ଦେଶ ବିଦେଶ

India shocks West at UN: ପାଶ୍ଚାତ୍ୟ ଦେଶଙ୍କୁ ଜାତିସଂଘରେ ଝଟକା ଦେଲା ଭାରତ: ଇରାନ ସପକ୍ଷରେ ଭୋଟ୍

ମିଳିତ ଜାତିସଂଘ ମାନବାଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଭାରତ ପୁଣି ଥରେ ନିଜର ସ୍ୱାଧୀନ ବୈଦେଶିକ ନୀତି ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରବଳ ଚାପ ସତ୍ତ୍ୱେ, ଭାରତ ଇରାନ ବିରୋଧରେ ଆଗତ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି।

ନ୍ୟୁୟର୍କ: ମିଳିତ ଜାତିସଂଘ ମାନବାଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଭାରତ ପୁଣି ଥରେ ନିଜର ସ୍ୱାଧୀନ ବୈଦେଶିକ ନୀତି ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରବଳ ଚାପ ସତ୍ତ୍ୱେ, ଭାରତ ଇରାନ ବିରୋଧରେ ଆଗତ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି। ଏହି ପଦକ୍ଷେପ ଭାରତ ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମ୍ପର୍କକୁ ପ୍ରତିଫଳିତ କରିଛି।। ଜାନୁଆରି ୨୨ରେ ଅନୁଷ୍ଠିତ ଭୋଟ୍‌ରେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପକୁ ସମର୍ଥନ କରେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଥିଲା ।

ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ

ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଆଗତ ଏହି ପ୍ରସ୍ତାବ, ୨୮ ଡିସେମ୍ବର, ୨୦୨୫ରେ ଇରାନରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ପ୍ରତିବାଦ ସହିତ ଜଡିତ ଥିଲା। ସେଥିରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ କରାଯାଇଥିଲା। ଏହି ପ୍ରତିବାଦ ମୁଖ୍ୟତଃ ଇରାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଅର୍ଥନୈତିକ ସଙ୍କଟ ଓ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ହୋଇଥିଲା। ଏହା ଦେଶରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି କରିଥିଲା। ପ୍ରସ୍ତାବରେ ଇରାନ ସରକାରଙ୍କ ଦ୍ୱାରା ପ୍ରଦର୍ଶନକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ ଓ ଗିରଫଦାରୀର ଅନ୍ତର୍ଜାତୀୟ ତଦନ୍ତ ଦାବି କରାଯାଇଥିଲା। ତେବେ ଏସବୁ ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।

୧୪ ଦେଶ ଭୋଟିଂରୁ ଦୂରେଇ ରହିଲେ

ଫ୍ରାନ୍ସ, ମେକ୍ସିକୋ ଓ ଦକ୍ଷିଣ କୋରିଆ ଭଳି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ଭାରତ ଓ ଚୀନ୍ ସମେତ ସାତ ଦେଶ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହା ବ୍ୟତୀତ, ୧୪ ଦେଶ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଏକ ସାଧାରଣ ମତ ବଜାୟ ରଖିଥିଲେ ତଥା ଭୋଟିଂ ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଫଳରେ ପଶ୍ଚିମ ମେଣ୍ଟ ଆଶାତୀତ ସଫଳତାରୁ ବଞ୍ଚିତ ହୋଇଥିଲା। ଇରାନ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ନିଜ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପ ବୋଲି କହି ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲା।

ପାଶ୍ଚାତ୍ୟ ଚାପ ଆଗରେ ଦେଶ ମୁଣ୍ଡ ନୁଆଁଇଲା ନାହିଁ

ଭାରତ କହିଥିଲା ମାନବାଧିକାର ଭଳି ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ। ସମସ୍ତ ଦେଶଙ୍କୁ ସେମାନଙ୍କର ଆଭ୍ୟନ୍ତରୀଣ ବିବାଦ ସମାଧାନ ପାଇଁ ଏକ ନ୍ୟାୟସଙ୍ଗତ ସୁଯୋଗ ମିଳିବା ଉଚିତ। ଏହି ଭୋଟ ସହିତ, ଭାରତ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ନିଜର ବୈଦେଶିକ ନୀତି ନିଷ୍ପତ୍ତିରେ କୌଣସି ବାହ୍ୟ ଶକ୍ତି କିମ୍ବା ପାଶ୍ଚାତ୍ୟ ଚାପ ଆଗରେ ଦେଶ ମୁଣ୍ଡ ନୁଆଁଇବ ନାହିଁ।

ପୁରୁଣା ସମ୍ପର୍କ ହେଲା ସୁଦୃଢ଼

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତ ଅନ୍ତର୍ଜାତୀୟ ସ୍ତରରେ ଇରାନକୁ ଖୋଲାଖୋଲି ସମର୍ଥନ କରିଛି। ପୂର୍ବରୁ ୨୦୨୨ ମସିହାରେ, ମହସା ଆମିନୀ ପ୍ରତିବାଦ ସମୟରେ ଭାରତ ଇରାନକୁ ସମର୍ଥନ କରିଥିଲା। ଇରାନ ସହିତ ଭାରତର ସମ୍ପର୍କ ଐତିହାସିକ ଭାବରେ ସୁଦୃଢ଼ ରହିଛି। ସାମ୍ପ୍ରତିକ ସମର୍ଥନ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ଆହୁରି ନିବିଡ଼ କରିବାର ସମ୍ଭାବନା ଅଛି। ଭାରତ ନିରନ୍ତର ଭାବରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ଓ ସଙ୍କଟ ସମୟରେ ନିଜର ଦୀର୍ଘକାଳୀନ ସହଯୋଗୀଙ୍କ ସହିତ ଦୃଢ଼ ଭାବରେ ଠିଆ ହେବାର ନୀତି ପାଳନ କରିଆସିଛି। ଭାରତର ଆଭିମୁଖ୍ୟ ବିଶ୍ୱ ରାଜନୀତିରେ ଦେଶର ଏକ ନିରପେକ୍ଷ ଓ ଆତ୍ମନିର୍ଭରଶୀଳ ପ୍ରତିଛବିକୁ ସୁଦୃଢ଼ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button