ଦେଶ ବିଦେଶ

India: ଭାରତ-ବ୍ରିଟେନ ବାଣିଜ୍ୟ ଆଲୋଚନା

ନୂଆଦିଲ୍ଲୀ: ବ୍ରିଟେନର ବାଣିଜ୍ୟ ସଚିବ ପିଟର କାଇଲ ଆଜି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସାକ୍ଷାତ କରିଛନ୍ତି। ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା (ସିଇଟିଏ)କୁ ଆଗକୁ ନେବା ପାଇଁ ଏହି ଅବସରରେ ଆଲୋଚନା ହୋଇଛି। ଭାରତୀୟ ପ୍ରତିନିଧି ଦଳ ପକ୍ଷରୁ ଆଲୋଚନାର ନେତୃତ୍ବ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନେଇଛନ୍ତି। ଭାରତ-ବ୍ରିଟେନ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପିଟରଙ୍କ ସହିତ ଆଲୋଚନା ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି।

ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମାକୁ ବ୍ରିଟେନ ସଂସଦର ଉଭୟ ଗୃହର ଅନୁମୋଦନ ମିଳିବା ସହିତ ଅନ୍ୟାନ୍ୟ ଆଇନଗତ ପ୍ରତିବନ୍ଧକ ଗତ ମାର୍ଚ୍ଚ ମାସରୁ ଦୂର ହୋଇସାରିଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ବିଳମ୍ବ ହୋଇଛି। କାରଣ ମାର୍ଚ୍ଚ ମାସରେ ବ୍ରିଟେନ ହଠାତ୍‌ ଇସ୍ପାତ ଉପରେ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛି। ଅନ୍ୟଥା ଏହି ରାଜିନାମା ଗତ ଏପ୍ରିଲରୁ କାର୍ଯ୍ୟକାରୀ ହେବ ବୋଲି ଆଶା ରଖାଯାଇଥିଲା।

ଇସ୍ପାତ ଆମଦାନି ଉପରେ କଟକଣା ଘୋଷଣା ସହିତ ଦୁଇ ଦେଶ ମଧ୍ୟରେ ରାଜିନାମାକୁ ଆଗକୁ ନେବା କ୍ଷେତ୍ରରେ ବ୍ରିଟେନର କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ୍‌ (ସିବିଏଏମ୍‌) ମଧ୍ୟ ଅନ୍ୟ ଏକ ପ୍ରସଙ୍ଗ ଭାବେ ଉଭା ହୋଇଛି। ୨୦୨୭ ଜାନୁଆରି ପହିଲାରୁ ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏଥିରେ ଆଲୁମିନିୟମ, ସିମେଣ୍ଟ, ସାର, ହାଇଡ୍ରୋଜେନ, ଲୁହା ଓ ଇସ୍ପାତ ଉପରେ ଅତିରିକ୍ତ କାର୍ବନ ଟିକସ ଆଦାୟ ସମ୍ଭାବନା ରହିଛି। ଯଦି ଭାରତକୁ ବ୍ରିଟେନ ଉପରୋକ୍ତ ଦୁଇଟି ପ୍ରସଙ୍ଗରେ ରିହାତି ନଦିଏ ତାହେଲେ ନୂଆଦିଲ୍ଲୀ ମଧ୍ୟ ପୂର୍ବରୁ ରାଜିନାମାରେ ରିହାତି ପ୍ରଦାନ ପାଇଁ ରାଜି ହୋଇଥିବା କେତେକ ପ୍ରସଙ୍ଗ ଉପରେ ମୂଲଚାଲ କରିବା ସମ୍ଭାବନା ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button