
ମୁମ୍ବାଇ: ଆସନ୍ତା ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ଏହି ପ୍ରତିଯୋଗିତାର ଫେଭରାଇଟ୍ ବୋଲି କହିଛନ୍ତି। ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଦୁର୍ଦ୍ଦର୍ଷ ଓ ଏକ ଭଲ ଦଳ ପାଇଁ ଯାହା ଆବଶ୍ୟକ ତାହା ଏହି ଦଳରେ ରହିଛି। ସେ କହିଛନ୍ତି ଯେ ବର୍ତ୍ତମାନର ଭାରତୀୟ ଦଳ ପାଖରେ ଅଭିଜ୍ଞତା ରହିଛି, ବିଶେଷକରି କ୍ରିକେଟ୍ର ଏହି ଫର୍ମାଟ୍ ପାଇଁ ଏକ ବଡ଼ ଅଭିଜ୍ଞତା ରହିଛି। ସେମାନେ ଚାପରେ ଖେଳିବାରେ ଅଭ୍ୟସ୍ତ। ଦଳରେ ଯିଏ ଯେଉଁ ଭୂମିକାରେ ଅଛି, ସିଏ ଅନେକ ସମୟ ଧରି ସେହି ଭୂମିକା ନିର୍ବାହ କରିଆସିଛି।
ଟ୍ବେଣ୍ଟି-୨୦ କ୍ରିକେଟ୍ ବେଶ ଅନିଶ୍ଚିତ
ଭାରତୀୟ ଦଳ ସାମର୍ଥ୍ୟକୁ ପ୍ରସଂଶା କରିବା ସହ ସତର୍କ ମଧ୍ୟ କରାଇଦେଇଛନ୍ତି ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଭାରତୀୟ ଅଧିନାୟକ। ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ କ୍ରିକେଟ୍ ବେଶ ଅନିଶ୍ଚିତ। ଦିନେ ଦିନେ ତମ ଦଳରେ ପ୍ରମୁଖ ଖେଳାଳିମାନେ ଭଲ ଲୟରେ ନଥାନ୍ତି, ଆଉ ବିପକ୍ଷ ଦଳର କିଛି ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି। ଏହା ଟ୍ବେଣ୍ଟି-୨୦ରେ ସମ୍ଭବ। ଏଣୁ ଠିକ୍ ସମୟ ଓ ଭାଗ୍ୟର ବି ଗୁରୁତ୍ବ ରହିଛି। ଏଣୁ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, ଯେ ଦଳରେ କେହି ଆହତ ନ ହୁଅନ୍ତୁ ଓ ଯାହାକୁ ଯେଉଁ ଭୂମିକା ଦିଆଯାଇଛି ସେ ଭଲଭାବରେ ନିର୍ବାହ କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ କାକରର ଏକ ବଡ଼ ଭୂମିକା ରହିଥାଏ। ଏହାର ଖେଳର ଫଳାଫଳକୁ ବି ପ୍ରଭାବିତ କରିପାରେ। ଏଣୁ ମ୍ୟାଚ୍ରେ ଟସ୍ର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଏ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ଦିନରେ ଆୟୋଜକ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ଭେଟିବ। ଫେବ୍ରୁଆରି ୧୫ରେ ବହୁଚର୍ଚ୍ଚିତ ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। କିନ୍ତୁ ଏହି ମ୍ୟାଚ୍ ଏବେ ପାକିସ୍ତାନର ବର୍ଜନ ଧମକ ଯୋଗୁଁ ଚର୍ଚ୍ଚାରେ ଅଛି।
ସୌଜନ୍ୟ ସମ୍ବାଦ




