ଖେଳ

IND VS SA: ନୂଆ ଟେଷ୍ଟ୍ ଭେନ୍ୟୁ, ନୂଆ ଆହ୍ବାନ: ଗୁଆହାଟୀରେ ୫ ବ୍ୟାଟର୍‌ଙ୍କୁ ଖେଳାଇବ କି ଭାରତ?

ନୂଆ ଟେଷ୍ଟ୍ ଭେନ୍ୟୁରେ ନୂଆ ଆହ୍ବାନର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ଇଡେନ୍ ଗାର୍ଡେନ୍ସରେ ଅଢ଼େଇ ଦିନରେ ଲଢ଼େଇ ହାରିଯାଇଥିବା ଭାରତୀୟ ଦଳ ଏବେ ପ୍ରବଳ ଚାପରେ ବି ରହିଛି। ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ହୋଇଥିବାରୁ ମୂଳପୋଛ ହୋଇଯିବାର ବିପଦ ବି ଅଛି।

ଗୁଆହାଟୀ: ନୂଆ ଟେଷ୍ଟ୍ ଭେନ୍ୟୁରେ ନୂଆ ଆହ୍ବାନର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ଇଡେନ୍ ଗାର୍ଡେନ୍ସରେ ଅଢ଼େଇ ଦିନରେ ଲଢ଼େଇ ହାରିଯାଇଥିବା ଭାରତୀୟ ଦଳ ଏବେ ପ୍ରବଳ ଚାପରେ ବି ରହିଛି। ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ହୋଇଥିବାରୁ ମୂଳପୋଛ ହୋଇଯିବାର ବିପଦ ବି ଅଛି। ଶନିବାରଠାରୁ ଗୁଆହାଟୀରେ ବର୍ଷାପାରା ଷ୍ଟାଡିୟମ୍‌ ଦେଶର ୨୮ତମ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ପାଇବ ଏବଂ ଆସାମୀ ପ୍ରଶଂସକ ବି ଦେଖିବେ ୫ ଦିନିଆ କ୍ରିକେଟ୍‌ ରୋମାଞ୍ଚ। ପିଚ୍‌ରେ କିନ୍ତୁ ଅସଲ ବାଉଁସ୍‌ ଥିବାରୁ ସିମର୍‌ମା‌ନେ ଫାଇଦା ପାଇବେ। ପ୍ରାରମ୍ଭିକ ସଫଳତା ସହିତ ରିଭର୍ସ ସୁଇଙ୍ଗ୍‌ର ଅତିରିକ୍ତ ଫାଇଦା ବି ଉଠାଇପାର‌ିବେ। ସୀମିତ ଓଭର ମ୍ୟାଚ୍‌ଗୁଡ଼ିକ ବେଳେ ଏଠାରେ ହାଇସ୍କୋରିଂ ନଜରକୁ ଆସିଥାଏ। ବର୍ଷାପାରାରେ ଦିନିକିଆର ହାରାହାରି ୨୨୫ ଓ ଟ୍ବେଣ୍ଟି-୨୦ରେ ୧୬୧ ରହିଛି। କିନ୍ତୁ ଲାଲ୍‌ମାଟିରେ ପ୍ରସ୍ତୁତ ଏଠାକାର ପିଚ୍‌ ବ୍ୟାଟର୍‌କୁ ବି ଚକିତ କରିପାରେ। ପିଚ୍‌ର ଏଭଳି ବ୍ୟବହାରକୁ ନଜରରେ ରଖି ଭାରତ ଭାରତ ୨ ପେସ୍‌ ବୋଲର, ୨ ସ୍ପିନର୍‌ ଓ ୨ ଅଲ୍‌ରାଉଣ୍ଡର୍ ତତ୍ତ୍ବରେ ଅପରିବର୍ତ୍ତିତ ରହିବ କି ନାହିଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କୋଲକାତା ଟେଷ୍ଟ୍‌ରେ ଭାରତର ବ୍ୟାଟିଂ ଗଭୀରତାକୁ‌ ନେଇ ପ୍ରଶ୍ନ ଉଠିଥିଲା। ଶୀର୍ଷକ୍ରମରେ ଯଶସ୍ବୀ ଜୟସ୍ବାଲଙ୍କ ବିଫଳତା ଓ ମଧ୍ୟକ୍ରମ ବ୍ୟାଟର୍‌ଙ୍କ ସଂଘର୍ଷ ପରାଜୟର ଅନ୍ୟତମ କାରଣ ଥିଲା। ଭାରତ ଯଦି ୬ ବ୍ୟାଟର୍‌ ଓ ୪ ବୋଲରଙ୍କୁ ନେଇ ଖେଳିବ ତେବେ ସାଇ ସୁଦର୍ଶନ କିମ୍ବା ଦେବଦତ୍ତ ପଡ଼ିକଲଙ୍କ ମଧ୍ୟରୁ ଜଣେ ଭାରତର ବ୍ୟାଟିଂକୁ ଦୃଢ଼ କରିପାର‌ିବେ ବୋଲି ବିଶ୍ବାସ ହେଉଛି। ଅକ୍ଷର ପଟେଲଙ୍କୁ ବସାଇବା ସହ ଜାଡ଼େଜାଙ୍କ ସହ କୁଲଦୀପ ସ୍ପିନ୍‌ ଭୂମିକାରେ ରହିପାରିବେ। ବ‌ର୍ଷାପାରା ପିଚ୍‌ ଚରିତ୍ରକୁ ଭଲରେ ଦେଖିବା ପରେ ୱାସିଂଟନ୍ ସୁନ୍ଦରଙ୍କ ଖେଳାଇବା ନିଷ୍ପତ୍ତି ହେବ।

ଗିଲ୍‌ଙ୍କ ଫିଟ୍‌ନେସ୍‌ ପରୀକ୍ଷା ଆଜି
ଇଡେନ୍‌ ଟେଷ୍ଟ୍‌ ଅବସରରେ ବେକ ମାଂଶପେଶୀ ଟାଣି ହୋଇଯିବା ପରଠାରୁ ଅଧିନାୟକ ଶୁବମନ ଗିଲଙ୍କ ଗୁଆହାଟୀ ଟେଷ୍ଟ୍ ଖେଳିବା ନେଇ ଦ୍ବନ୍ଦ୍ବ ଜାରି ରହିଛି। ଏ ସମ୍ପର୍କରେ କିନ୍ତୁ ସ୍ପଷ୍ଟ ଚିତ୍ର ଶୁକ୍ରବାର ମିଳିଯିବ। ଶୁକ୍ରବାର ତାଙ୍କ ଫିଟ୍‌ନେସ୍ ଟେଷ୍ଟ୍ ପାଇଁ ଯୋଜନା ହୋଇଛି। ତଥାପି ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି‌ ବୋଲି କୁହାଯାଇଛି। କୋଲକାତା ଟେଷ୍ଟ୍‌ର ଦ୍ବିତୀୟ ଦିନ ଗିଲ୍‌ ବ୍ୟାଟିଂ କରିବାବେଳେ ବେକରେ ଆଘାତ କାରଣରୁ ରିଟାର୍ଡ ହର୍ଟ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଭାରତର ଉଭୟ ପାଳିରେ ବ୍ୟାଟିଂ କରି ନପାରିବାରୁ ଘରୋଇ ଦଳ ୧୦ ଜଣ ବ୍ୟାଟର୍‌ଙ୍କୁ ନେଇ ଲଢ଼ିବାରୁ ହାରିଥିଲା‌। ଯାହାକି ଭାରତ ପରାଜୟର ଅନ୍ୟତମ ପ୍ରମୁଖ କାରଣ ଥିଲା। ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ଦ୍ରୁତ ବୋଲର କାଗିସୋ ରବାଡ଼ାଙ୍କ ଖେଳିବା ନେଇ ଦ୍ବନ୍ଦ୍ବରେ ରହିଛି। ସେ କିନ୍ତୁ ଖେଳିପାରିବେ ନାହିଁ ବୋଲି ଦକ୍ଷିଣ ଆଫ୍ରିକା ବୋଲିଂ ପ୍ରଶିକ୍ଷକ ପିଟ୍‌ ବୋଥା କହିନାହାନ୍ତି। କୋଲକାତା ଟେଷ୍ଟ୍ ପ୍ରଥମ ଦିନ ସକାଳେ ‌ରବାଡ଼ା ଅଭ୍ୟାସ କରୁଥିବା ବେଳେ ପିଞ୍ଜରା ହାଡ଼ରେ ଆଘାତ ପାଇ ବାଦ୍ ପଡ଼ିଥିଲେ। ଇଡେନ୍ ଗାର୍ଡେନ୍ସରେ ଭାରତୀୟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇଥିବା ସାଇମନ୍ ହାର୍ମର ଖେଳିବାରେ କିଛି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button