India: ଭାରତ-ନେପାଳ ସୀମା ବିବାଦ: ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଭାରତଓ ନେପାଳ ମଧ୍ୟରେ ଚାଲିଥିବା ଦୀର୍ଘଦିନର ସୀମା ବିବାଦକୁ ନେଇ କେନ୍ଦ୍ର ସରକାର ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନେପାଳ ସହିତ ସୀମା ସମ୍ପର୍କିତ ଯେକୌଣସି ସମସ୍ୟାର ସମାଧାନ ପାଇଁ ଭାରତ କୌଣସି ତୃତୀୟ ପକ୍ଷ ବା ବାହ୍ୟ ଶକ୍ତିର ମଧ୍ୟସ୍ଥତାକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏହି ପ୍ରସଙ୍ଗ କେବଳ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ବ୍ୟବସ୍ଥା ଏବଂ ଆଲୋଚନା ମାଧ୍ୟମରେ ହିଁ ସମାଧାନ କରାଯିବ ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଏହି ବିବାଦରେ ଚୀନ୍‌ ଓ ବ୍ରିଟେନକୁ ସାମିଲ କରିବା ପାଇଁ ସଙ୍କେତ ଦେବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସୂଚନା ଦେଇଛନ୍ତି ଯେ, ଭାରତନେପାଳ ମଧ୍ୟରେ ପ୍ରାୟ ୯୮ ପ୍ରତିଶତ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇସାରିଛି। ବାକି ଥିବା ସୀମିତ ଅଞ୍ଚଳର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହିଁ ସ୍ଥାପିତ ବ୍ୟବସ୍ଥା ଓ କମିଟି ରହିଛି। ବିଶେଷ କରି ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି, ଯାହାକୁ ଭାରତ ସର୍ବଦା ନିଜର ଉତ୍ତରାଖଣ୍ଡ ରାଜ୍ୟର ଅଭିନ୍ନ ଅଙ୍ଗ ଭାବେ ଦର୍ଶାଇ ଆସିଛି।

ଅନ୍ୟପକ୍ଷରେ, ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ଯୁକ୍ତି ବାଢ଼ିଛନ୍ତି ଯେ ଏହି ସୀମା ବିବାଦ ବ୍ରିଟିଶ ଔପନିବେଶିକ ସମୟରୁ ଆରମ୍ଭ ହୋଇଥିଲା, ତେଣୁ ଏଥିରେ ବ୍ରିଟେନର ସହଯୋଗ ଆବଶ୍ୟକ। ନେପାଳ ଏଥିପାଇଁ ଭାରତ ଓ ଚୀନ୍‌କୁ କୂଟନୈତିକ ପତ୍ର ପଠାଇବା ସହ ବ୍ରିଟେନ ସହ ମଧ୍ୟ ଯୋଗାଯୋଗରେ ଥିବା ପ୍ରକାଶ କରିଛି। ମାତ୍ର ଭାରତ ନିଜ ଆଭିମୁଖ୍ୟରେ ଅଟଳ ରହି କହିଛି ଯେ, ବାହ୍ୟ ଶକ୍ତିର ପ୍ରବେଶ ଦ୍ୱାରା ସମସ୍ୟା ଜଟିଳ ହେବ। ଦୁଇ ପଡ଼ୋଶୀ ଦେଶ ନିଜର ପାରମ୍ପରିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ହିଁ ଏହି ସୀମା ସମସ୍ୟାର ସମାଧାନ କରିବା ଉଚିତ।

 

 

 

ସୌଜନ୍ୟ ସମ୍ବାଦ