India-Germany agreement: ଭାରତ-ଜର୍ମାନୀ ୧୯ ଚୁକ୍ତି: ପ୍ରତିରକ୍ଷା, ପ୍ରଯୁକ୍ତି ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା
ଭାରତ ଏବଂ ଜର୍ମାନୀ ସୋମବାର ପ୍ରତିରକ୍ଷା, ପ୍ରଯୁକ୍ତି, ସ୍ବାସ୍ଥ୍ୟ, ଶକ୍ତି ଏବଂ ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଜର୍ମାନୀ ଚାନ୍ସେଲର ଫ୍ରେଡେରିକ ମର୍ଜଙ୍କ ୨ ଦିନିଆ ଭାରତ ଗସ୍ତ ଅବସରରେ ଭାରତ....

ଗାନ୍ଧୀନଗର: ଭାରତ ଏବଂ ଜର୍ମାନୀ ସୋମବାର ପ୍ରତିରକ୍ଷା, ପ୍ରଯୁକ୍ତି, ସ୍ବାସ୍ଥ୍ୟ, ଶକ୍ତି ଏବଂ ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଜର୍ମାନୀ ଚାନ୍ସେଲର ଫ୍ରେଡେରିକ ମର୍ଜଙ୍କ ୨ ଦିନିଆ ଭାରତ ଗସ୍ତ ଅବସରରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏନେଇ କହିଛି ଯେ ଦୁଇ ରାଷ୍ଟ୍ର ୧୯ଟି ଚୁକ୍ତି ସ୍ବାକ୍ଷର କରିଛନ୍ତି ଏବଂ ରଣନୀତିକ, ଅର୍ଥନୈତିକ ସମ୍ପର୍କ ମଜଭୁତ କରିବାପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରାଯାଇଛି। ଆଜି ୨ ରାଷ୍ଟ୍ର ଏକ ମିଳିତ ଘୋଷଣାନାମା ଜାରି କରିଛନ୍ତି। ଏହି ମିଳିତ ଘୋଷଣାନାମାରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଏକ ପ୍ରମୁଖ ବିଷୟ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ଚାନ୍ସେଲର ମର୍ଜଙ୍କ ସହିତ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ଗାନ୍ଧୀନଗରରେ ମହାତ୍ମା ଗାନ୍ଧୀ କନଭେନସନ ସେଣ୍ଟରଠାରେ ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭଲ ଓ ବିଦେଶ ସଚିବ ବିକ୍ରମ ମିସ୍ରି ଉପସ୍ଥିତ ଥିଲେ। ମର୍ଜ ଦୁଇ ଦିନିଆ ଭାରତ ଗସ୍ତରେ ଆସି ସୋମବାର ସକାଳେ ଅହମଦାବାଦଠାରେ ପହଞ୍ଚିଥିଲେ। ଏହା ଭାରତ-ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ଏବଂ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାର ୨୫ ବର୍ଷ । ଦ୍ବିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନା ବେଳେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚଶିକ୍ଷା ବିକାଶ ଉପରେ ଏକ ବ୍ୟାପକ ରୋଡମ୍ୟାପ୍ର ଅଂଶ ଭାବରେ ମୋଦୀ ଜର୍ମାନ ବିଶ୍ବବିଦ୍ୟାଳୟମାନଙ୍କୁ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିଥିଲେ। ମୋଦୀ କହିଥିଲେ, ଭରତ-ଜର୍ମାନୀ ମଧ୍ୟରେ ଅର୍ଥନୈତିକ ସହଯୋଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ମାନବତା ପାଇଁ ଗୁରୁତ୍ବପୂର୍ଣ୍ଣ। ମର୍ଜଙ୍କ ସହିତ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଦୁଇ ଦେଶ ମଧ୍ୟରେ ରହିଥିବା ଗଭୀର ଐତିହାସିକ ତଥା ଦାର୍ଶନିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।
ସୌଜନ୍ୟ ସମ୍ବାଦ




