ଦେଶ ବିଦେଶ

Iran: ଶୂନ୍ୟ ସଂଯମ ଚେତାବନୀ ପୁନରାବୃତ୍ତି କଲା ଇରାନ: ଶକ୍ତି ସ୍ଥଳରେ ଘନଘନ ଆକ୍ରମଣ, ଯୁଦ୍ଧ ବନ୍ଦ ପାଇଁ ଜାତିସଂଘର ଆହ୍ବାନ

ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଆଜି ୨୧ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମୁଖ୍ୟତଃ ଶକ୍ତି ଭଣ୍ଡାର ଓ ଗ୍ୟାସ୍‌ସ୍ଥଳଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ଜାରି ରହିଛି....

ତେହେରାନ/ୱାସିଂଟନ/ଦୁବାଇ: ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଆଜି ୨୧ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମୁଖ୍ୟତଃ ଶକ୍ତି ଭଣ୍ଡାର ଓ ଗ୍ୟାସ୍‌ସ୍ଥଳଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ଜାରି ରହିଛି, ଯାହା ବିଶ୍ୱବ୍ୟାପୀ ତେଲ ଓ ଗ୍ୟାସ୍‌ ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘତି ଆଜି ପୁଣି ଚେତାବନୀ ଦେଇଛନ୍ତି ଯେ ଇରାନର ଶକ୍ତି ସ୍ଥଳଗୁଡ଼ିକୁ ଯଦି ପୁଣି ଆକ୍ରମଣ ହୁଏ ତା’ହେଲେ ତେହେରାନ ‘ଶୂନ୍ୟ ସଂଯମ’ ପ୍ରଦର୍ଶନ କରିବ। ସେ କହିଛନ୍ତି, ସାମ୍ପ୍ରତିକ ପ୍ରତିଶୋଧରେ ଇରାନ କେବଳ ନିଜ ଶକ୍ତିର ଏକ ଛୋଟ ଅଂଶ ବ୍ୟବହାର କରିଛି। ଆଗକୁ ଏକ ଲମ୍ବା ଓ ଭୀଷଣ ଯୁଦ୍ଧ ପାଇଁ ଇରାନ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନି ମଧ୍ୟ  ଆମେରିକା, ଇସ୍ରାଏଲ ଓ ଉପସାଗରୀୟ ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଆମର ଶୀର୍ଷ ନେତା ଓ ସାମରିକ ଅଧିକାରୀଙ୍କୁ ହତ୍ୟାର ଭୟାନକ ଜବାବ ମିଳିବ। ଅନ୍ୟପକ୍ଷରେ ଇରାନ ସେନା ପକ୍ଷରୁ ଜାରି ଚେତାବନୀରେ କୁହାଯାଇଛି ଯେ ବିଶ୍ବର କୌଣସି ପର୍ଯ୍ୟଟନସ୍ଥଳ କିମ୍ବା ପାର୍କ ଇରାନର ଶତ୍ରୁମାନଙ୍କ ପାଇଁ ଆଉ ସୁରକ୍ଷିତ ରହିବ ନାହିଁ।  ପୂରା ବିଶ୍ବରେ ଆକ୍ରମଣ ପାଇଁ ଇରାନ ସେନାର ଚେତାବନୀ ଏକପ୍ରକାର ହଇଚଇ ସୃଷ୍ଟି କରିଛି।

ଯୁଦ୍ଧ ବନ୍ଦ ପାଇଁ ଜାତିସଂଘର ଆହ୍ବାନ
ଉପସାଗରୀୟ ରାଷ୍ଟ୍ରରେ ଆତଙ୍କ
ସ୍ଥଳ ଯୁଦ୍ଧ ପାଇଁ ପ୍ରସ୍ତୁତି
ନାଟୋ ରାଷ୍ଟ୍ର ‘ଭୀରୁ’: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ପଷ୍ଟ ନିର୍ଦ୍ଦେଶରେ ଇସ୍ରାଏଲ ସାଉଥ ପାର୍ସରେ ଆଉ କୌଣସି ଆକ୍ରମଣ ନ କରିବାକୁ ଆଜି ପ୍ରତିଶ୍ରୁତି ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ୨୧ ଦିନର ଯୁଦ୍ଧରେ ଇରାନ ୟୁରାନିୟମ ସମୃଦ୍ଧିକରଣ ଓ ବାଲିଷ୍ଟିକ୍‌ ମିସାଇଲ ଉତ୍ପାଦନ କ୍ଷମତା ହରାଇଛି। ତେବେ ଯୁଦ୍ଧ ଜାରି ରହିବ ଏବଂ ନିର୍ଣ୍ଣାୟକ ପରିଣାମ ପାଇଁ ସ୍ଥଳ ଆକ୍ରମଣର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଇରାନ କତରର ଶକ୍ତି ସଂପଦ ଉପରେ ଆକ୍ରମଣ ଜାରି ରଖିଲେ ‘ସାଉଥ ପାର୍ସ’କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦିଆଯିବ। ହର୍ମୁଜ୍‌ ପ୍ରଣାଳୀକୁ ଇରାନ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ନାଟୋ ରାଷ୍ଟ୍ରମାନେ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଆଜି ଟ୍ରମ୍ପ ସେମାନଙ୍କୁ ‘ଭୀରୁ’ ବୋଲି କହିଛନ୍ତି ଏବଂ ସେମାନଙ୍କ ଅସହଯୋଗକୁ ଆମେରିକା ମନେ ରଖିବ ବୋଲି ସତର୍କ କରାଇଛନ୍ତି। ଆମେରିକାର ସ୍ଥଳ ସେନା ଏବେ ଜଳପଥରେ ‘ୱାର୍‌ ଜୋନ୍‌’ର ନିକଟତର ହେଉଛି। ପ୍ରାୟ ୨୨୦୦ ସ୍ବତନ୍ତ୍ର କମାଣ୍ଡୋ ଇସ୍ରାଏଲ ସେନା ସହ ମିଳିତ ଭାବେ ସ୍ଥଳ ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ଇରାନ ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି।

ସୂଚନାଯୋଗ୍ୟ, କତରର ରାସ୍‌ ଲାଫାନ ଏଲ୍‌ଏନଜି ଉଦ୍ୟୋଗରେ ବ୍ୟାପକ କ୍ଷତି ଯୋଗୁଁ ଏହାର ରପ୍ତାନି କ୍ଷମତା ୧୭-୨୦% ହ୍ରାସ ପାଇଛି। ଏହାର ପୁନରୁଦ୍ଧାର ପାଇଁ ୩ରୁ ୫ ବର୍ଷ ଆବଶ୍ୟକ ବୋଲି କୁହାଯାଉଛି। ଡ୍ରୋନ୍‌ ଆକ୍ରମଣ ଯୋଗୁଁ କୁଏତର ଆଲ ଅହମାଦି ରିଫାଇନାରି ଠପ୍‌ ହୋଇଯାଇଛି। ସାଉଦି ଆରବ, ବାହାରିନ ଓ ସଂଯୁକ୍ତ ଆରବ ଏମିରେଟ୍ସର ଶକ୍ତି ସ୍ଥଳଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲର ହାଇଫା ତେଲ ରିଫାଇନାରି ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଆଜି ଇରାନ ଇସ୍ରାଏଲ ଉପରେ ଏହାର ନୂଆ ନସ୍‌ରଲ୍ଲା ବାଲିଷ୍ଟିକ୍‌ ମିସାଇଲ ସମେତ ବିଭିନ୍ନ ଶ୍ରେଣୀର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଦ୍ବାରା ଆକ୍ରମଣର ନୂଆ ଲହର ଆରମ୍ଭ କରିଛି। ଚଳିତ ଯୁଦ୍ଧରେ ଆଜି ସୁଦ୍ଧା ଇରାନରେ ୩,୦୦୦ରୁ ଅଧିକ ମୃତ୍ୟୁ  ଘଟିଥିବା ବେଳେ ଏଥିରେ ପ୍ରାୟ ୧୪ ଶହ ସାଧାରଣ ନାଗରିକ ଅଛନ୍ତି। ଲେବାନନରେ ୧,୦୦୦ରୁ ଅଧିକ ମୃତ୍ୟୁ ଓ ୨,୫୮୪ ଆହତ (ମାର୍ଚ୍ଚ ୨ ପରଠାରୁ) ହୋଇଥିବା ବେଳେ ଇସ୍ରାଏଲରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଆମେରିକାର ୧୩ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଜି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଯୁଦ୍ଧ ଅଧିକ ବିନାଶକାରୀ ହେବା ପୂର୍ବରୁ ଏହାକୁ ରୋକିବା ଜରୁରୀ ବୋଲି ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button