India-US: ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଉପରେ ବିସ୍ତୃତ ଆଲୋଚନା ଆରମ୍ଭ ହୋଇଛି। ବାଣିଜ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଦର୍ପଣ ଜୈନଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ଏବେ ଆମେରିକାରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଚଢ଼ା ପାଲଟା ଶୁଳ୍କକୁ ତାଙ୍କ ଦେଶର ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୨୦ ତାରିଖରେ ଅବୈଧ ଘୋଷଣା କରିଦେବା ପରେ ଏହି ଆଲୋଚନାର ଗୁରୁତ୍ବ ଭାରତ ପାଇଁ ବଢ଼ିଯାଇଛି। ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଢାଞ୍ଚା ଫେବ୍ରୁଆରି ୨ରେ ଘୋଷଣା ହୋଇ ଫେବ୍ରୁଆରି ୭ରେ ପ୍ରକାଶ କରାଯାଇଥିଲା। ଏହି ରାଜିନାମା ଅଧୀନରେ ଆମେରିକା ବଜାରରେ ଭାରତ ଅଗ୍ରାଧିକାର ବଜାର ସୁବିଧା ଲୋଡ଼ୁଛି।

ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମାର ଢାଞ୍ଚା ଅନୁଯାୟୀ, ଆମେରିକା ଭାରତ ଉପରେ ଏହାର ଶୁଳ୍କକୁ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇବା ପାଇଁ ସହମତ ହୋଇଥିଲା। ରୁଷ୍‌ ତେଲ କ୍ରୟ ପାଇଁ ଲଗାଇଥିବା ୨୫ ପ୍ରତିଶତ ଶୁଳ୍କକୁ ହଟାଇ ଦେଇଥିବାବେଳେ ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇଥିଲା। କିନ୍ତୁ ଫେବ୍ରୁଆରି ୨୦ ତାରିଖରେ ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପ ଲଗାଇଥିବା ପାଲଟା ଶୁଳ୍କକୁ ଅବୈଧ ଘୋଷଣା କରିଦେଇଥି‌ଲେ। ଏହା ପରେ ଟ୍ରମ୍ପ ଫେବ୍ରୁଆରି ୨୪ ତାରିଖରେ ୧୫୦ ଦିନ ପାଇଁ ବିଶ୍ବର ସବୁଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ସ୍ଥିତି ବଦଳି ଯାଇଥିବାରୁ ବାଣିଜ୍ୟ ରାଜିନାମାରେ କିଛି ପରିବର୍ତ୍ତନ ଭାରତ ସକ୍ଷେରେ ଆସିପାରେ ବୋଲି ଆଶା କରାଯାଉଛି। ୨୦୨୫-୨୬ରେ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ଆମେରିକାକୁ ଟପିଯାଇଛି ଚୀନ। ୨୦୨୪-୨୫ ଆର୍ଥିକବର୍ଷ ପର୍ଯ୍ୟନ୍ତ କ୍ରମାଗତ ୪ ବର୍ଷ ଧରି ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ଆମେରିକା ରହିଥିଲା।

ସୌଜନ୍ୟ ସମ୍ବାଦ