ବାଣିଜ୍ୟ

Indian Rupee: ତଳକୁ ତଳକୁ ଖସି ଚାଲିଛି… ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଭାରତୀୟ ଟଙ୍କା

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସୋମବାର ଆହୁରି ଦୁର୍ବଳ ହୋଇପଡ଼ିଛି। ଡଲାରର ବିନିମୟ ମୂଲ୍ୟ ୯୩ ଟଙ୍କା ୯୫ ପଇସା ହୋଇଯାଇଛି। ଏହା ହେଉଛି ଡଲାର ତୁଳନାରେ ଟଙ୍କାର ସର୍ବନିମ୍ନ ବିନିମୟ ମୂଲ୍ୟ। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟଙ୍କା ଚାପରେ ରହିଛି ଓ ଲଗାତାର ଭା‌ବେ ତଳକୁ ଖସୁଛି। ଗତ ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ ୯୩ ଟଙ୍କା ୭୩ ପଇସା ଥିଲା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଥିବାରୁ ଶକ୍ତି ସଙ୍କଟ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି। ତାହାର ପ୍ରଭାବରେ ଡଲାର ଶକ୍ତିଶାଳୀ ହେଉଛି। ଯୁଦ୍ଧ ପାଇଁ ମାର୍ଚ୍ଚରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍‌ ୫୦ ପ୍ରତିଶତ ବଢ଼ିଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି କହିଛି ଯେ ୧୯୭୦ରେ ଘଟିଥିବା ତୈଳ ସଙ୍କଟଠାରୁ ବର୍ତ୍ତମାନ ସ୍ଥିତି ଆହୁରି ଖରାପ ରହିଛି। ତେଲ ଦର ବଢ଼ୁଥିବାରୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ଯୁଦ୍ଧ ଆରମ୍ଭ ପରଠାରୁ ଟଙ୍କା ୩ ପ୍ରତିଶତ ଦୁର୍ବଳ ହୋଇସାରିଲାଣି। ଖୁବ୍‌ଶୀଘ୍ର ଡଲାର ତୁଳନାରେ ଟଙ୍କା ଦାମ ୯୪ ଟଙ୍କା ସ୍ତର ଅତିକ୍ରମ କରିଯିବ ବୋଲି ଆଶଙ୍କା କରାଯାଉଛି।

ଭାରତ ନିଜ ଆବଶ୍ୟକତା ପୂରଣ କରିବା ଲାଗି ଅନେକ ଜିନିଷ ଆମଦାନି କରୁଛି। ସେଥିପାଇଁ ଡଲାର ଆବଶ୍ୟକ। ଆମଦାନି ବଢ଼ୁଥିବାରୁ ଡଲାର ଚାହିଦା ବଢ଼ିବା ସହ ଟଙ୍କା ଚାପରେ ରହୁଛି। ଏହି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ନିୟମିତ ବ୍ୟବଧାନରେ ଡଲାର ବାହାର କରି କମ୍‌ ଦାମ୍‌ରେ ବିକ୍ରି କରୁଛି। କିନ୍ତୁ ଏହାର ଖରାପ ଦିଗଟି ହେଉଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେଉଛି। ମହଙ୍ଗା ଡଲାର ଦେଶର ଦରଦାମ ସ୍ଥିତି ବିଗାଡ଼ିବା ଆଶଙ୍କା ରହିଛି। ଗତ ମାସରେ ଖୁଚୁରା ମୁଦ୍ରାସ୍ଫୀତି ମୂଲ୍ୟ ବଢ଼ିଥିଲା। ଯଦି ବୃଦ୍ଧିର ସେହି ଧାରା ଜାରି ରହିବ ତେବେ ସୁଧ ବଢ଼ାଇବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟ ହେବ। ତାହା ଦ୍ରୁତ ଗତିରେ ବଢ଼ୁଥିବା ଦେଶର ଅର୍ଥନୀତି ପାଇଁ ଶୁଭ ସ‌ଙ୍କେତ ନୁହେଁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button