ଦେଶ ବିଦେଶ

Iran: ମିଳିତ ବାହିନୀ ଆକ୍ରମଣରେ ଇରାନର ରଣନୀତିକ ବନ୍ଦର ଧ୍ୱସ୍ତ: ତେହେରାନରେ ଭୟଙ୍କର ବିସ୍ଫୋରଣ

ଇରାନର ଗୁରୁତ୍ବପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି। ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ ମୋଡ଼ ଆଣିଛି

ତେହେରାନ/ତେଲ୍‌ ଅଭିଭ୍‌: ଇରାନର ଗୁରୁତ୍ବପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି। ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ ମୋଡ଼ ଆଣିଛି, ଯାହା ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି କୁହାଯାଉଛି। ଏହି ପରିବହନ ଭିତ୍ତିଭୂମିକୁ ଧ୍ୱସ୍ତ କରି ମିଳିତ ବାହିନୀ କେବଳ ସାମରିକ ଶକ୍ତି ପ୍ରଦର୍ଶନ କରିନାହାଁନ୍ତି, ବରଂ ଇରାନର ରପ୍ତାନି ଓ ଯୋଗାଣ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ କରିବାର ଏକ ରଣନୈତିକ ସଙ୍କେତ ଦେଇଛନ୍ତି।

ଆଜି ଭୋର୍‌ ସମୟରେ ହୋଇଥିବା ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ କେତେକ ନିର୍ଦ୍ଦିଷ୍ଟ ଜେଟିକୁ ଲକ୍ଷ୍ୟ କରାଯାଇଥିଲା, ଯାହା କାର୍ଗୋ ପରିବହନ ପାଇଁ ବ୍ୟବହୃତ ହେଉଥିଲା। ଆକ୍ରମଣରେ ଅନେକ ମାଲବାହୀ ଗାଡ଼ି ଭସ୍ମୀଭୂତ ହୋଇଯାଇଛି ଏବଂ ବନ୍ଦରରେ ଲଙ୍ଗର ପକାଇଥିବା ଦୁଇଟି ବଡ଼ ଜାହାଜ ମଧ୍ୟ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପକ୍ଷରୁ ଏହି ବନ୍ଦରକୁ ଅସ୍ତ୍ରଶସ୍ତ୍ର ଚାଲାଣର କେନ୍ଦ୍ର ବୋଲି କୁହାଯାଇଥିବା ବେଳେ ତେହେରାନ ଏହାକୁ ‘ବେସାମରିକ ଅଞ୍ଚଳ ଉପରେ ଏକ ଅମାନୁଷିକ ଆକ୍ରମଣ’ବୋଲି ଅଭିହିତ କରିଛି।

ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ

ଆଜି ଦକ୍ଷିଣାଞ୍ଚଳରେ ବନ୍ଦର ଉପରେ ଆକ୍ରମଣ ଚାଲିଥିବା ବେଳେ ଇରାନର ରାଜଧାନୀ ତେହେରାନ ମଧ୍ୟ ଭୟଙ୍କର ବିସ୍ଫୋରଣର ଶବ୍ଦରେ ଥରି ଉଠିଥିଲା। ସହରର ଉତ୍ତର ଏବଂ ଉତ୍ତର-ପୂର୍ବ ଜିଲ୍ଲାଗୁଡ଼ିକରେ ଅତିକମରେ ୬ଟି ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସାଦତ୍ ଆବାଦ ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କେନ୍ଦ୍ରକୁ ଧ୍ୱସ୍ତ କରିଛନ୍ତି। ଅନ୍ୟପଟେ ଇରାନ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣର ପ୍ରଭାବରେ ସାଧାରଣ ଲୋକଙ୍କ ବସବାସ କରୁଥିବା ଆପାର୍ଟମେଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି, ଯାହା ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।

ଆର୍ଥିକ ବିଶ୍ଳେଷକମାନେ ଆଜି ଚେତାବନୀ ଦେଇଛନ୍ତି ଯେ ଇରାନ ଶକ୍ତି ଓ ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରହିଲେ ବିଶ୍ୱ ଶକ୍ତି ବଜାରର ମାନଚିତ୍ର ବଦଳିଯାଇପାରେ। ସୂଚନାଯୋଗ୍ୟ, ଇରାନ ଯୁଦ୍ଧ ବର୍ତ୍ତମାନ ଏକ ବହୁପାକ୍ଷିକ ରୂପ ନେଇଛି। ୟେମେନର ହୁତି ବିଦ୍ରୋହୀମାନେ ଇରାନ ସମର୍ଥନରେ ଆଜି ପୁଣି ଦକ୍ଷିଣ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଲେବାନନ ପଟୁ ହେଜବୋଲ୍ଲା ମଧ୍ୟ ରକେଟ ଓ ଡ୍ରୋନ୍‌ ଆକ୍ରମଣ ଜାରି ରଖିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button