ତେହେରାନ: ପଶ୍ଚିମ ଏସିଆରେ ଯୁଦ୍ଧ ଶେଷ କରିବାକୁ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ବ୍ୟଗ୍ର ଥିଲେ ମଧ୍ୟ ଗୁଇନ୍ଦା ସୂଚନା ଅନୁଯାୟୀ ଇସଲାମାବାଦ ଉପରେ ତେହେରାନ ଖପ୍ପା ଅଛି। ରଣନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହର୍ମୁଜ ପ୍ରଣାଳୀରେ ପାକିସ୍ତାନର ସଦ୍ୟ କାର୍ଯ୍ୟକଳାପକୁ ନେଇ ଇରାନ ପ୍ରତିକ୍ରିୟାଶୀଳ ହୋଇଛି। ଯୁଦ୍ଧର ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନର କାର୍ଯ୍ୟକଳାପକୁ ଇରାନ ‘ଡବଲ ଗେମ୍’ ବୋଲି ମନେକରୁଛି। ହର୍ମୁଜ୍ ଦେଇ ତୈଳ ଜାହାଜ ଯିବା ସହିତ ଜଡିତ ଘଟଣା ପରେ ଇରାନ ପାକିସ୍ତାନର ପ୍ରକୃତ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।
ଯୁଦ୍ଧ ପାଇଁ ଇରାନ
ହର୍ମୁଜ ପ୍ରଣାଳୀରେ ଉପରେ କଡ଼ା ନିୟନ୍ତ୍ରଣ ରଖିଥିବାବେଳେ ପାକିସ୍ତାନ ସମେତ କେତେକ ମିତ୍ର ରାଷ୍ଟ୍ରଙ୍କର ଜାହାଜକୁ ଏହି ମାର୍ଗ ଦେଇ ଯିବାକୁ ଅନୁମତି ଦେଇଛି। ପାଖାପାଖି ୧୦ଟି ପାକିସ୍ତାନ ପତାକା ବହନ କରୁଥିବା ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନମୁତି ପାଇଥିଲା। ତେବେ ଗୁଇନ୍ଦା ସୂତ୍ରରୁ ଏବେ ଜଣାପଡିଛି ଯେ ଏହି ପାକିସ୍ତାନୀ ଜାହାଜଗୁଡ଼ିକୁ ଏପରି ଭାବରେ ବ୍ୟବହାର କିମ୍ବା ସମନ୍ୱିତ କରାଯାଇଥିଲା ଯାହା ଶେଷରେ ଆମେରିକା ପାଇଁ ଲାଭଦାୟକ ହୋଇଥିଲା। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ୧୦ଟି ଆମେରିକୀୟ ଜାହାଜକୁ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେବାଦ୍ବାରା ଇରାନ କୂଟନୈତିକ ଚ୍ୟାନେଲ ଖୋଲା ରଖିବା ପାଇଁ ଆଗ୍ରହୀ ଥିବା ସୂଚିତ କରୁଛି। ପାକିସ୍ତାନର ଏହି କାର୍ଯ୍ୟକଳାପକୁ ଇରାନ ବିଶ୍ବାସଘାତକତା ପରି ମନେ କରୁଛି।
ପାକିସ୍ତାନ ଜାଣିଶୁଣି ଏପରି କାର୍ଯ୍ୟ କରିଛି ବୋଲି ଇରାନ ମନେକରୁଛି ବୋଲି ସୂତ୍ରରୁ ଜଣାପଡ଼ିଛି। ପାକିସ୍ତାନ ନିରପେକ୍ଷତା ଯୋଗୁ ନୁହେଁ ବରଂ ଦୁଇପକ୍ଷଠାରୁ ଲାଭ ଉଠାଇବା ପାଇଁ ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ବୋଲି ଇରାନ ଅନୁମାନ କରୁଛି। ଏହାସହିତ ପାକିସ୍ତାନ ଇରାନର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ସାଉଦି ଆରବ ସହିତ ଘନିଷ୍ଠତା ରହିଛି। ପାକିସ୍ତାନ ନିଜକୁ ସନ୍ତୁଳିତ ପକ୍ଷ ଦର୍ଶାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏହା ୱାସିଂଟନ ଓ ଏହାର ଉପସାଗରୀୟ ସହଯୋଗୀ ଦେଶଗୁଡ଼ିକ ପ୍ରତି ଅଧିକ ଆନୁଗତ୍ୟ ରଖିଥିବା ଇରାନ ଅନୁଭବ କରୁଛି। ଏହିସବୁ ଘଟଣାକୁ ନେଇ ଇରାନ ପାକିସ୍ତାନ ଉପରେ ଖପ୍ପା ଅଛି।
ସୌଜନ୍ୟ ସମ୍ବାଦ