Indian Navy: ବଙ୍ଗୋପସାଗରରେ ସରିଲା ଭାରତୀୟ ନୌସେନାର ସମରାଭ୍ୟାସ
ଭାରତୀୟ ନୌସେନାର ସାମୁଦ୍ରିକ ଅଭ୍ୟାସ ‘ମିଲନ ୨୦୨୬’ ବୁଧବାର ଶେଷ ହୋଇଛି, ଯେଉଁଥିରେ ୪୨ଟି ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ଏବଂ ୨୯ଟି ସାମରିକ ବିମାନ ଅଂଶଗ୍ରହଣ କରିଥିଲେ। ଦେଶର ୧୮ଟି ଜାହାଜ ଏଥିରେ ଅଂଶଗ୍ରହଣ କରିଥିଲେ।

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମୁଦ୍ରିକ ଅଭ୍ୟାସ ‘ମିଲନ ୨୦୨୬’ ବୁଧବାର ଶେଷ ହୋଇଛି, ଯେଉଁଥିରେ ୪୨ଟି ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ଏବଂ ୨୯ଟି ସାମରିକ ବିମାନ ଅଂଶଗ୍ରହଣ କରିଥିଲେ। ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭ୍ୟାସରେ ନୌସେନାର ଶକ୍ତି ପ୍ରଦର୍ଶନ କରାଯାଇଥିଲା ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶର ୧୮ଟି ଜାହାଜ ଏଥିରେ ଅଂଶଗ୍ରହଣ କରିଥିଲେ।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପକୂଳରେ ଭାରତର ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ଆୟୋଜିତ ଏକ ଉଦ୍ଯାପନୀ ସମାରୋହ ସହିତ ଏହି ସମରାଭ୍ୟାସ ଶେଷ ହୋଇଥିଲା। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ‘ବନ୍ଧୁତ୍ୱ, ଭାଇଚାରା ଓ ସହଯୋଗ’ ବିଷୟବସ୍ତୁ ଅଧୀନରେ ଆୟୋଜିତ ହୋଇଥିବା ମିଲନ୍ ୨୦୨୬ରେ ୪୨ଟି ଜାହାଜ ଓ ବୁଡ଼ାଜାହାଜ ଏବଂ ୨୯ଟି ବିମାନ ଅଂଶଗ୍ରହଣ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବିଭିନ୍ନ ଦେଶର ନୌସେନା ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା।
ଆର୍ଟିଲାରି ଓ ଆଣ୍ଟି-ଏୟାରକ୍ରାଫ୍ଟ ଫାୟାର ଏଥିରେ ଅନ୍ତର୍ଭୁକ୍ତ ରହିଥିଲା
ଫ୍ରାନ୍ସ, ଜର୍ମାନୀ ଓ ଆମେରିକାର ସାମୁଦ୍ରିକ ନିରୀକ୍ଷଣ ବିମାନ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମରାଭ୍ୟାସ ପୋତାଶ୍ରୟ ପର୍ଯ୍ୟାୟ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ଦ୍ୱିପାକ୍ଷିକ ବୈଠକ, ଅନ୍ତର୍ଜାତୀୟ ସାମୁଦ୍ରିକ ସେମିନାର ଓ ବିଶେଷଜ୍ଞ ଆଲୋଚନା ଅନ୍ତର୍ଭୁକ୍ତ ଥିଲା। ପରବର୍ତ୍ତୀ ସମୁଦ୍ର ପର୍ଯ୍ୟାୟରେ, ଉଚ୍ଚ-ତୀବ୍ରତା ବିଶିଷ୍ଟ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିରେ ଉନ୍ନତ ଯୁଦ୍ଧ ଶୃଙ୍ଖଳା ଉପରେ ଧ୍ୟାନ ଦିଆଯାଇଥିଲା, ଯେଉଁଥିରେ ସମନ୍ୱିତ ବାୟୁ ପ୍ରତିରକ୍ଷା ଓ ବୁଡ଼ାଜାହାଜ ପ୍ରତିରୋଧୀ ଯୁଦ୍ଧ ଅଭ୍ୟାସ, ଯୋଗାଯୋଗ ଅଭ୍ୟାସ ଏବଂ କ୍ରସ୍ ଡେକ୍ ଫ୍ଲାଇଙ୍ଗ ଅପରେସନ୍ ଅନ୍ତର୍ଭୁକ୍ତ। ଲାଇଭ୍ ଫାୟାରିଂ ଅଭ୍ୟାସରେ ଆର୍ଟିଲାରି ଓ ଆଣ୍ଟି-ଏୟାରକ୍ରାଫ୍ଟ ଫାୟାର ଅନ୍ତର୍ଭୁକ୍ତ ଥିଲା।
ଏହି ସମରାଭ୍ୟାସ ସମୟରେ ସମସ୍ତ ଦେଶର ନୌସେନା ମିଳିତ ଭାବେ ଯୋଜନା କରିଥିଲେ ଏବଂ ମିଳିତ ମିସନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଆଇଏନଏସ ବିକ୍ରାନ୍ତଠାରୁ ଆରମ୍ଭ କରି ବିଶାଖାପତ୍ତନମ୍ ଶ୍ରେଣୀର ବିଧ୍ୱଂସକ ଜାହାଜ, ନୀଳଗିରି ଶ୍ରେଣୀର ପ୍ରୋଜେକ୍ଟ ଫ୍ରିଗେଟ୍ ଓ ଡାଇଭିଂ ସପୋର୍ଟ ଜାହାଜ ଆଇଏନ୍ଏସ୍ ନିସ୍ତାର ପର୍ଯ୍ୟନ୍ତ ଯୁଦ୍ଧ ଜାହାଜ ସହିତ ଭାରତ ‘ମିଲନ ୨୦୨୬’ରେ ଅଂଶଗ୍ରହଣ କରିଥିଲା।
ସୌଜନ୍ୟ ଧରିତ୍ରୀ




