫେରି ନିଜ ଅବିଶ୍ବସନୀୟ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଇଡେନ୍ ଗାର୍ଡେନ୍ସରେ ପ୍ରଥମ ପାଳିରେ ୪ ୱିକେଟ୍ ନେଇ ଭରତକୁ ୧୮୯ ରନ୍‌ରେ ଅଟକାଇ ଥିବା ହାର୍ମର ଦ୍ବିତୀୟ ପାଳିରେ ପୁଣି ୪ ୱିକେଟ୍ ନେଇ ଭାରତ ପରାଜୟର ପ୍ରମୁଖ କାରଣ ପାଲଟିଥିଲେ। ଶେଷ ଥର ପାଇଁ ୨୦୧୫ରେ ଭାରତ ଆସି ମୋହାଲି ଓ ନାଗପୁରଠାରେ ଦୁଇଟି ଟେଷ୍ଟ୍‌ ଖେଳିଥିଲେ ସେ। ଉଭୟ ମ୍ୟାଚ୍‌ରେ ୫ଟି‌ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୦-୩ରେ ହାରିବା ପରେ ସେହିବର୍ଷ ସେ ଜାତୀୟ ଦଳରୁ ବାଦ୍ ପଡ଼ିଥିଲେ। ଯାହା ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଆସୁଥିବା ହାର୍ମରଙ୍କୁ ବେଶ୍ ବାଧିଥିଲା। ଏଣୁ ମୁମ୍ବାଇ ଆସି ପ୍ରତିଷ୍ଠିତ ସ୍ପିନ୍ ପ୍ରଶିକ୍ଷକ ଉମେଶ ପଟୱାଲଙ୍କଠାରୁ କିଛି ଦିନ ପ୍ରଶିକ୍ଷଣ ନେଇଥିଲେ। ପଟୱାଲ ହିଁ ତାଙ୍କ ବୋଲିଂରେ ବିବିଧତା ଭରିବା ସହ ନୂଆ ନୂଆ ଅସ୍ତ୍ର ସାମିଲ କରିବାର କଳା ଶିଖାଇଥିଲେ। ପଟୱାଲଙ୍କ ସେହି ଗୁରୁମନ୍ତ୍ର ମୋତେ ଏଥର ଗସ୍ତରେ ବହୁତ ସହାୟକ ହେଉଛି ବୋଲି କହିଛନ୍ତି ହାର୍ମର। ସୂଚନାଯୋଗ୍ୟ ଯେ ୫୧ବର୍ଷୀୟ ପଟୱାଲ ବିଶ୍ବର ବିଭିନ୍ନ ଦେଶରେ ସ୍ପିନ୍ ବୋଲିଂ ପ୍ରଶିକ୍ଷଣ ଦେଇ ଆସୁଥିଲା ବେଳେ ସଂପ୍ରତି ଆସାମ ୨୩ବର୍ଷରୁ କମ୍ ଦଳର ବୋଲିଂ ପ୍ରଶିକ୍ଷକ ଅଛନ୍ତି।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button